ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ: ୫ଟି ଜିଲ୍ଲାରେ ୭-୮ ଘଣ୍ଟା ପ୍ରବଳ ବର୍ଷିବ | News Room Odisha

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ: ୫ଟି ଜିଲ୍ଲାରେ ୭-୮ ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ୭ରୁ ୮ଟା ମଧ୍ୟରେ ଦୀଘା ନିକଟରେ ଉପକୂଳ ଛୁଇଁଛି । ଏହାର ପ୍ରଭାବରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାରେ ୭ରୁ ୮ ଘଂଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଦାୟିତ୍ୱରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରାଯାଇଛି । ତଳିଆ ଓ ମାଟି ଘରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଆରମ୍ଭ ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅବପାତ ଦୀଘା ନିକଟରେ ସ୍ଥଳଭାଗ ଛୁଇଁ ବାଲେଶ୍ୱର ଆଡ଼େ ମୁହାଁଇଥିବାରୁ ଏହାର ପ୍ରଭାବରେ ଉତ୍ତର ବାଲେଶ୍ୱରରେ ଅଂଚଳରେ ବର୍ଷା ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ଏହି ଅବପାତ ଯୋଗୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଜିଲ୍ଲାରେ ମଧ୍ୟ ଆସନ୍ତା ୭ରୁ ୮ଘଂଟା ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ଉପରେ ଅବପାତର ପ୍ରଭାବ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଦୁର୍ବଳ ହେବ । ପ୍ରବଳ ବର୍ଷା ଯୋଗୁ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବାଲେଶ୍ୱର ସହରରୁ ୩ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପ୍ରଭାବିତ ଜିଲ୍ଲାରେ ତଳିଆ ଓ ମାଟିଘରେ ରହୁଥିବା ଲୋକଙ୍କୁ ମଧ୍ୟ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଛି । ବିଡିଓ ଓ ତହସିଲଦାରମାନଙ୍କୁ ପ୍ରତି ଘଂଟାରେ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସଆରସିଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ମନିଟରିଂ କେନ୍ଦ୍ର ଖୋଲାଯାଇଛି ।