ଗୁଜରାଟରୁ ଗୋଳନ୍ଥରାକୁ ଆସିଲା ମୃତଦେହ, ସମ୍ମାନର ସହ ଶେଷକୃତ୍ୟ | News Room Odisha

ଗୁଜରାଟରୁ ଗୋଳନ୍ଥରାକୁ ଆସିଲା ମୃତଦେହ, ସମ୍ମାନର ସହ ଶେଷକୃତ୍ୟ

ଛତ୍ରପୁର: ପ୍ରଥମେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ସୁଦୂର ଗୁଜରାଟରେ ରହୁଥିବା ଜଣେ ଓଡ଼ିଆଙ୍କ ଚିକିତ୍ସା କରାଗଲା। ହେଲେ ଡାକ୍ତରଙ୍କ ସମସ୍ତ ପ୍ରୟାସ ବିଫଳ ହେବା ପରେ ଯେତେବେଳେ ଶେଷ ନିଃଶ୍ବାସ ତ୍ୟାଗ କଲେ, ସେତେବେଳେ ମଧ୍ୟ ପରିବାରବର୍ଗ ପାର୍ଥିବ ଶରୀରକୁ ଜନ୍ମମାଟି ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାକୁ ଆଣିବାକୁ ସକ୍ଷମ ନଥିଲେ। କାରଣ ଶ୍ରମିକ ଘରେ ଏତେ ଆର୍ଥିକ ସ୍ବଚ୍ଛଳତା ନଥିଲା ଯେ ଏତେ ଦୂର ମରଶରୀର ଆଣିବାକୁ ଆମ୍ବୁଲାନ୍ସଟିଏ ଯୋଗାଡ଼ କରିପାରନ୍ତେ। ଯେତେବେଳେ ଏ ବାବଦରେ ଅବଗତ ହେଲେ ସେତେବେଳେ ଓଡ଼ିଶା ମୋ ପରିବାର କର୍ମକର୍ତ୍ତା ଓ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶ ସହାୟତା ପାଇଁ ଆଗେଇ ଆସିଥିଲେ। ସେମାନଙ୍କ ପ୍ରୟାସ ଫଳରେ ମୃତଦେହ କେବଳ ଯେ ଭିଟାମାଟିକୁ ଆସିଥିଲା ତା ନୁହେଁ, ଏଥିସହ ସମ୍ମାନର ସହ ଶେଷ ସଂସ୍କାର କରାଇବାକୁ ସକ୍ଷମ ହୋଇଥିଲେ ପରିବାର ଲୋକ।

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଗ୍ରାମର ୪୬ ବର୍ଷୀୟା ଶ୍ରମିକ ଜି.ରାମମୂର୍ତ୍ତି ରେଡ୍ଡୀ ଗୁଜରାଟର ଏକ କାରଖାନାରେ କାମ କରି ପରିବାରର ଭରଣପୋଷଣ କରୁଥିଲେ। ହେଲେ ଅଗଷ୍ଟ ପହିଲାରେ ତାଙ୍କର ମସ୍ତିଷ୍କାଘାତ ଘଟିବାରୁ ପରିବାର ଲୋକ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପାଇଁ ସମ୍ବଳ ନଥିବା ପରିବାର ଲୋକଙ୍କୁ ଯେତେବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଟଙ୍କା ମାଗିଥିଲେ ସେତେବେଳେ ସେମାନେ ଅସହାୟ ହୋଇ ଓଡ଼ିଶା ମୋ ପରିବାର ଗୁଜରାଟ ଶାଖା କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରିଥିଲେ। ଓଡ଼ିଶା ମୋ ପରିବାର ସ୍ଥାନୀୟ ପ୍ରତିନିଧି ପ୍ରଦୀପ ସାହୁ ତୁରନ୍ତ ପରିବାର ଲୋକଙ୍କ ନିକଟରେ ପହଞ୍ଚିଥିଲେ। ଗୁରୁତର ରାମମୂର୍ତ୍ତିଙ୍କୁ ବିଏସ୍‌କେୱାଇ ସ୍କିମରେ ଅନ୍ତର୍ଭୁକ୍ତ ସେଠାକାର ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ବ୍ୟବସ୍ଥା କରିଥିଲେ। ଅବିଳମ୍ବେ ରାମମୂର୍ତ୍ତିଙ୍କ ଅପରେସନ୍ କରାଯାଇ ଥିଲା। ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ଗ୍ରହଣ କରିଥିଲେ। ଫଳରେ ପରିବାର ଲୋକଙ୍କ ମଧ୍ୟରେ ସ୍ବଳ୍ପ ସମୟ ପାଇଁ ହେଲେ ମଧ୍ୟ ହସ ଫୁଟି ଉଠିଥିଲା।

ହେଲେ ବିଧିର ବିଧାନ କିଛି ଅନ୍ୟ ଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ରାମମୂର୍ତ୍ତିଙ୍କ ଅଗଷ୍ଟ ୧୬ ତାରିଖରେ ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ସଦସ୍ୟ ମରଶରୀରକୁ ନିଜ ଗ୍ରାମକୁ ନେବା ପାଇଁ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ମୋ ପରିବାର ସଦସ୍ୟଙ୍କୁ ନିବେଦନ କରିଥିଲେ। ସଙ୍ଗଠନ ପକ୍ଷରୁ ପୁଣି ଥରେ ସହାୟତାର ହାତ ବଢ଼ାଯାଇ ରାମମୂର୍ତ୍ତିଙ୍କ ମୃତଦେହକୁ ଗୋଳନ୍ଥରା ଗ୍ରାମକୁ ଅଣାଯିବାର ବ୍ୟବସ୍ଥା କରାଯାଇ ଥିଲା। କେବଳ ସେତିକି ନୁହେଁ ମରଶରୀର ଗଞ୍ଜାମରେ ପହଞ୍ଚିବା ପରେ ଡ. ଦାଶଙ୍କ ସହଯୋଗୀ ତଥା ଓଡ଼ିଶା ମୋ ପରିବାର କର୍ମକର୍ତ୍ତା ପରିବାରବର୍ଗଙ୍କ ଏହି ଦୁଃଖଦ ସମୟରେ ସେମାନଙ୍କ ସହ ଠିଆ ହୋଇ ରହିଥିଲେ। ପରିବାର ଲୋକଙ୍କୁ ଶାନ୍ତ୍ବନା ଦେବା ସହ ସମ୍ମାନଜନକ ଅନ୍ତେଷ୍ଟିରେ ମଧ୍ୟ ସହଯୋଗ କରିଥିଲେ।