ସମଗ୍ର ଭାରତରେ ବିଶେଷ କରି ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରା, ବୃନ୍ଦାବନରେ ଆଜି ବିଶେଷ ଉତ୍ସାହ ସହିତ ପାଳନ କରାଯାଉଛି ଜନ୍ମାଷ୍ଟମୀ ଉତ୍ସବ ।
ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥାବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଭକ୍ତଙ୍କ ସମାଗମରେ ଏହି ଉତ୍ସବ ପ୍ରାୟ ସାତଦିନ ବ୍ୟାପି ପାଳିତ ହୋଇଥାଏ। ସେହିପରି ଭାରତର ଅନ୍ୟ ପ୍ରଦେଶରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ ଏହି ମହାର୍ଘ୍ୟ ଉତ୍ସବ।
ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହାଛଡ଼ା ପଶ୍ଚିମ ବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସରେ ପାଳିତ ହୋଇଥାଏ । ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାନ୍ତି । ଜାମ୍ମୁଠାରେ ଏହିଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି ।
ଜନ୍ମାଷ୍ଟମୀକୁ ମୁମ୍ବାଇ ଏବଂ ପୁନାରେ ଲୋକେ ଦହି ହାଣ୍ଡି ନାମରେ ବେଶି ଜାଣିଥାନ୍ତି । ଗୋଟିଏ ମାଟିହାଣ୍ଡିରେ ଘୋଳଦହି ପୁରାଇ ଏକ ନିର୍ଦିଷ୍ଟ ଉଚ୍ଚତାରେ ଏହାକୁ ଓହଳାଇ ଦିଆଯାଇଥାଏ । ଏହାପରେ ଲୋକମାନେ ସମୂହ ତିଆରି କରି ଜଣକ ଉପରେ ଜଣେ ଠିଆହୋଇ ଏକ ମିନାର ଗଠନ କରନ୍ତି ଓ ଉପରେ ଥିବା ଲୋକଟି ଏକ ଶକ୍ତ ଜିନିଷରେ ବାଡ଼େଇ ସେହି ହାଣ୍ଡିକୁ ଭାଙ୍ଗିଥାଏ । ଏଥିପାଇଁ ଅନେକ ନଡ଼ିଆ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି, କାରଣ ନଡ଼ିଆକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ଧରାଯାଏ । ହାଣ୍ଡି ଭାଙ୍ଗିଗଲାପରେ ସେଥିରେଥିବା ଦହି ସମସ୍ତଙ୍କ ଉପରେ ବହିଯାଏ । ଏହାକୁ ସାମୂହିକ ପ୍ରଚେଷ୍ଚା ବା ଏକତାର ସଫଳତା ବୋଲି ପ୍ରତୀକାତ୍ମକ ରୂପେ ବିବେଚନା କରାଯାଏ।
ମଣିପୁରରେ ଜନ୍ମାଷ୍ଟମୀ କୃଷ୍ଣଜନ୍ମ ନାମରେ ଲୋକପ୍ରିୟ । ଏହା ରାଜ୍ୟର ରାଜଧାନୀ ଇମ୍ଫାଲର ଦୁଇଟି ମୁଖ୍ୟ ମନ୍ଦିର ଯଥାକ୍ରମେ ଗୋବିନ୍ଦଜୀ ମନ୍ଦିର ଓ ଇସ୍କନ (ଆନ୍ତର୍ଜାତୀୟ କୃଷ୍ଣଚେତନା ସମାଜ) ମନ୍ଦିରରେ ପାଳିତ ଏକ ପ୍ରଧାନ ଉତ୍ସବ ।
କର୍ଣ୍ଣାଟକରେ ମାଧବା, ଆୟେଙ୍ଗାର, ଶ୍ରୀବୈଷ୍ଣବ ଓ ସ୍ମାର୍ତମାନେ ଏଇ ଉତ୍ସବକୁ ବହୁତ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି । ଶ୍ରକୃଷ୍ଣଙ୍କ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ସ୍ଥାପନା କରି ତାଙ୍କ ଭକ୍ଷଣମ୍ ନାମକ ସ୍ୱତନ୍ତ୍ରରୂପେ ପ୍ରସ୍ତୁତ ପ୍ରସାଦ ଅନ୍ୟାନ୍ୟ ଫଳମୂଳ ସହିତ ଅର୍ପଣ କରାଯାଏ । କର୍ଣ୍ଣାଟକର ଅନ୍ୟ କେତେକ ସ୍ଥାନରେ ଚକଲି, ଅବଲକ୍କି, ବେଲ୍ଲାଡା ପାନକ ଆଦି ପ୍ରସାଦ ଖାସ ଏଇ ପର୍ବପାଇଁ ପ୍ରସ୍ତୁତ କରାଯାଏ । କିମ୍ବଦନ୍ତୀ ଅନୁସାରେ ସୁଦାମା ଶ୍ରୀକୃଷ୍ଣଙ୍କୁ ଅବଲକି ଦେଇଥିବାରୁ ଏଇଦିନ ହାତରନ୍ଧା ଅବଲକି କୃଷ୍ଣଙ୍କର ସଖା ସୁଦାମାଙ୍କ ପାଇଁ ପାଳନ କରାଯାଏ । ଗମକ ବାଚନ ନାମରେ ଆଉ କେତେକ ଧାର୍ମିକ କାର୍ଯ୍ୟକ୍ରମ ଏଇଦିନ ସନ୍ଧ୍ୟାସମୟକୁ ଅନୁଷ୍ଠିତ ହୋଇଥାଏ ।
ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ, ରୋହିଣୀ ନକ୍ଷତ୍ରର ଉଦୟ କାଳରେ, ଅର୍ଦ୍ଧରାତ୍ରିରେ, ଚାରି ମେଘଙ୍କର ରଣ ତାଣ୍ଡବ ବେଳେ କଂସର ବନ୍ଦୀଶାଳାରେ ତାଙ୍କର ଆବିର୍ଭାବ ଘଟିଥିଲା। ପୁରାଣ ପ୍ରସଙ୍ଗ ଅନୁସାରେ, ତାଙ୍କର ଆବିର୍ଭାବ ସହିତ କାରାଗାରର ଦ୍ୱାର ଉନ୍ମୁକ୍ତ ହୋଇଯାଇଥିଲା । ପିତା ବସୁଦେବ ଯମୁନାନଦୀ ପାରି ହୋଇ, ଶିଶୁପୁତ୍ର ଶ୍ରୀକୃଷ୍ଣଙ୍କୁ ନେଇ ନିରାପଦରେ ଗୋପ ପୁରରେ, ନନ୍ଦରାଜାଙ୍କ ଘରେ ପହଞ୍ଚାଇ ଦେଇ ଆସିଥିଲେ।
ଏହି ଅନୁସାରେ, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ‘ଜନ୍ମାଷ୍ଟମୀ’ ରୂପେ ସର୍ବତ୍ର ଘରେ ଘରେ ପାଳିତ ହୁଏ। କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ନୀତିର କେତେକ ସ୍ୱତନ୍ତ୍ରତା ଦେଖାଯାଏ। ଏହାର ପୁର୍ବ ଦିନ ସନ୍ଧ୍ୟାଧୂପ ପୂଜାପରେ ଭିତରେ ପାଣି ପଡ଼ି ଜୟ ବିଜୟ ଦ୍ୱାର ବନ୍ଦ ହୋଇଯାଏ। ଟେରା ବନ୍ଧା ହେବା ପରେ ଯେଉଡ଼ ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ, ଖିରି ଆଦି) ରୋଷରୁ ଆସି ଅଣସର ପିଣ୍ଡିରେ ରଖାଯାଏ। ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରାନ୍ତି । ଜଣେ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାର ରେ ପୂଜା କରନ୍ତି। ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରାନ୍ତି।ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୁଏ। ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହାପରେ ଅନ୍ୟାନ୍ୟ ନୀତି ବଢେ। ଗର୍ଭବତୀ ନାରୀମାନେ ସୁଖପ୍ରସବ ଲାଗି ଯେଉଡ଼ ଫଳ ଖାଇଥାନ୍ତି। ଜନ୍ମାଷ୍ଟମୀ ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ମଧ୍ୟ ଦେବକୀ ମା ଙ୍କ ରୂପ ଧାରଣ କରି ଯେଉଡ଼ ଭୋଗ ଖାଇଥାନ୍ତି।
ଯଥାବିଧି ଏହି ଜନ୍ମାଷ୍ଟମୀ ଉତ୍ସବ ଶ୍ରୀମନ୍ଦିର ରେ ପାଳନ କରାଯାଇଥିଲା। ଏହି ଅବସରରେ ସନ୍ଧ୍ୟାଧୂପ ବେଶରେ ନୂଆ ବୋଇରାଣୀ ପତନି ଲାଗି ସହିତ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା। । ସଂଧ୍ୟାଧୂପ ସରିଲା ପରେ ଜୟବିଜୟ ଦ୍ଵାର ବନ୍ଦହୋଇ ଭଣ୍ଡାର ଦୁଆର ଆଗରେ ପୋଛ ମରାଯାଇ ପଞ୍ଚବର୍ଣ୍ଣ ମୁରୁଜରେ ଜଣେ ପୂଜାପଣ୍ଡା ‘ ସର୍ବତ୍ର ଭଦ୍ର ମଣ୍ଡଳ ’ ଅଙ୍କନ କରିଥିଲେ । ଶୁଦ୍ଧସୁଆର ପୂଜା ଠା ’ କରନ୍ତେ ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ବାକ୍ୟ ବିନିମୟରେ ବରୁଣ ପୂଜା କରିଥିଲେ । ରୂପା ପଦ୍ମ ପାଖୁଡ଼ା , କୃଷ୍ଣ ଜନ୍ମପଟି ଏବଂ ସୁବର୍ଣ କୃଷ୍ଣ ପ୍ରତିମା ଭଦ୍ରମଣ୍ଡଳ ଉପରେ ରଖାଯାଇଥିଲା । ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେକରି ଆଜ୍ଞାମାଳ ପାଇ ଜନ୍ମ ଚକଡ଼ାରେ ବିଜେ କରିଥିଲେ । ଏଠାରେ ଗର୍ଭ ଉଦକ କର୍ମ , ଶୀତଳ ଭୋଗ ପରେ ଦୁଇଜଣ ମହାଜନ ସେବକ ଲୁଗା ଘୋଡ଼ାଇ ହୋଇ ଦେବକୀ ଓ ବସୁଦେବ ଭାବରେ ଶ୍ରୀକୃଷ୍ଣଙ୍କୁ ଜନ୍ମ ବିଧି ସମ୍ପର୍ଣ୍ଣ କରିଥିଲେ । ଜନ୍ମନୀତି ଶେଷ ହେବା ପରେ ପ୍ରସାଦ ଲାଗି , ଦୁଧ ଲହୁଣୀ ଓ ଗାଣ୍ଡୁଷ ମସଲା ସମର୍ପଣ ପୂର୍ବକ ମଣୋହି ପରେ କର୍ପୂର ଆଳତି ହୋଇ ରୂପା ଥାଳିରେ ମଦନମୋହନ ବିଜେ କରି ବାହାରକୁ କରିଥିଲେ । ଜଣେ ସେବକ ଉଗ୍ରସେନ ଭାବରେ ଦଣ୍ଡପ୍ରଣାମ କରିଥିଲେ। ଏହି ସମୟରେ ବେହେରା ଖୁଣ୍ଟିଆ ଠାକୁରଙ୍କ ମସ୍ତକ ଉପରେ ସପ୍ତଫେଣା ବାସୁକୀଙ୍କୁ ଧରି ରଖିଥାନ୍ତି । ମୁଦିରସ୍ତ ସେବକ ପ୍ରସାଦ ଲାଗି ଓ ବନ୍ଦାପନା କରିବା ପରେ ମଦନମୋହନ ନାଭିକଟା ମଣ୍ଡପ ଠାରେ ଖଟ ଶେଯ ଉପରେ ବିଜେ କରିବା ପରେ ମହାଜନ ମାନେ ଦକ୍ଷିଣ ଘରୁ ରାମକୃଷ୍ଣଙ୍କୁ ଆଣି ଖଟ ଶେଯ ଉପରେ ବିଜେ କରିଥିଲେ । ଏହାପରେ ନାଭିଛେଦନ ହୋଇ ପଞ୍ଚାମୃତରେ ମହାସ୍ନାନ , ଶୀତଳଭୋଗ ମଣୋହି ଓ ବନ୍ଦାପନା ପରେ ମହାଜନ ମାନେ ଠାକୁରମାନଙ୍କୁ ହାତରେ ବିଜେ କରାଇ ଜଗମୋହନରେ ପ୍ରସ୍ତୁତ କରାଯାଇଥିବା ଦୋଳିରେ ବିଜେ କରିଥିଲେ । ଏଠାରେ ଶୀତଳଭୋଗ ଛାମୁଁକୁ ଆସିବା ପରେ ପ୍ରସାଦ ଲାଗି , ପୂଜା ଓ ମଣୋହି ହୋଇ ବନ୍ଦାପନା ସରିବା ପରେ ଭିତରେ ପାଣି ପଡ଼ି , ବଡ଼ସିଂହାର ଭୋଗ ଛେକ ଆସିବା ମାତ୍ରେ ରାମକୃଷ୍ଣ ରତ୍ନ ସିଂହାସନକୁ ଏବଂ ମଦନମୋହନ ଦକ୍ଷିଣ ଘରକୁ ବିଜେ କରିବା ପରେ ଜନ୍ମାଷ୍ଟମୀ ନୀତି ସମ୍ପର୍ଣ୍ଣ ହୋଇଥିଲା।