ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି | News Room Odisha

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି

ଭୁବନେଶ୍ୱର – ବଢିଲା ଖରିଫ ଧାନ ସଂଗ୍ରହ ପଞ୍ଜୀକରଣ ଅବଧି । ବିଭିନ୍ନ ପରିସ୍ଥିତିକୁ ବିଚାରକୁ ନେଇ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଏହାକୁ ବଢାଇ ଦିଆଯାଇଛି । ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ମଧ୍ୟରେ ସରିବାକୁ ଧାର୍ଯ୍ୟ ହୋଇଥିଲା ।

ଅବଧି ବୃଦ୍ଧି କରାଯାଇଥିବାରୁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ କୃଷିସମବାୟ ସମିତି ଯେପରିକି ପାକ୍ସ, ଲାମ୍ପ୍ସ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ପାଣି ପଚାଂୟତରେ ୨୨ ତାରିଖ ମଧ୍ୟରେ ନାମ ପଞ୍ଜୀକୃତ କରାଇବା ପାଇଁ କୁହାଯାଇଛି । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ସମସ୍ତ ସମବାୟ ନିବନ୍ଧକ ଏବଂ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।