ହକି ବିଶ୍ଵକପ ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ | News Room Odisha

ହକି ବିଶ୍ଵକପ ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ

ଭୁବନେଶ୍ବର – ଆଗାମୀ ହକି ବିଶ୍ବକପ୍ ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଛି। ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ବକପକୁ ସଫଳ କରିବା ପାଇଁ ସମସ୍ତ ଉଦ୍ୟମ କରିବାକୁ ସବୁ ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ପରେ ପୁଣି ଥରେ ପୁରୁଷ ହକି ବିଶ୍ବକପ୍ ଆୟୋଜନ କରିବାକୁ ଯାଉଛି ଓଡ଼ିଶା । ବିଶ୍ବକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ୨୦୧୮ ଅପେକ୍ଷା ୨୦୨୩କୁ କିଭଳି ଅଧିକ ଆକର୍ଷଣୀୟ ଓ ସଫଳ କରାଯିବ ସେନେଇ ଗୁରୁତ୍ବ ଦେଇଛନ୍ତି ସରକାର ।

ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରିବାରେ ବେଞ୍ଚମାର୍କ ପ୍ରତିଷ୍ଠା କରିଛି ଓଡିଶା । ଆଗାମୀ ବିଶ୍ବକପରେ କେବଳ ଓଡ଼ିଶାର ଦକ୍ଷତା ନୁହେଁ, କଳା, ସଂସ୍କୃତି ଓ ଐତିହ୍ୟକୁ ମଧ୍ୟ କିପରି ପ୍ରଦର୍ଶନ କରାଯିବ ସେନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଭାଗ ଏକାଠି ହୋଇ ଖେଳାଳି ଓ ପ୍ରଶଂସକଙ୍କ ମନରେ ଅଭୁଲା ସ୍ମୃତି ଛାଡ଼ିବା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଛି । ରାଉରକେଲାରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଗାମୀ କିଛି ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବ। ଏହାକୁ ପ୍ରତ୍ୟକ୍ଷ ଭାବେ ନିରୀକ୍ଷଣ କରାଯାଉଛି। ସେହିପରି ରାଉରକେଲା ସହରର ଉନ୍ନତି, ସୌନ୍ଦର୍ଯ୍ୟକରଣ ଚାଲିଛି।

ଲୋକସେବା ଭବନରେ ସିଏମଓ ସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।