ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ୍ ଉଦୟ ଉମେଶ ଲଲିତ | News Room Odisha

ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ୍ ଉଦୟ ଉମେଶ ଲଲିତ

ନୂଆଦିଲ୍ଲୀ: ଜଷ୍ଟିସ୍ ଉଦୟ ଉମେଶ ଲଲିତ ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ଦାୟିତ୍ବ ଗ୍ରହଣ କରିବେ। ସେ ଜଷ୍ଟିସ ଏନଭି ରମନ୍ନାଙ୍କ ସ୍ଥାନ ନେବେ । ଜଷ୍ଟିସ ଏନଭି ରମନ୍ନା ଶୁକ୍ରବାର ଅବସର ନେଇଥିଲେ । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ୟୁୟୁ ଲଲିତଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନ ହେବ । ସେ ନଭେମ୍ବର ୮ରେ ଅବସର ନେବେ । ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ୍ ୟୁୟୁ ଲଲିତ ମୁସଲମାନମାନଙ୍କ ମଧ୍ୟରେ ‘ଟ୍ରିପଲ୍ ତଲାକ୍’ ପ୍ରଥା ନିଷିଦ୍ଧ କରିବା ସହିତ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି । ଓକିଲରୁ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟର ବେଞ୍ଚକୁ ପଦୋନ୍ନତି ପାଇବାରେ ଜଷ୍ଟିସ୍ ୟୁୟୁ ଲଳିତ ଦ୍ବିତୀୟ ପ୍ରଧାନ ବିଚାରପତି ହେବେ । ତାଙ୍କ ପୂର୍ବରୁ ଜଷ୍ଟିସ୍ ଏସ୍ଏସ୍ ସିକ୍ରି ପ୍ରଥମ ଓକିଲ ଭାବେ ମାର୍ଚ୍ଚ ୧୯୬୪ ରେ ବାରରୁ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟ ଖଣ୍ଡପୀଠକୁ ପଦୋନ୍ନତି ପାଇଥିଲେ । ଜାନୁଆରୀ ୧୯୭୧ରେ ସେ ୧୩ତମ ପ୍ରଧାନ ବିଚାରପତି ହୋଇଥିଲେ |

ଜଷ୍ଟିସ ଲଲିତ ଅଗଷ୍ଟ ୨୭ରେ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ଜଷ୍ଟିସ ଲଲିତଙ୍କୁ ୧୩ ଅଗଷ୍ଟ ୨୦୧୪ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା | ସେ ସେତେବେଳେ ଜଣେ ଜଣାଶୁଣା ଓକିଲ ଥିଲେ। ଏହା ପରେ ଜଷ୍ଟିସ୍ ଲଲିତ ସର୍ବୋଚ୍ଚ ନ୍ୟାୟାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିବା ଖଣ୍ଡପୀଠର ଅଂଶବିଶେଷ ହୋଇଆସିଛନ୍ତି। ଅଗଷ୍ଟ ୨୦୧୭ ରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୩-୨ ସଂଖ୍ୟାଗରିଷ୍ଠତା ଆଧାରରେ ‘ଟ୍ରିପଲ୍ ତଲାକ୍’ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ସେହି ତିନି ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍ ଲଲିତ ମଧ୍ୟ ଥିଲେ।