ହୀରାକୁଦର ୪୦ ଗେଟ୍ ଖୋଲିଲା, ପୁଣି ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି | News Room Odisha

ହୀରାକୁଦର ୪୦ ଗେଟ୍ ଖୋଲିଲା, ପୁଣି ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି

ସମ୍ବଲପୁର: ହୀରାକୁଦରୁ ସୋମବାର ଅପରାହ୍ନ ପରେ ଆଉ ୧୪ ଗେଟ୍ ଖୋଲି ମୋଟ୍ ୪୦ ଗେଟ୍ ଦେଇ ଜଳ ନିଷ୍କାସନ ଆରମ୍ଭ ହୋଇଛି। ସେପଟେ ଗେଟ୍ ସଂଖ୍ୟା ବଢିବା ପରେ ପୁଣି ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ୩ ଦିନ ପରେ ଘରକୁ ଫେରିଥିବା ବନ୍ୟା ପ୍ରଭାବିତଙ୍କୁ ରାତିରେ ପୁଣି ବିଭିନ୍ନ ଆଶ୍ରୟସ୍ଥଳକୁ ଯିବାକୁ ପଡିଛି। ରାତି ସୁଦ୍ଧା ସମ୍ବଲପୁର ସହର ଏବଂ ମାନେଶ୍ବର ବ୍ଲକ ଅଞ୍ଚଳର ମୋଟ ୧୭୯୫ ଲୋକଙ୍କୁ ବିଭିନ୍ନ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ଗତ ୧୩ ତାରିଖରେ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦର ପଛୁଆ ପାଣି ଯୋଗୁଁ ସମ୍ବଲପୁର ସହରରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ହଜାରେରୁ ଉର୍ଦ୍ଧ୍ବ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ରବିବାର ବର୍ଷା ଛାଡିବା ସହ ହୀରାକୁଦରୁ ଗେଟ ସଂଖ୍ୟା କମିବା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଥିଲା। ଫଳରେ ଲୋକେ ନିଜ ନିଜ ଘରକୁ ଫେରି ପୁଣି ଘର ସଜାଡିବାରେ ଲାଗିଥିଲେ। ହେଲେ ଆଜି ହୀରାକୁଦରୁ ୪୦ ଗେଟ ଦେଇ ଜଳ ନିଷ୍କାସନ କରିବା ପରେ ପୁଣି ସମ୍ବଲପୁର ସହର ସମେତ ମାନେଶ୍ବର ବ୍ଲକ ଧମା ଗାଁରେ ହୀରାକୁଦର ପଛୁଆ ପାଣି ମାଡିଯାଇଛି। ମୋଟ ୧୭୯୫ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇ ରନ୍ଧା ଖାଦ୍ଯ ସମେତ ଔଷଧ ଓ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ସେପଟେ ଅଗ୍ନିଶମ ବାହିନୀ ବିଭିନ୍ନ ସ୍ଥାନରେ ଫସିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ଯରେ ଲାଗିଛନ୍ତି। ଏହାଛଡା ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ପାଇଁ ପମ୍ପିଂ ଚାଲିଥିବା ପ୍ରଶାସନ ସୂଚନା ଦେଇଛି।