ଏସଆଇ ସ୍ୱାଗତିକା ମୃତ୍ୟୁ ମାମଲା : ଆଇଆଇସିଙ୍କୁ ଦାୟୀ କଲେ ମାଆ | News Room Odisha

ଏସଆଇ ସ୍ୱାଗତିକା ମୃତ୍ୟୁ ମାମଲା : ଆଇଆଇସିଙ୍କୁ ଦାୟୀ କଲେ ମାଆ

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଆଦର୍ଶ ଥାନାର ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ମାମଲାରେ ଆଇଆଇସି ରେବତୀ ଶବରଙ୍କ ନାଁରେ ଏତଲା । ସ୍ୱାଗତିକାଙ୍କ ମାଆ ଉଷାରାଣୀ ବେହେରା ରେବତୀଙ୍କ ନାଁରେ ଏତଲା ଦେଇଛନ୍ତି। ଜି. ଉଦୟଗିରି ଏସଡିପିଓଙ୍କୁ ଉଷାରାଣୀ ଏହି ଏତଲା ଦେଇଥିବା ଜଣାଯାଇଛି।

ଏତଲାରେ ଆଇଆଇସି ରେବତୀ ଶବର ତାଙ୍କ ଝିଅକୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ମାଆ ଅଭିଯୋଗ କରିଛନ୍ତି । ଆଇଆଇସି ରେବତୀ ଶବର ସବୁବେଳେ ସ୍ୱାଗତିକାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ସ୍ୱାଗତିକା ଯେତେବେଳେ ବି ଘରକୁ ଫୋନ୍ କରୁଥିଲେ ସବୁବେଳେ ଆଇଆଇସିଙ୍କ ଅତ୍ୟାଚାର କଥା କହୁଥିଲେ। ଆଇଆଇସିଙ୍କ ନିର୍ଯାତନା ସହି ହେଉ ନଥିବାରୁ ସ୍ୱାଗତିକା ଚାକିରି ଛାଡ଼ି ଦେବେ ବୋଲି ମଧ୍ୟ କହୁଥିଲେ ବୋଲି ତାଙ୍କ ମାଆ କହିଛନ୍ତି।
କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଆଦର୍ଶ ଥାନାରେ ପ୍ରଥମ ପୋଷ୍ଟିଂ ପାଇ ନୂଆକରି ଜଏନ୍ କରିଥିବା ମହିଳା ଏସ୍ଆଇ ସ୍ବାଗତିକା ବେହେରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ସ୍ୱାଗତିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।