ଖଲ୍ଲିକୋଟ ଘାଟିରେ କୋଇଲା ଚୋରା କାରବାର, ୭ ଜଣଙ୍କୁ କାବୁ କଲା ଏସଟିଏଫ୍ | News Room Odisha

ଖଲ୍ଲିକୋଟ ଘାଟିରେ କୋଇଲା ଚୋରା କାରବାର, ୭ ଜଣଙ୍କୁ କାବୁ କଲା ଏସଟିଏଫ୍

ଛତ୍ରପୁର: ସୁନିୟୋଜିତ ଢଙ୍ଗରେ ଚାଲିଥିଲା କୋଇଲା ଚୋରା କାରବାର। ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିଲେ ଜାତୀୟ ରାଜପଥ କଡ଼ରେ ଥିବା ଢାବା ମାଲିକ, ଅନ୍ତଃରାଜ୍ୟ ମାଲ୍ ପରିବହନ କରୁଥିବା ଟ୍ରକ୍ ଚାଳକ, ହେଲ୍‌ପର୍। ହେଲେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗତ କିଛି ଦିନ ହେଲା ଏହା ଉପରେ ନଜର ରଖିଥିଲା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନ ଘାଟିରେ ଏକ ଢାବାରେ ଚଢ଼ଉ କରି ୩ ଜଣ ଓଡ଼ିଆ ଓ ୪ ଜଣ ଅନ୍ୟ ରାଜ୍ୟର ଅଭିଯୁକ୍ତଙ୍କୁ କାବୁ କରିଛି। କୋଇଲା ଚୋରା କାରବାରର ପର୍ଦ୍ଦାଫାସ୍ କରିଛି। ଆଉ ଜବତ କରିଛି ୩ ମେଟ୍ରିକ୍ ଟନରୁ ଊର୍ଦ୍ଧ୍ବ ପରିମାଣର କୋଇଲା, ୨ଟି ଟ୍ରକ୍।

ଖଲ୍ଲିକୋଟ ଥାନା ପୋଲିସ ସୂଚନା ଅନୁଯାୟୀ କିଛି ଦିନ ହେଲା ଉକ୍ତ ଢାବା ପଛପଟେ ଲକ୍ଷାଧିକ ଟଙ୍କାର କୋଇଲା ଗଚ୍ଛିତ ରଖାଯାଇଥିବା ତଥ୍ୟ ମିଳିଥିଲା। ପ୍ରାଥମିକ ତଦନ୍ତରୁ ଜଣାଯାଇଥିଲା ଯେ କୋଇଲା ଚୋରା କାରବାରର ପେଣ୍ଠସ୍ଥଳ ପାଲଟିଥିଲା ଏହି ଢାବା। ଆମ ରାଜ୍ୟ ଅନୁଗୁଳ ଜିଲ୍ଲାର କୋଇଲା ଟ୍ରକମାନଙ୍କରେ ଲୋଡ୍ କରାଯାଇ ବିଶାଖାପାଟଣାକୁ ସଡ଼କ ପଥରେ ପଠାଯାଉଥିଲା। ହେଲେ ଢାବା ମାଲିକ କିଛି ଅସାଧୁ ଟ୍ରକ୍ ଚାଳକ ଓ ହେଲପରଙ୍କୁ ନିଜ ସାଥିରେ କରି କୋଇଲା ଚୋରାରେ ଗଚ୍ଛିତ ଓ ବିକ୍ରି କରୁଥିଲା। ରାଜପଥରେ ଯାଉଥିବା ଟ୍ରକ୍‌ମାନଙ୍କରୁ ଡ୍ରାଇଭରଙ୍କ ସହଯୋଗରେ କିଛି କିଛି କୋଇଲା ବାହାର କରି ଢାବା ପଛପଟେ ଜମା ରଖାଯିବା ସହ ପରେ ତାହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଏଥିରୁ ବେଶ୍ ଲାଭବାନ ହେଉଥିଲେ ଢାବା ମାଲିକ। ପ୍ରତି ବଦଳରେ ଡ୍ରାଇଭରଙ୍କୁ ଖାଦ୍ୟ, ମଦ୍ୟ ସହ ଆଉ କିଛି ଆର୍ଥିକ ସହଯୋଗ ମଧ୍ୟ କରୁଥିଲେ।

ଏହି ଚୋରା କାରବାର ନେଇ ସ୍ପଷ୍ଟ ହେବା ପରେ ଏସଟିଏଫ୍ ତରଫରୁ ଏକ ଯାଞ୍ଚ ଦଳ ଖଲ୍ଲିକୋଟ ପୋଲିସ ସହାୟତାରେ ଚଢ଼ଉ କରିଥିଲା। ଖଲ୍ଲିକୋଟ ଥାନାରେ ମାମଲା ୪୭୦/୨୨ ରୁଜୁ କରାଯାଇ ଢାବା ମାଲିକ ସହ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟର ୨ ଜଣ ଲେଖାଏଁ, ଗଞ୍ଜାମ ଜିଲ୍ଲାର ୨ ଜଣ ଓ କଟକର ଜଣେ ଅଭିଯୁକ୍ତଙ୍କୁ କାବୁ କରିଛି ଏସଟିଏଫ୍। ଏହି ବେଆଇନ କୋଇଲା କାରବାରରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ସେ ନେଇ ଅଧିକ ତଦନ୍ତ କରୁଛି ଏସ୍‌ଟିଏଫ୍।