ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ହୋଇଯାଇଛି ଋଷିପଞ୍ଚମୀ ନୀତି। ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି ମଧ୍ୟ କୁହାଯାଏ। ଏହି ବ୍ରତ ସ୍ୱୟଂ ମା ଶ୍ରୀଦେବୀ ( ଲକ୍ଷ୍ମୀ ) ପାଳନ କରିଥାନ୍ତି।
ଏହି ଦିନ ସକାଳଧୂପ ବଢ଼ିବା ପରେ ପୂଜାପଣ୍ଡା ଆଜ୍ଞାମାଳ ଦେବାପରେ ମହାଜନ ସେବକ ଶ୍ରୀଦେବୀଙ୍କୁ ସିଂହାସନରୁ ଆଣି ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେକରାଇଥିଲେ। ତତ୍ପରେ ଶ୍ରୀଦେବୀ ମାର୍କଣ୍ଡେୟ ମହାଦେବ ମନ୍ଦିରକୁ ବିଜେ କରିଥିଲେ। ସେଠାରେ ଶ୍ରୀଦେବୀଙ୍କ ମାଜଣା କରାଯିବା ପରେ ପୂଜାପଣ୍ଡା ବରୁଣ ପୂଜା ଆଦି କରି ସପ୍ତ ଋଷିଙ୍କୁ ନୈବେଦ୍ୟ ସମର୍ପଣ କରିଥିଲେ।
ଏହାପରେ ପୂଜାପଣ୍ଡା ଋଷିପଞ୍ଚମୀ ବ୍ରତକଥା ପଠନ କରିଥିଲେ। ବ୍ରତକଥା ଶେଷ ହେବାପରେ ବନ୍ଦାପନା ହୋଇ ଶ୍ରୀଦେବୀ ଶ୍ରୀମନ୍ଦିର କୁ ବାହୁଡା ବିଜେ କରିଥିଲେ। ଏହାପରେ ମଧ୍ୟାହ୍ନ ଧୂପ ବଢିଥିଲା। ଏହି ବ୍ରତରେ ଋଷି ମାନଙ୍କୁ କ୍ଷୀର , କଦଳୀ ଓ ଫଳ ଭୋଗ ହୋଇଥାଏ।
ବିଶେଷ କରି ଏହି ଋଷି ପଞ୍ଚମୀ ବ୍ରତ ମହିଳା ମାନେ ପାଳନ କରିଥାନ୍ତି। ବିଶ୍ୱାସ ରହିଛି ଯେ ଏହି ବ୍ରତ କରିବା ଦ୍ୱାରା ରଜସ୍ୱଳା ଦୋଷରୁ ସେମାନଙ୍କୁ ମୁକ୍ତି ମିଳିଥାଏ। ଏଥିପାଇଁ ସପ୍ତ ଋଷି ଙ୍କୁ ଆରାଧନା କରାଯାଇଛି। ସପ୍ତଋଷିଙ୍କ ବିଷୟ ରେ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ ଅବତାରରେ ଉଲ୍ଲେଖ ମିଳେ।
ଏହି ସପ୍ତଋଷି ହେଉଛନ୍ତି କଶ୍ୟପ, ଭରଦ୍ୱାଜ, ବିଶ୍ଵାମିତ୍ର, ଗୌତମ, ଯମଦଗ୍ନି, ବଶିଷ୍ଠ ଓ ଅତ୍ରି।
ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଦେଇଥାନ୍ତି ତେବେ ସେଥିରୁ ମୁକ୍ତି ହେବା ପାଇଁ ନିର୍ଦ୍ଧିଷ୍ଟ ସପ୍ତ ଋଷି ଙ୍କୁ ପୂଜାର୍ଚ୍ଚନା କରାଯିବାର ବିଧାନ ରହିଛି।