ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ପ୍ରଲମ୍ବାସୁର ବଦ୍ଧ ବେଶ, ବଡଭାଇ ବଳଭଦ୍ର ଭକ୍ତମାନଙ୍କୁ ଆଜି ଏହି ବେଶରେ ଦେବେ ଦର୍ଶନ | News Room Odisha

ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ପ୍ରଲମ୍ବାସୁର ବଦ୍ଧ ବେଶ, ବଡଭାଇ ବଳଭଦ୍ର ଭକ୍ତମାନଙ୍କୁ ଆଜି ଏହି ବେଶରେ ଦେବେ ଦର୍ଶନ

ଶ୍ରୀମନ୍ଦିରରେ ପାରମ୍ପରିକ ବିଧାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଠାରୁ ଚାଲିଛି ଶ୍ରୀକୃଷ୍ଣ ଲୀଳା। ପରମ୍ପରା ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରେ ଶ୍ରୀବଳଭଦ୍ରଙ୍କ ପ୍ରଲମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ। ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ମଧ୍ୟାହ୍ନଧୂପ ପରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ ।

ସନ୍ଧ୍ୟାଧୂପ ପରେ ଶ୍ରୀରାମକୃଷ୍ଣ ଆଜ୍ଞାମାଳ ପାଇ ପୂର୍ବଦିନ ଭଳି ନୀତି ଅନୁସାରେ ଜଗମୋହନରେ ଥିବା ଖଟଉପରେ ବିଜେକରିବେ । ସେଠାରେ ଦୋଳମଣ୍ଡପ ସାହି ଲୋକେ ପ୍ରଳମ୍ବାସୁର ବଧ ପ୍ରସ୍ତାବ ଅଭିନୟ କରିବେ । ଶ୍ରୀମଦ୍ ଭାଗବତ କଥା ଅନୁସାରେ ଅଗ୍ରଜ ବଳରାମଙ୍କ ଦ୍ୱାରା ପ୍ରଳମ୍ବାସୁରର ନିଧନ ହୋଇଥିଲା । ସେହି କଥାବସ୍ତୁ କୁ ଆଧାର କରି ସମ୍ପୃକ୍ତ ସେବକ ଅଭିନୟ ମାଧ୍ୟମରେ ପ୍ରଭୁଙ୍କ ନୀତି ସମ୍ପାଦନ କରିବେ।

ଉକ୍ତ ଦିନ ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସମାପ୍ତି ପରେ ଏହି ବେଶ ପ୍ରସ୍ତୁତି ଆରମ୍ଭ ହେବ।ବିଶେଷ କରି ବଡଭାଇ ବଳଭଦ୍ର ଏହି ବେଶରେ ସଜ୍ଜିତ ହେବେ। ପ୍ରଳମ୍ବାସୁର ବଧ ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିବେ। କେବଳ ଶ୍ରୀବଳଭଦ୍ର ଙ୍କୁ ପ୍ରଳମ୍ବାସୁର ବଦ୍ଧ ବେଶରେ ଭୂଷିତ କରାଯିବ।

ବଡ଼ଠାକୁରଙ୍କ ଦୁଇ ହସ୍ତରେ ହଳ , ମୁଷଳ ଶୋଭାପାଇବ। ପ୍ରାୟ ୪ ଫୁଟ ଉଚ୍ଚର ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନ ସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ବିଦ୍ୟମାନ ରହିବ। ଏହି ଅସୁର ସ୍କନ୍ଧରେ ଶ୍ରୀ ବଳଭଦ୍ର ଉପବେଶନ କରିବେ। ଏହି ଅସୁର ମୂର୍ତ୍ତି ଟି ପାରମ୍ପରିକ ବେତ , ଧଳା ଓ ନେଳି କନା , କଇଁଥ ଅଠାରେ କାରିଗର ମାନଙ୍କ ଦ୍ୱାରା ନିର୍ମିତ। ଏହା ଶ୍ରୀମନ୍ଦିର ର ପାରମ୍ପରିକ ଚିତ୍ରକାର ଓ ସୋଲ କାରିଗରମାନେ ହିଁ ପ୍ରସ୍ତୁତ କରିଥାନ୍ତି। ବେଶ ଶେଷ ପରେ ଚଳନ୍ତି ବିଗ୍ରହ ଆଜ୍ଞାମାଳ ପାଇ ନାଟ ମନ୍ଦିରରେ ନୀତି ସମ୍ପାଦନ କରିଥାନ୍ତି।

ସନ୍ଧ୍ୟାଧୂପ ପରେ ବେଶ ଓଲାଗି ହୋଇ ଅନ୍ୟାନ୍ୟ ଦୈନନ୍ଦିନ ନୀତି ବଢିଥାଏ।