ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା , ୫ ଜିଲ୍ଲାକୁ ପଠାଯିବ ଅତିରିକ୍ତ ଓଡ୍ରାଫ ଓ ଏନଡିଆରଏଫ ଟିମ୍ | News Room Odisha

ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା , ୫ ଜିଲ୍ଲାକୁ ପଠାଯିବ ଅତିରିକ୍ତ ଓଡ୍ରାଫ ଓ ଏନଡିଆରଏଫ ଟିମ୍

ଭୁବନେଶ୍ୱର – ଆଜିଠାରୁ ହେବାକୁ ଥିବା ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗରେ ବନ୍ୟା ଆଶଙ୍କା ରହିଛି । ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝରରେ ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁରକୁ ଅତିରିକ୍ତ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ପଠାଯିବ ବୋଲି କହିଛନ୍ତି ଏସଆରସି ।

ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ କରିଦିଆଯାଇଛି । ଏବେ ମୋଟ ୨୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ ହେଉଛି ।ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୧.୯୩ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୩ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୧୦ ହଜାର କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ସେହିପରି ମୁଣ୍ଡଳୀରୁ ୯ ଲକ୍ଷ ୪୮ ହଜାର କ୍ୟୁସେକ ପାଣି ନିଷ୍କାସନ ହେଉଛି । ଗତକାଲି ବୌଦ୍ଧ କଣ୍ଟାମାଳରେ ସର୍ବାଧିକ ବର୍ଷା ହୋଇଥିବା କହିଛନ୍ତି ଏସଆରସି ।
ମୁଣ୍ଡଳୀର ତଳମୁଣ୍ଡରେ ଜଳସ୍ତର କମିଥିବା ବେଳେ, କୌଣସି ଜାଗାରେ ନୂଆ ଘାଇ ସୃଷ୍ଟି ହୋଇନି ।

ମହାନଦୀ ବନ୍ୟାଞ୍ଚଳରେ ୨ ଲକ୍ଷ ୭୭ ହଜାର ୯୯୫ ଉପଭୋକ୍ତାଙ୍କ ବିଜୁଳି ସେବା ପ୍ରଭାବିତ ହୋଇଛି । ୧୫୯ଟି ମେଡିକାଲ ରିଲିଫ ସେଣ୍ଟର ଖୋଲାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୧୦ଟି ମୋବାଇଲ୍ ସ୍ୱାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଛି । ହାଲୋଜେନ୍ ଟ୍ୟାବଲେଟ୍, ଓଆରଏସ୍ ବଣ୍ଟନ କରାଯାଉଛି । ୫ ହଜାର ୫ ଶହ ଲୋକଙ୍କ ଚିକିତ୍ସା କରାଯାଇଛି । ଏପର୍ଯ୍ୟନ୍ତ ୫ଟି ସାପକାମୁଡ଼ା ରୋଗୀଙ୍କୁ ଚିକିତ୍ସା କରାଯାଇଛି । ୧୯୩ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି । ୫ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାରେ ୧୫ଦିନ ପାଇଁ ରିଲିଫ ଦିଆଯାଉଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ।