ଏମ୍‌କେସିଜିରେ ବିରଳ ଅପରେସନ୍: ପେଟ କାଟି ବାହାର କଲେ ଷ୍ଟିଲ୍‌ ଗ୍ଲାସ୍ | News Room Odisha

ଏମ୍‌କେସିଜିରେ ବିରଳ ଅପରେସନ୍: ପେଟ କାଟି ବାହାର କଲେ ଷ୍ଟିଲ୍‌ ଗ୍ଲାସ୍

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜ ଓ ହସପିଟାଲରେ ଏକ ବିରଳ ଅପରେସନ୍‌କୁ ସଫଳତାର ସହ ସମ୍ପନ୍ନ କରାଯାଇଛି। ମଳଦ୍ଵାର ବାଟେ ବଳପୂର୍ବକ ଜଣେ ବ୍ୟକ୍ତିଙ୍କ ଶରୀରରେ ପୁରାଇ ଦିଆଯାଇଥିବା ଏକ ଷ୍ଟିଲ୍‌ ଗ୍ଲାସ୍‌କୁ ପେଟ ଚିରି ଖାଦ୍ୟନଳୀ କାଟି ଅସ୍ତ୍ରୋପଚାର ଜରିଆରେ ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଦଳ। ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା. ଚରଣ ପଣ୍ଡାଙ୍କ ପରାମର୍ଶକ୍ରମେ ଆସିଷ୍ଟାଣ୍ଟ ପ୍ରଫେସର ସଞ୍ଜିତ କୁମାର ନାୟକ, ଡା. ସୁବ୍ରତ ବରାଳ, ଡା. ପ୍ରତିଭା ଓ ଡା. ସତ୍ୟସ୍ବରୂପ ପଟ୍ଟନାୟକ ଏବଂ ଟିମ୍ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ଅସ୍ତ୍ରୋପଚାର କରିଥିଲେ। ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରାଯାଇ ପାରିଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ ବାଲିପଦର ଅଞ୍ଚଳର ଏହି ୪୫ ବର୍ଷୀୟ ବ୍ୟକ୍ତିଜଣକ ଏବେ ଏମ୍‌କେସିଜି ଇନ୍‌ଡୋରରେ ସମ୍ପୂର୍ଣ୍ଣ ଆରୋଗ୍ୟ ହେବାକୁ ଅପେକ୍ଷା କରିଛନ୍ତି।

ଏମ୍‌କେସିଜି ସୂତ୍ରରୁ ପ୍ରକାଶ ଯେ ଏହି ବ୍ୟକ୍ତିଜଣକ ସୁରଟରେ ରହି କାମ କରୁଛନ୍ତି। ପ୍ରାୟ ଦୁଇ ସପ୍ତାହ ତଳେ ଏକାଠି ମଦ୍ୟପାନ କରିବା ବେଳେ ତାଙ୍କ ସାଙ୍ଗମାନେ ନିଶାସକ୍ତ ଅବସ୍ଥାରେ ତାଙ୍କ ମଳଦ୍ଵାରରେ ବଳପୂର୍ବକ ଷ୍ଟିଲ୍‌ ଗ୍ଲାସ୍‌ ପୁରାଇ ଦେଇଥିଲେ। ପ୍ରଥମ ଦୁଇ ଦିନ ଅଳ୍ପ କଷ୍ଟ ହୋଇଥିଲା। ପରେ ସେ ବାଲିପଦର ଘରକୁ ଫେରିଥିଲେ ହେଁ ଲଜ୍ଜା ଓ ହତାଶବୋଧରେ କାହାକୁ କିଛି କହି ପାରି ନଥିଲେ। ହେଲେ ପେଟ ଫୁଲିଯିବା ସହ ଯନ୍ତ୍ରଣା ମଧ୍ୟ ବୃଦ୍ଧି ପାଇଥିଲା। ଅନ୍ୟ ଉପାୟ ନପାଇ ସେ ଅଗଷ୍ଟ ୧୯ ତାରିଖରେ ଏମ୍‌କେସିଜିକୁ ଚିକିତ୍ସା ପାଇଁ ଆସିଥିଲେ। ତାଙ୍କ ପ୍ରାଥମିକ ଯାଞ୍ଚ ବେଳକୁ ଡାକ୍ତରମାନେ ହତଚକିତ ହୋଇଯାଇଥିଲେ। ଏକ୍ସରେ ରିପୋର୍ଟରୁ ଷ୍ଟିଲ୍‌ ଗ୍ଲାସ୍‌ ତାଙ୍କ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ଚାଲି ଯାଇଥିବା ଜଣା ପଡିଥିଲା। ମଳଦ୍ଵାର ରାସ୍ତାରେ ଗ୍ଲାସ୍ ବାହାର କରିବାକୁ ଡାକ୍ତରମାନେ ଉଦ୍ୟମ କରିଥିଲେ ହେଁ ସଫଳ ହୋଇପାରି ନଥିଲେ। ବାଧ୍ୟ ହୋଇ ଅସ୍ତ୍ରୋପଚାର କରିଥିଲେ ଡାକ୍ତରୀ ଟିମ୍। ଶନିବାର ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ଅସ୍ତ୍ରୋପଚାର କରି ପେଟ ବାଟେ ଖାଦ୍ୟ ନଳୀ କଟାଯାଇ ଜଟିଳତା ସତ୍ତ୍ବେ ଷ୍ଟିଲ୍‌ ଗ୍ଲାସ୍ ବାହାର କରାଯାଇ ଥିଲା।

ଗୋଟିଏ ପଟେ ମଦ୍ୟପାନ ବେଳେ ନିଶାସକ୍ତ ଅବସ୍ଥାରେ ଏଭଳି ଜଘନ୍ୟ କାଣ୍ଡ ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ଆରପଟେ ଡାକ୍ତରୀ ଦଳଙ୍କ ତ୍ବରିତ ଚିକିତ୍ସା ଓ ସଫଳତାର ସହ ଏହି ଜଟିଳ ଅପରେସନ୍‌କୁ ସମ୍ପୂର୍ଣ୍ଣ କରାଯିବା ଫଳରେ ତାଙ୍କ ଜୀବନ ରକ୍ଷା ସମ୍ଭବପର ହୋଇପାରିଥିଲା। ୮ ଦିନ କାଳ ଷ୍ଟିଲ ଗ୍ଲାସ୍ ମଳଦ୍ଵାର ଓ ଶରୀର ଭିତରେ ରହିବା ପରେ ପେଟ ବାଟେ ଅପରେସନ୍ କରି ବାହାର କରାଯିବାର ଏହି ସଫଳତା ଏବେ ଏମ୍‌କେସିଜିର ଚିକିତ୍ସା ବ୍ୟବସ୍ଥାକୁ ପ୍ରଶଂସା ଆଣିଛି।