କଞ୍ଚାଲଙ୍କାର ଓ୍ବେବ୍ ସିରିଜ୍ 'ଓଖା ଏକ୍ସପ୍ରେସ'ରେ ଅଶ୍ଲୀଳ ଭାଷା ପ୍ରୟୋଗକୁ ବିରୋଧ: ପ୍ରିମିୟର୍ ବର୍ଜନ କଲେ ବ୍ରହ୍ମପୁର ମେୟର ଓ ଅନ୍ୟ ଅତିଥି | News Room Odisha

କଞ୍ଚାଲଙ୍କାର ଓ୍ବେବ୍ ସିରିଜ୍ ‘ଓଖା ଏକ୍ସପ୍ରେସ’ରେ ଅଶ୍ଲୀଳ ଭାଷା ପ୍ରୟୋଗକୁ ବିରୋଧ: ପ୍ରିମିୟର୍ ବର୍ଜନ କଲେ ବ୍ରହ୍ମପୁର ମେୟର ଓ ଅନ୍ୟ ଅତିଥି

ବ୍ରହ୍ମପୁର: କଞ୍ଚାଲଙ୍କା ନାମକ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଥିବା ‘ଓଖା ଏକ୍ସପ୍ରେସ୍‌: ଗଞ୍ଜାମରୁ ସୁରଟ’ ନାମକ ଓ୍ବେବ୍ ସିରିଜକୁ ବିରୋଧ। ଏହାର ପ୍ରିମିୟର୍ ସୋ’କୁ ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ବିଶିଷ୍ଟ ଉଦଘୋଷକ ହୃଷିକେଶ ପାଣିଗ୍ରାହୀ ସମ୍ମାନିତ ଅତିଥି ଥିଲେ। ତେବେ ସିରିଜର ପ୍ରମୋ ପ୍ରଦର୍ଶନ ବେଳେ ଏଥିରେ ବ୍ୟାପକ ଅଶ୍ଲୀଳ ଭାଷାର ବ୍ୟବହାର ମେୟର୍ ଓ ଅନ୍ୟ ଅତିଥିଙ୍କୁ ବ୍ୟଥିତ କରିଥିଲା। ବ୍ରହ୍ମପୁରର ପ୍ରଥମ ନାଗରିକଙ୍କ ଉପସ୍ଥିତିରେ ଏଭଳି ଅଶ୍ଲୀଳତାକୁ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି ଓ ସାମ୍ବାଦିକ ପ୍ରତିବାଦ କରିଥିଲେ। ମହିଳା ମେୟରଙ୍କୁ ଅତିଥି ଭାବରେ ଡାକି ତାଙ୍କ ସମ୍ମୁଖରେ ଏଭଳି ଅଶ୍ଲୀଳ ଭାଷା ସମ୍ବଳିତ ପ୍ରମୋ ପ୍ରଦର୍ଶନର ପ୍ରତିବାଦ କରି ପ୍ରିମିୟର୍ ସୋ’ ବର୍ଜନ କରିଥିଲେ। ଗଞ୍ଜାମୀ ଭାଷା ନାମରେ କେବଳ ଅଶ୍ଲୀଳ ଭାଷା ପ୍ରୟୋଗକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ କ୍ଷୋଭ ପ୍ରକଟ କରାଯାଇଥିଲା। ସୋ’କୁ ଅତିଥିମାନେ ବର୍ଜନ କରି ଉକ୍ତ ସ୍ଥାନ ପରିତ୍ୟାଗ କରି ବାହାରି ଯାଇଥିଲେ। ତେବେ ପ୍ରିମିୟର୍ ନିମନ୍ତେ ଏଡିଟିଂ ହୋଇଥିବା ପ୍ରମୋ ସୋ’ ବଦଳରେ ଭୁଲରେ ଆଉ ଏକ କଟ୍‌ ପ୍ରଦର୍ଶିତ ହୋଇଯାଇଥିବା କଞ୍ଚାଲଙ୍କାର କର୍ମକର୍ତ୍ତାମାନେ ସଫେଇ ଦେଇଛନ୍ତି। ଏହି ଘଟଣା ବେଳେ ସେଠାରେ କଞ୍ଚାଲଙ୍କାର ସହ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଅକ୍ଷୟ କୁମାର ପରିଜା, ବିଭୂପ୍ରସାଦ ରଥ, ଓଖା ଏକ୍ସପ୍ରେସ୍‌ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କ ସମେତ କିଛି କଳାକାର ଉପସ୍ଥିତ ଥିଲେ।