'ଦୋଷୀଙ୍କୁ ମୁକ୍ତ କରି ଭୁଲ୍ ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ସରକାର', ବିଲକିସ୍ ବାନୋ ମାମଲାରେ ରାୟ ଶୁଣାଇଥିବା ଜଜଙ୍କ ପ୍ରତିକ୍ରିୟା | News Room Odisha

‘ଦୋଷୀଙ୍କୁ ମୁକ୍ତ କରି ଭୁଲ୍ ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ସରକାର’, ବିଲକିସ୍ ବାନୋ ମାମଲାରେ ରାୟ ଶୁଣାଇଥିବା ଜଜଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଗୁଜରାଟରେ ୨୦୦୨ରେ ଘଟିଥିବା ବିଲକିସ୍ ବାନୋ ଗଣଦୁଷ୍କର୍ମ ଏବଂ ତାଙ୍କ ୭ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ୧୧ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ନିକଟରେ ଗୁଜରାଟ ସରକାର କ୍ଷମା ନୀତି ଅନୁଯାୟୀ ସମସ୍ତ ଦୋଷୀଙ୍କୁ ମୁକ୍ତ କରିବାକୁ ମଞ୍ଜୁରି ପ୍ରଦାନ କରିଥିଲେ । ସମସ୍ତ ୧୧ ବନ୍ଦୀ ଗୋଧ୍ରା ସବ୍ ଜେଲରୁ ମୁକୁଳିଥିଲେ । ହେଲେ ଜେଲରୁ ମୁକୁଳିବା ପରେ ଦୋଷୀମାନଙ୍କୁ ଯେତେବେଳେ ଲଡୁ ଖୁଆଇ ଓ ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯିବାର ଏକ ଭିଡ଼ିଓ ସାମ୍ନାକୁ ଆସିଲା, ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଥିସହିତ ସମସ୍ତ ଦୋଷୀଙ୍କୁ କିପରି ମୁକ୍ତ କରାଗଲା ବୋଲି ପ୍ରଶ୍ନ ମଧ୍ୟ ଉଠିଥିଲା । ଏହାକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ୧୧ ଜଣ ଦୋଷୀଙ୍କୁ ଦଣ୍ଡିତ କରିଥିବା ଜଜ୍ ୟୁ.ଡି ସାଲଭି ଗୁଜରାଟ ସରକାରଙ୍କ ଏପରି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ଜଷ୍ଟିସ୍ ୟୁ.ଡି ସାଲଭି କହିଛନ୍ତି ଯେ ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ବଳାତ୍କାର କରିଥିବା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବା ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ଏକ ଭୁଲ ଉଦାହରଣ ସୃଷ୍ଟି କରିଛି। ଏହି ନିଷ୍ପତ୍ତି ସମାଜ ଉପରେ କୁପ୍ରଭାବ ପ୍ରଭାବ ପକାଇବ। ଜଷ୍ଟିସ ସାଲଭି କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭୁଲ୍ । ଏବେ ଅନ୍ୟ ଗଣବଳାତ୍କାର ମାମଲାର ଦୋଷୀମାନେ ମଧ୍ୟ ଦଣ୍ଡଛାଡ଼ ପାଇଁ ଦାବି କରିବେ । ”

ସେ କହିଛନ୍ତି ଯେ ଏହା ବିଡ଼ମ୍ବନାର ବିଷୟ ଯେ ଗୁଜରାଟ ସରକାର ଏଭଳି ଏକ ସମୟରେ ସେହି ୧୧ ଦୋଷୀଙ୍କୁ ଜେଲରୁ ମୁକ୍ତ କରିଛନ୍ତି ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କୁ ଅପମାନ ନକରିବାକୁ ଅପିଲ କରୁଛନ୍ତି। ଜଷ୍ଟିସ ସାଲଭି କହିଛନ୍ତି, “ଏହା ନିଶ୍ଚିତ ଭାବେ ବିଡ଼ମ୍ବନାର ବିଷୟ। ଆମର ପ୍ରଧାନମନ୍ତ୍ରୀ ମହିଳା ସଶକ୍ତିକରଣ ବିଷୟରେ କହୁଛନ୍ତି । କିନ୍ତୁ ସେ ଯେଉଁ ରାଜ୍ୟରୁ ଆସିଛନ୍ତି, ସେଇଠି ଜଣେ ଅସହାୟ ମହିଳାଙ୍କୁ ଗଣବଳାତ୍କାର କରିଥିବା ଦୋଷୀ ମାନଙ୍କୁ ମୁକ୍ତ କରାଯାଇଛି ।”

୨୦୦୮ରେ ଜଷ୍ଟିସ୍ ୟୁଡି ସାଲଭି ଏହି ଗଣବଳାତ୍କାର ମାମଲାରେ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ବମ୍ବେ ହାଇକୋର୍ଟର ଜଷ୍ଟିସ୍ ବିଜୟ ତାହିଲରମାଣି ଏବଂ ମୃଦୁଲା ଭଟକରଙ୍କ ଖଣ୍ଡପୀଠ ମେ ୨୦୧୭ରେ ୧୧ ଦୋଷୀଙ୍କ ଦଣ୍ଡାଦେଶ କାଏମ ରଖିଥିଲେ ।