ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳବାହିତ ରୋଗର ଭୟ, ସତର୍କ କରାଇଲେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳବାହିତ ରୋଗର ଭୟ, ସତର୍କ କରାଇଲେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର – ବନ୍ୟା ପରେ ରାଜ୍ୟର ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ଏବେ ଅନେକ ସ୍ଥାନରୁ ପାଣି ଛାଡୁଥିବାବେଳେ ବନ୍ୟା ପରେ ଜଳବାହିତ ରୋଗ ବ୍ୟାପିପାରେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ କରାଇଛନ୍ତି ।

ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ସଚେତନ ରହିଥିବାବେଳେ ଏବେ ୪୭ ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା ଚାଲିଥିବା ସେ ସୂଚନା ଦେଇଛନ୍ତି ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ବନ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି । ବର୍ତ୍ତମାନ ୩୦୦ରୁ ଅଧିକ ମେଡିକାଲ ରିଲିଫ ସେଣ୍ଟରରେ କାମ କରାଯାଉଛି । ୧୪୮ ମୋବାଇଲ ମେଡିକାଲ ଟିମ୍ ଗାଁ ଗାଁ ବୁଲି ଚିକିତ୍ସା ସେବା ଯୋଗାଉଛନ୍ତି । ଗୁରୁତର ରୋଗୀମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇ ଦିଆଯାଉଛି ।

ଲୋକମାନଙ୍କୁ ଜଳ ବିଶୋଧନ ପ୍ରକ୍ରିୟା ନେଇ ସଚେତନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୪ଟି ବନ୍ୟା ପ୍ରଭାବିତ ଅଞ୍ଚଳରୁ ୪୭ ହଜାର ୫୦୦ ରୋଗୀଙ୍କର ମୋବାଇଲ କ୍ୟାମ୍ପ ଟିମ୍ ଦ୍ଵାରା ଚିକିତ୍ସା କରାଯାଉଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ବନ୍ୟା ପରେ ସାଧାରଣ ଜଳବାହିତ ରୋଗ ବଢିପାରେ । ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ସଚେତନ ରହିଛି । ପାଣିକୁ ଭଲ ଭାବରେ ଫୁଟାଇବା, ହାଲୋଜିନ ଔଷଧ ପକାଇକି ପିଇବା ଆବଶ୍ୟକ । ଖାଦ୍ୟରେ ମାଛି ଯେଭଳି ନ ବସିବେ, ବାସିଖାଦ୍ୟ ନ ଖାଇବା ନେଇ ସଚେତନ ରହିବା ଆବଶ୍ୟକ। ସାପ କାମୁଡ଼ାରେ ୮୨ ଜଣଙ୍କ ରିପୋର୍ଟ ଆସିଛି । ସମସ୍ତ ବ୍ଲକରେ ସ୍ବାସ୍ଥ୍ୟକର୍ମୀଙ୍କୁ ରଖାଯାଇଥିଲା । ସଫଳ ଭାବରେ ଚିକିତ୍ସା ଯୋଗାଇଛି । ସାପ କାମୁଡ଼ାରେ କାହାରି ବି ମୃତ୍ୟୁ ଘଟିନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।