କେନ୍ଦ୍ର ଟଙ୍କା ଦେଇନଥିବାରୁ ମଧ୍ୟାହ୍ନ ଭୋଜନ ବାବଦ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର | News Room Odisha

କେନ୍ଦ୍ର ଟଙ୍କା ଦେଇନଥିବାରୁ ମଧ୍ୟାହ୍ନ ଭୋଜନ ବାବଦ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର – ରାଜ୍ୟରେ ଦୂର ହେବ ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ନେଇ ଥିବା ସମସ୍ୟା। ଏପ୍ରିଲ ମାସରୁ ବକେୟା ଥିବା ଅର୍ଥ ଆଜି ବିଭିନ୍ନ ଆକାଉଣ୍ଟକୁ ଯିବ। ୫ ମାସ ହେଲା ଶିକ୍ଷକମାନଙ୍କୁ ମିଳି ନଥିବା ଟଙ୍କା ଆଜି ଭରଣା ହେବ। ମଧ୍ୟାହ୍ନ ଭୋଜନ ବାବଦକୁ ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବେ। କେନ୍ଦ୍ର ସରକାର ଏ ବାବଦକୁ ଅର୍ଥ ଦେଉ ନ ଥିବାରୁ ପ୍ରଥମ ତିନିମାସର ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମଧ୍ୟ ସରକାରୀ ସ୍ତରରେ ସମସ୍ତ ପ୍ରକ୍ରିୟା ସରିଥିବା ବେଳେ ଆଜି ବିଭିନ୍ନ ଆକାଉଣ୍ଟକୁ ବାକିଥିବା ଅର୍ଥ ଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ(ପିଏମ୍‍ ପୋଷଣ) ବାବଦ ଅର୍ଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦-୪୦ ଅନୁଦାନ ଅନୁପାତରେ ପରିଚାଳିତ ହେଉଛି। ପ୍ରାଥମିକ ସ୍ତରରେ ୫ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ସ୍ତରରେ ୮ଟଙ୍କା ୧୦ ପଇସା ପିଲାଙ୍କ ପିଛା ଅର୍ଥ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯୋଗାଇବାର ବ୍ୟବସ୍ଥା ରହିଛି। ଏମଡିଏମ ବାବଦକୁ ଚାଉଳ କେନ୍ଦ୍ର ସରକାର ଯୋଗାଇ ଦିଅନ୍ତି। ମାତ୍ର ଏପ୍ରିଲ ମାସରୁ ଦୀର୍ଘ ୫ ମାସ ହେଲା ବାକିରେ ଚାଲିଛି ମଧ୍ୟାହ୍ନ ଭୋଜନ ଯୋଜନା ଚାଲିଛି। ଚଳିତ ଆର୍ଥିକ ବର୍ଷରୁ ଶିକ୍ଷକମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଟଙ୍କାଟିଏ ଦିଆଯାଇନି। ଶିକ୍ଷକମାନେ ନିଜ ପକେଟ୍‍ରୁ ଏବାବଦ ଅର୍ଥ ଭରଣା କରୁଛନ୍ତି। ତେବେ ପିଏଫଏମଏସ୍‍(ପବ୍ଲିକ ଫାଇନାନ୍ସ ମେନେଜମେଣ୍ଟ ସିଷ୍ଟମ) ଭଳି ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା ପାଇଁ ଏହି ସମସ୍ୟା ସୃଷ୍ଟି ହେଉଥିବା କେନ୍ଦ୍ର ସରକାର ଦର୍ଶାଉଥିବାବେଳେ ପ୍ରାୟ ୩ ମାସ ହେଲା ରାଜ୍ୟ ସରକାର ଏନେଇ ସମସ୍ତ ପ୍ରକ୍ରିୟା ଶେଷ କରିଛନ୍ତି। ପିଏଫଏମଏସ୍‍ ପାଇଁ ସମସ୍ତ ପ୍ରକ୍ରିୟା ସରିଥିଲେ ମଧ୍ୟ ଏମଡିଏମ ବାବଦ ଅର୍ଥ ଟଙ୍କାଟିଏ କେନ୍ଦ୍ରରୁ ଆସିନି। କେନ୍ଦ୍ର ସରକାର ପିଏଫଏମଏସ୍‍ ଆଳରେ ତାରିଖ ପରେ ତାରିଖ ଘୁଞ୍ଚାଇ ଚାଲୁଛନ୍ତି। ତେଣୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ବାବଦ ଅର୍ଥ ରାଜ୍ୟ ସରକାର ବହନ କରିବେ।