ଆସୁଛି ଲଘୁଚାପ, ପୁଣି ବର୍ଷାରେ ଭିଜିବ ରାଜ୍ୟ | News Room Odisha

ଆସୁଛି ଲଘୁଚାପ, ପୁଣି ବର୍ଷାରେ ଭିଜିବ ରାଜ୍ୟ

ଭୁବନେଶ୍ବର – ପୁଣି ବର୍ଷାରେ ଭିଜିବ ରାଜ୍ୟ । ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଏହି ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ୫ ଦିନ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ଆଶଙ୍କା ଥିବା ବେଳେ ୮ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ପାଇବ । ୯ ତାରିଖରେ ଅଧା ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଲଘୁଚାପ ଆସୁଥିବାରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।