ନାଳରେ କାର୍ ସହ ଭାସି ଦୁଇ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର | News Room Odisha

ନାଳରେ କାର୍ ସହ ଭାସି ଦୁଇ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ଗତକାଲି ସମ୍ବଲପୁର ଜିଲ୍ଲାର ଜମନକିରା ବ୍ଲକର ଏକ ନାଳରେ କାର୍ ସହ ଭାସି ଦୁଇ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ଅଗ୍ନିଶମ ବାହିନୀ ଆଜି ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ଗତକାଲି କୁଚିଣ୍ଡା ଗୁଣ୍ଡୁରୁଚୁଆଁ ଗାଁର ଯୁବ ସମାଜସେବୀ ତାପସ ନାୟକ ତାଙ୍କ ଭଉଣୀ ଜ୍ବାଇଁ ପ୍ରତାପ ପଟେଲଙ୍କ ସହ ଏକ ଅଲଟୋ କାର୍ ରେ ଲଇଡା ପଟରୁ ଫାଶିମାଲ ପଟକୁ ଫେରୁଥିଲେ। ଏହି ସମୟରେ ନକଟିପାଲି ଯୋରରେ ରାସ୍ତା ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଥିଲା। ଉଭୟେ କାର୍ ରେ ପାର ହେଇଯିବା ନେଇ ଅଗ୍ରସର ହେବା ବେଳକୁ ବଢି ପାଣି କାରକୁ ଭସାଇ ନେଇଥିଲା। ଫଳରେ କାର୍ ଭିତରୁ ଉଭୟେ ବାହାରି ପାରିନଥିଲେ। ବିଳମ୍ବିତ ରାତି ଯାଏ ଖୋଜାଖୋଜି କରାଯାଇଥିଲେ ମଧ୍ଯ ସେମାନଙ୍କ ପତ୍ତା ମିଳିନଥିଲା।

ଆଜି ସକାଳୁ ପାଣି ଭିତରେ ବୁଡି ଯାଇଥିବା କାର୍ ଭିତରୁ ଉଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାପସ ଜଣେ ସମାଜସେବୀ ଭାବେ ସବୁ ମହଲରେ ପରିଚିତ ଥିବା ବେଳେ ସେ କିଛି ବର୍ଷ ହେଲା ଦିଲ୍ଲୀରୁ ଫେରି ଗାଁରେ ଜୈବିକ ଚାଷ କରି ଲୋକଙ୍କୁ ଏଥିପ୍ରତି ସଚେତନ କରାଉଥିଲେ। ସେହିପରି ପ୍ରତାପ ମଧ୍ଯ ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଥିଲେ। ଉଭୟଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।