ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି ରାହୁରେଖା ଲାଗି | News Room Odisha

ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି ରାହୁରେଖା ଲାଗି

ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀଜୀଉ ମାନଙ୍କ ର ରାହୁ ରେଖା ଲାଗି ହୋଇଥାଏ । ଶ୍ରୀବିଗ୍ରହ ମାନଙ୍କ ର ଶ୍ରୀମୁଖ ର ଚତୁଃପାର୍ଶ୍ଵରେ ସ୍ୱର୍ଣ୍ଣ ନିର୍ମିତ ଏକ ତିନି ଅଙ୍ଗୁଳି ଓସାର ବଳୟ ସ୍ୱର୍ଣ୍ଣ ପଟିକୁ ରାହୁ ରେଖା କୁହାଯାଏ । ଯାହା ବିଦ୍ୟାପତି ଓ ବିଶ୍ଵାବସୁ କୂଳର ସେବକମାନେ ଯାଇଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମୁଖ ମଣ୍ଡଳ ରେ କରାଇ ଭୂଷିତ କରାଇଥାନ୍ତି। ଏହିନୀତି ଗତକାଲି ଭାଦ୍ରବ କୃଷ୍ଣ ପଞ୍ଚମୀରେ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀଜୀଉ ମାନଙ୍କ ଅବକାଶ ନୀତି ଏବଂ ଗୋପାଳ ବଲ୍ଲଭ ଭୋଗ ବଢ଼ିଲା ପରେ ତଢାଉକରଣ ଓ ଦେଉଳି କରଣ ଭଣ୍ଡାର ମେକାପକୁ କହି ଭଣ୍ଡାରରୁ ମୁଦ ହୋଇଥିବା ସୁବର୍ଣ୍ଣ ରାହୁ ରେଖା ବାହାର କରି ଆଣିଥିଲେ। ଶ୍ରୀମନ୍ଦିର ବେହେରଣ ଦ୍ୱାରଠାରେ ଉପସ୍ଥିତ ହୋଇଥିବା ବଣିଆ ସେବକ ମାନଙ୍କୁ ଉକ୍ତ ରାହୁ ରେଖା ମାଜି ସଫା କରିବାକୁ ଦେଇଥିଲେ ।

ଭୋଗ ମଣ୍ଡପନୀତି ବଢିବାସାରିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ୱାର ବନ୍ଦ କରିବା ପରେ ପାଳିଆ ପୁଷ୍ପାଳକମାନେ ସିଂହାସନ ଉପରେ ଠାକୁର ମାନଙ୍କର ଝୋବା କଣ୍ଠି ଓଲାଗି କାର୍ଯ୍ୟ ସାରିଥିଲେ। ତତ୍ପରେ ମହାଜନ ସେବକମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ନେଇ ଖଟଶେଯ ଘରେ ବିଜେ କରାଇଥିଲେ। ଏହି ସମୟରେ ସୁଦୁ ସୁଆର ସିଂହାସନ ତଳେ ଓଷୁଅ ରଖି, ବୋଇରାଣୀ ବସ୍ତ୍ର ପାହାଡା ପକାଇଥିଲେ। ବଣିଆମାନେ ସେଇ ବୋଇରାଣୀ ପାହାଡା ଉପରେ ସ୍ପର୍ଶ ରାହୁରେଖା କୁ ଉକ୍ତ ଓଷୁଅରେ ମୁହଁ ବନ୍ଦ କରିବାପରେ ପାଳିଆ ଖୁଣ୍ଟିଆ ଦଇତାପତି ମାନଙ୍କୁ ଡାକିଥିଲେ। ଦଇତାପତି ସେବକମାନେ ବେହେରଣ ତଳେ ଗୋଡ ଧୋଇ ସିଂହାସନ ଉପରକୁ ଯାଇ ଗରାବଡୁ ସେବକ ଠାରୁ ହାତୁଆଣି ନେଇଥିଲେ। ପାଳିଆ ମେକାପ ଠାରୁ ଶ୍ରୀ ଅଙ୍ଗ ମଣି ନେଇଥିଲେ। ପାଳିଆ ମେକାପ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ର ରାହୁରେଖା ପତି ମହାପାତ୍ର ଙ୍କ ହାତ କୁ ଅର୍ପଣ କରିଥିଲେ। ପତି ମହାପାତ୍ର ଉକ୍ତ ରାହୁ ରେଖା ମାନଙ୍କୁ ସଂସ୍କାର କରି ଯଥାକ୍ରମେ ତିନି ବାଡ଼ର ବାଡଗ୍ରାହି ଦଇତା ମାନଙ୍କୁ ବଢାଇଥିଲେ। ଏହା ପରେ ସମସ୍ତ ଦଇତାମାନେ ମିଶି ସୁଧ ସୁଆର ଠାରୁ ଓଷୁଅ ଓ ଚାଙ୍ଗଡ଼ା ମେକାପଙ୍କ ଠାରୁ ବଇତମ (ସଫା କନା) ନେଇ ରୁନ୍ଧା କାଯ୍ୟ ଶେଷ କରିଥିଲେ। ଅର୍ଥାତ୍ ଶ୍ରୀବିଗ୍ରହ ମାନଙ୍କ ମୁଖାରବିନ୍ଦ ରେ ଓଷୁଅ ସାହାଯ୍ଯ ରେ ରାହୁରେଖା କୁ ଲଗାଇ ଥିଲେ।

ଏହି ରୁନ୍ଧା କାଯ୍ୟ ଶେଷ ହେବା ପରେ ପାଳିଆ ମେକାପଙ୍କୁ ସେମାନେ ଶ୍ରୀଅଙ୍ଗ ମଣାଇ ଦେଇ ସିଂହାସନରୁ ଓହ୍ଲାଇ ଆସିଥିଲେ। ଏହାପରେ ପାଳିଆ ମେକାପ ସିଂହାସନରେ ପୋଛା ମାରିବା ପରେ ପୂଜାପଣ୍ଡା ମାନଙ୍କ ଦ୍ଵାରା ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ସଂପର୍ଣ୍ଣ ହେବା ସହ ମହାଜନ (ପୁଷ୍ପାଳକ) ଭୂଦେବୀ ଓ ଶ୍ରୀଦେବୀ ଙ୍କୁ ଖଟଶେଯ ଘରୁ ଆଣି ସିଂହାସନ ରେ ବିଜେ କରାଇଥିଲେ। ଏହି ସମୟରେ ଚତୁର୍ଦ୍ଧାମୂର୍ତି ଙ୍କ ର ମଇଲମ ଓ ବେଶ ନୀତି ବଢିଥିଲା। ମଧ୍ୟାହ୍ନ ଧୂପପୁଜା ବଢି ଭିତରେ ପାଣି ପଡ଼ିବା ପରେ ପୂଜାପଣ୍ଡା,ପତି ମହାପାତ୍ର ଏବଂ ମୁଦିରସ୍ତ ସେବକ ମାନେ ତିନି ବାଡରେ ବନ୍ଦାପନା କରିବା ପରେ ଅନ୍ୟାନ୍ୟ ନୀତି କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା।