ଗଞ୍ଜାମ ଜିଲ୍ଲାସ୍ତରୀୟ ୨ ଦିନିଆ ପେନ୍‌ସନ୍‌ ଅଦାଲତ | News Room Odisha

ଗଞ୍ଜାମ ଜିଲ୍ଲାସ୍ତରୀୟ ୨ ଦିନିଆ ପେନ୍‌ସନ୍‌ ଅଦାଲତ

ଛତ୍ରପୁର: ଏବେ ବି ଅନେକ ସରକାରୀ କର୍ମଚାରୀ ଏଭଳି ରହିଛନ୍ତି ଯେଉଁମାନେ ସକ୍ରିୟ ସରକାରୀ କାର୍ଯ୍ୟକ୍ଷେତ୍ରରୁ ଅବସର ନେଇସାରିଲେଣି। ହେଲେ ଅବସରକାଳୀନ ପ୍ରାପ୍ୟ ପାଇପାରୁ ନାହାନ୍ତି। ବିଭିନ୍ନ କାରଣରୁ ଅବସର ପରବର୍ତ୍ତୀ ଜୀବନରେ ସେମାନଙ୍କ ପରିବାର ପ୍ରତିପୋଷଣ ତଥା ସୁସ୍ଥ ଓ ସ୍ୱଚ୍ଛନ୍ଦରେ ଜୀବନଯାପନ ପାଇଁ ନିହାତି ଆବଶ୍ୟକ ପେନସନ୍ ଟିକକରୁ ବଞ୍ଚିତ ରହିଛନ୍ତି। କେଉଁଠି ଉକ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଭୁଲ ରହୁଛି ତ କେଉଁଠି ପେନ୍‌ସନ୍ ମଞ୍ଜୁରକର୍ତ୍ତାଙ୍କ ତ୍ରୁଟି ରହି ଯାଉଛି। ଫଳରେ ପେନ୍‌ସନ୍ ମିଳିବାରେ ଅହେତୁକ ବିଳମ୍ବ ଘଟୁଛି। ତେବେ ଏହାର ସମାଧାନ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତପରତାର ସହ ଆଗେଇ ଆସିଛି। ଓଡ଼ିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ତଥା ଆକାଉଣ୍ଟାଣ୍ଟ୍‌ ଜେନେରାଲ)ଙ୍କ ସହଯୋଗରେ ଗଞ୍ଜାମ ଜିଲ୍ଲାସ୍ତରୀୟ ପେନ୍‌ସନ୍ ଅଦାଲତ ଗୁରୁବାର ଓ ଶୁକ୍ରବାର ଅନୁଷ୍ଠିତ ହେଉଛି।

ଗୁରୁବାର ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏହି ଅଦାଲତକୁ ଉଦ୍‌ଘାଟନ କରିଥିଲେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ବରିଷ୍ଠ ଉପ- ମହାଲେଖାକାର ଶ୍ରୀରାଜ ଅଶୋକ, ଅତିରିକ୍ତ ଜିଲ୍ଲାପାଳ ଲୀନା ଖେସ, ଉପ- ମହାଲେଖାକାର (ପେନ୍‌ସନ୍) ଏସ୍.ଅରୁଣା ମଞ୍ଚାସୀନ ଥିଲେ। ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ କର୍ମଚାରୀମାନଙ୍କ ଅବସରକାଳୀନ ପ୍ରାପ୍ୟ ସେମାନଙ୍କ ନିକଟରେ ପହଞ୍ଚାଇବାକୁ ପଦକ୍ଷେପ ନେଇଥିବାରୁ ଜିଲ୍ଲାପାଳ ପରିଡ଼ା ପ୍ରଶଂସା କରିଥିଲେ। କର୍ମଚାରୀମାନେ ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ପାଇଁ ବାରମ୍ବାର ଭୁବନେଶ୍ୱର ବିଭାଗୀୟ ମୁଖ୍ୟ ଦପ୍ତରରକୁ ଦୌଡ଼ିବାକୁ ପଡ଼ିବ ନାହିଁ ବୋଲି କହିଥିଲେ ସେ।

ବରିଷ୍ଠ ଉପ- ମହାଲେଖାକାର ଶ୍ରୀରାଜ ଅଶୋକ କହିଥିଲେ କି ପେନ୍‌ସନ୍‌ ମଞ୍ଜୁରକର୍ତ୍ତାଙ୍କ ଦ୍ବାରା ଠିକ୍ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଏଥିସମ୍ବନ୍ଧୀୟ କାଗଜପତ୍ର ଏ.ଜି କାର୍ଯ୍ୟାଳୟକୁ ପଠାଯାଉ ନଥିବାରୁ ପ୍ରକ୍ରିୟା ବିଳମ୍ବିତ ହେଉଛି। ଗଞ୍ଜାମ ଜିଲ୍ଲାର ପ୍ରାୟ ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌ କାଗଜପତ୍ର ଏଜି କାର୍ଯ୍ୟାଳୟରେ ପହଞ୍ଚି ନଥିବାରୁ ସେମାନେ ପ୍ରାପ୍ୟ ପାଇବା ଅପେକ୍ଷାରେ ଅଛନ୍ତି। ସେମାନଙ୍କ ପେନ୍‌ସନ୍ କାଗଜପତ୍ର ଯଦି ଏହି ଅଦାଲତରେ ଉପସ୍ଥାପିତ କରାଯାଇ ପାରିବ ସେମାନଙ୍କୁ ସାତ ଦିନ ମଧ୍ୟରେ ଅବସରକାଳୀନ ପ୍ରାପ୍ୟ ଏ.ଜି କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇ ପାରିବ ବୋଲି ସୂଚନା ଦିଆଯାଇ ଥିଲା। ନିଜ ଜିଲ୍ଲା ସଦର ମହକୁମାରେ ଦୀର୍ଘ ଦିନ ଧରି ବକେୟା ରହିଥିବା ପେନ୍‌ସନ୍ ପ୍ରସଙ୍ଗକୁ ସମାଧାନ କରିବାକୁ ଏହା ଏକ ଉତ୍ତମ ସୁଯୋଗ ହୋଇଛି। ପ୍ରକାଶ ଥାଉକି ପ୍ରଥମ ଦିନ ତ୍ବରିତ ଅଭିଯୋଗ ଶୁଣାଣି କରି ଜିଲ୍ଲାପାଳ, ବରିଷ୍ଠ ଉପ- ମହାଲେଖାକାର, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ୮ ଜଣ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ମଞ୍ଜୁରୀ ଆଦେଶ ପ୍ରଦାନ କରିଥିଲେ। ବେଶ୍ ଅପେକ୍ଷା ପରେ ପେନ୍‌ସନ୍‌ ପାଇପାରିଥିବା ଏହି କର୍ମଚାରୀଙ୍କ ମୁହଁରେ ହସ ଫୁଟି ଉଠିଥିଲା।

ଏହି ଅବସରରେ ଅନ୍‌ଲାଇନ୍‌ ମାଧ୍ୟମରେ କିପରି ଏଥିସମ୍ବନ୍ଧୀୟ କାଗଜପତ୍ର ଏ.ଜି କାର୍ଯ୍ୟାଳୟକୁ ପଠାଯାଇପାରିବ ତାହା ଉପରେ ଜିଲ୍ଲାର ୨୨ଟି ବ‌୍ଲକରୁ ୩୫୦ ଜଣ ଡିଡିଓଙ୍କୁ ପ୍ରଶିକ୍ଷଣ ଦିଆଯାଇ ଥିଲା। ଏହାଦ୍ୱାରା ଆଗାମୀ ଦିନରେ ଅବସରପ୍ରାପ୍ତ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ପେନ୍‌ସନ୍‌ ପାଇବାରେ ସମସ୍ୟା ହ୍ରାସ ପାଇବା ସହ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବା ଆଶା କରାଯାଉଛି।