ବ୍ରହ୍ମପୁର ମହାନଗର ହେଲା ‘ସଫେଇ ମିତ୍ର ସୁରକ୍ଷା ସହର' | News Room Odisha

ବ୍ରହ୍ମପୁର ମହାନଗର ହେଲା ‘ସଫେଇ ମିତ୍ର ସୁରକ୍ଷା ସହର’

ବ୍ରହ୍ମପୁର: ସ୍ଵଚ୍ଛତା ଓ ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଆଦି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ରହ୍ମପୁର ମହାନଗର ନିଗମକୁ ଆଉ ଏକ ସଫଳତା। ପୂର୍ବରୁ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ସ୍ୱଚ୍ଛତା କ୍ଷେତ୍ରରେ ସୁନିୟୋଜିତ କରି ପ୍ରଶଂସା ସାଉଁଟିଥିବା ତଥା ନିଆରା ଓ ଶ୍ରେଷ୍ଠ ପଦ୍ଧତି ଆପଣାଇଥିବାରୁ କେନ୍ଦ୍ର ସରକାରଙ୍କ ଠାରୁ ସ୍ବଚ୍ଛ ସର୍ବେକ୍ଷଣ ୨୦୨୧ ପୁରସ୍କାର ହାସଲ କରିଥିଲା ବ୍ରହ୍ମପୁର ମହାନଗର ନିଗମ। ଏବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ସଫେଇ ମିତ୍ର ସୁରକ୍ଷା ସହର’ ଭାବେ ନିଜକୁ ଘୋଷିତ କରିଛି ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)। ଏନେଇ ବିଇଏମସି ପ୍ରଶାସନ ପକ୍ଷରୁ ଟ୍ଵିଟର୍ ମାଧ୍ୟମରେ ବିଧିବଦ୍ଧ ସୂଚନା ମଧ୍ୟ ପ୍ରଦାନ କରାଯାଇଛି। ପରିମଳ କ୍ଷେତ୍ରରେ ବ୍ରହ୍ମପୁର ସହର ଆଉ ପାଦେ ଆଗେଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୨୦୨୦ ନଭେମ୍ବର ୧୯ ତାରିଖରେ ବିଶ୍ଵ ଶୌଚାଳୟ ଦିବସ ଅବସରରେ ଆରମ୍ଭ ହୋଇଥିଲା ‘ସଫେଇ ମିତ୍ର ସୁରକ୍ଷା ଚ୍ୟାଲେଞ୍ଜ’। ମନୁଷ୍ୟକୃତ ଆବର୍ଜନା ସଫେଇ କାର୍ଯ୍ୟ ବଦଳରେ ମେସିନ୍ ଦ୍ଵାରା ସଫା କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନୂତନ ସ୍କିମ୍ ‘ନମସ୍ତେ’ ଆରମ୍ଭ ହେବା ପରିପ୍ରେକ୍ଷୀରେ ସଫେଇ ମିତ୍ର ସୁରକ୍ଷା ଚ୍ୟାଲେଞ୍ଜ ନାମକୁ ‘ସଫେଇ ମିତ୍ର ସୁରକ୍ଷା ସହର’ ଭାବେ ପରିବର୍ତ୍ତିତ କରାଯାଇଛି। ‘ନୂଆ ଭାରତର ନୂଆ ଆହ୍ବାନ: ମେସିନ୍ ଦ୍ଵାରା ସଫେଇ, ସୁରକ୍ଷା ଓ ସମ୍ମାନ’କୁ ଏହି ଘୋଷଣାନାମାରେ ଗୁରୁତ୍ବ ଦିଆଯାଇଛି। ଏଥିଅନ୍ତର୍ଗତ ବ୍ରହ୍ମପୁର ମହାନଗର ନିଗମ ନିଜକୁ ସଫେଇ ମିତ୍ର ସୁରକ୍ଷା ସହର ଭାବେ ଘୋଷଣା କରିଛି। ଏଥିସହ ବିଇଏମସିରେ ଦାୟିତ୍ବ ନ୍ୟସ୍ତ କରାଯାଇଥିବା ପରିମଳ କର୍ତ୍ତୃପକ୍ଷ (ରେସପନ୍ସିବଲ୍ ସାନିଟେସନ୍ ଅଥରିଟି- ଆରଏସ୍ଏ) ମନୋନୀତ କରାଯାଇଛି। ମହାନଗର ନିଗମର ଜରୁରିକାଳୀନ ପରିମଳ ପଦକ୍ଷେପ ୟୁନିଟ୍ ପକ୍ଷରୁ ଏ ଦିଗରେ ଆବଶ୍ୟକୀୟ ସେବା ଯୋଗାଇ ଦିଆଯାଉଛି। ବିଇଏମସିରେ ପରିମଳ ହେଲ୍ପଲାଇନ୍ ନମ୍ବର ଉପଲବ୍ଧକୁ ନିଶ୍ଚିତ କରାଯାଇଛି ଯାହାଦ୍ବାରା କି ସାଧାରଣ ଲୋକ ଏ ଦିଗରେ
ଜଣାଇ ସେବା ପାଇପାରିବେ। କେନ୍ଦ୍ର ସରକାର ଏ ଦୃଷ୍ଟିରୁ ନିଃଶୁଳ୍କ ଫୋନ୍ ନମ୍ବର ୧୪୪୨୦ ଜାରି କରିଛନ୍ତି। ବିଇଏମ୍‌ସିରେ ଯଥେଷ୍ଟ ସଂଖ୍ୟାରେ ଦକ୍ଷ ପରିମଳ କର୍ମଚାରୀ (ସ୍ବେରେଜ୍, ଡ୍ରେନ୍, ପାଇଖାନା ଟାଙ୍କି ସଫେଇରେ ନିଯୁକ୍ତ କର୍ମଚାରୀ) ନିୟୋଜିତ ଥିବା ଘୋଷଣା କରାଯାଇଛି। ସ୍ବେରେଜ୍, ଡ୍ରେନ୍, ପାଇଖାନା ଟାଙ୍କିରେ ପ୍ରବେଶ କରି ତାକୁ ସଫା କରୁଥିବା ୧୨ ଜଣ କର୍ମଚାରୀଙ୍କୁ (ସ୍ବିଏର୍ ଏଣ୍ଟ୍ରି ପ୍ରଫେସନାଲ୍) ଚିହ୍ନଟ କରି ସେମାନଙ୍କୁ ୧୫ ଦିନିଆ ପ୍ରଶିକ୍ଷଣ ଦିଆଯାଇଛି। ଅବଶିଷ୍ଟ ଯେଉଁମାନେ ଏହି ତାଲିମ ପାଇନାହାନ୍ତି ସେମାନଙ୍କୁ ଘୋଷଣନାମା ପ୍ରକାଶନର ୯୦ ଦିନ ମଧ୍ୟରେ ଉକ୍ତ ପ୍ରଶିକ୍ଷଣ ଦିଆଯିବ। ବ୍ରହ୍ମପୁର ମହାନଗର ନିଗମ ନିକଟରେ ଯଥେଷ୍ଟ ପରିମାଣର ସଫେଇ ଯନ୍ତ୍ରପାତି ଓ ସୁରକ୍ଷା ଉପକରଣ ଥିବା ନିଶ୍ଚିତ କରାଯାଇଛି। ବ୍ରହ୍ମପୁରରେ ୯ଟି ସେସପୁଲ୍ ଭ୍ୟାନ୍, ୨ଟି ଜେଟିଂ ମେସିନ୍, ଗୋଟିଏ ଗ୍ରାବର୍ ମେସିନ୍, ୩ଟି ଡିସିଲିଟିଂ ମେସିନ୍ ନିୟୋଜିତ ହୋଇଛି। ଏଥିସହ ସହରବାସୀଙ୍କୁ ଏ ଦିଗରେ ସମ୍ବେଦନଶୀଳ କରିବା ପାଇଁ ମହାନଗର ନିଗମ ତରଫରୁ ଯଥେଷ୍ଟ ସଚେତନତା ସୃଷ୍ଟି କରାଯାଉଥିବା ମଧ୍ୟ ଉଲ୍ଲେଖ କରାଯାଇଛି।

ଏହି ଅଭିଯାନରେ ଆମ ରାଜ୍ୟର ୪ଟି ବୃହତ୍ ସହର ସାମିଲ ହୋଇଛି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ବିଭାଗ ପକ୍ଷରୁ ଦେଶରେ ଚିହ୍ନିତ ୧୦୦ଟି ଲାଇଟ୍ ହାଉସ୍ ସିଟି ମଧ୍ୟରେ ରହିଛି ଭୁବନେଶ୍ବର, ବ୍ରହ୍ମପୁର ଓ ବାଲେଶ୍ଵର। କର୍ମଚାରୀମାନଙ୍କୁ ସଫେଇ ବେଳେ ସୁରକ୍ଷା ଉପକରଣ ଯଥା ଡ୍ରେସ୍, ଗମ୍ ବୁଟ୍, ହ୍ୟାଣ୍ଡ୍ ଗ୍ଲୋଭସ୍, ଚଷମା, ମାସ୍କ, ହେଲ୍‌ମେଟ ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରାଯାଇଛି। ମହାନଗରରେ ଡ୍ରେନ୍ ସଫେଇ ସହିତ ସେପ୍ଟିକ୍ ଲାଟିନ୍ ଟାଙ୍କି ସଫେଇ ଉପରେ ଗୁରୁତ୍ବ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଚିହ୍ନଟ ମହାନଗର ନିଗମ ଗୁଡ଼ିକରେ ସଫେଇ ପାଇଁ କେଉଁ କେଉଁ ଉପକରଣ ବା ଯନ୍ତ୍ରପାତି ରହିଛି ତାହାର ତାଲିକା କେନ୍ଦ୍ରକୁ ପଠାଯାଇ ଥିଲା। ବ୍ରହ୍ମପୁର ମହାନଗର ନିଗମରେ ନିୟମ ମୁତାବକ ମେସିନ୍‌ ରହିଥିବା ଯୋଗୁଁ ସଫେଇ ମିତ୍ର ସୁରକ୍ଷା ସହର ଭାବେ ସ୍ଵଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିଥିଲା ଓ ତାହାକୁ କାର୍ଯ୍ୟକାରୀ କରାଯାଇଥିବା ସୂଚନା ଦେଇଛନ୍ତି ବିଇଏମ୍‌ସି କମିଶନର ଜେ.ସୋନାଲ।