ଅନନ୍ତ ଚତୁର୍ଦ୍ଦଶୀ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ମହାମୁନୀ କଶ୍ୟପ ଓ ଦକ୍ଷ –ପୁତ୍ରୀ କଦ୍ରୂଙ୍କଠାରୁ ଜନ୍ମିତ ଅନନ୍ତଙ୍କୁ ପୁରାଣ ମାନଙ୍କରେ ଶେଷ, ବାସୁକୀ ଓ ଶୋନସ ନାମରେ ସ୍ତୁତି କରାଯାଇଛି । ହରିବଂଶ ପୁରାଣ ମତରେ ଜନ୍ମ ପରେ ଅନନ୍ତଦେବ ମାତାଙ୍କୁ ପରିତ୍ୟାଗ କରି ବାୟୁଭକ୍ଷ ବ୍ରତ ଅବଲମ୍ବନ କଲେ । ଜିତେନ୍ଦ୍ରିୟ ରୂପେ ଅନନ୍ତ ଅନେକ ତୀର୍ଥ ଭ୍ରମଣ ପୂର୍ବକ କଠୋର ତପସ୍ୟା କରିଥିଲେ । ଉଗ୍ର ତପସ୍ୟାରେ ପ୍ରୀତ ହୋଇ ପିତାମହ ବ୍ରହ୍ମା ତାଙ୍କୁ ଅଭୟ ଆଶିର୍ବାଦ ପ୍ରଦାନ କରିବା ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂମଣ୍ଡଳକୁ ସ୍ଥିର କରିବା ପାଇଁ ଆଦେଶ ଦେଇଥିଲେ । ସେବେଠାରୁ ଦେବକାର୍ଯ୍ୟ ପାଇଁ ଅନନ୍ତ ନିଜ ମସ୍ତକରେ ଭୂମଣ୍ଡଳକୁ ଧାରଣ କରିଛନ୍ତି । ଯେତେବେଳେ ଅନନ୍ତ ନିଜ ଶିର ଚାଳନ କରନ୍ତି ସେ ସମୟରେ ଭୂମିକମ୍ପ ଆଦି ପିତ୍ପାତ ଘଟେ ବୋଲି ବିଶ୍ୱାସ କରାଯାଏ । ଏହି ଅନନ୍ତଙ୍କୁ କୁଣ୍ଡଳି ଶଯ୍ୟାକରି କ୍ଷୀର ସାଗରରେ ଶ୍ରୀହରି ଯୋଗନିଦ୍ରା ରତ ଥିବା ସର୍ବତ୍ର ବର୍ଣ୍ଣନା କରାଯାଇଛି । ତ୍ରେତୟା ଯୁଗରେ ସୁମିତ୍ରା ନନ୍ଦନ ଲକ୍ଷ୍ମଣଙ୍କୁ ଶେଷନାଗଙ୍କ ଅବତାର ଭାବେ କୁହାଯାଇଥିବା ବେଳେ ଦ୍ୱାପରରେ ବଳଭଦ୍ର ବଳରାମ ଅନନ୍ତ ନାମରେ ପରିଚିତ ।
ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ହେଉଛି ଅନନ୍ତ ଦେବଙ୍କ ବ୍ରତ ତିଥି । ସୁଖ ସୌହାର୍ଦ୍ଦ କାମନାକରି ଅନନ୍ତ ଚତୁର୍ଦ୍ଦଶୀ ତିଥିରେ ଉଭୟ ପୁରୁଷ ଓ ମହିଳାମାନେ ଏହି ଅନନ୍ତବ୍ରତ ପାଳନ କରନ୍ତି । ଥରେ ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠାର ସହିତ ଏହି ବ୍ରତ ପାଳନ କରାଯାଏ ବୋଲି ବ୍ରତ ପାଳନ କାରୀମାନେ ମତ ଦିଅନ୍ତି । ଏହିଦିନ ପ୍ରତ୍ୟୁଷରୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରାଯାଏ । ଅନନ୍ତ ଦେବଙ୍କ ପ୍ରତିମା ଚତୁର୍ଭୁଜ ବିଶିଷ୍ଟ ହେବା ଆବଶ୍ୟକ । ତାଙ୍କର ଶରୀର ଓ ବସ୍ତ୍ର ଶୁକ୍ଳବର୍ଣ୍ଣ । ନାନା ରତ୍ନାଳଙ୍କାର ସହିତ ଚାରିଭୁଜରେ ଶଙ୍ଖ ଚକ୍ର ଗଦା ଓ ପଦ୍ମ ଆଦି ଆୟୁଧ ମାନ ସେ ଧାରଣ କରିଥାନ୍ତି । ବ୍ରତ ପାଳନ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ସ୍ନାନ ଓ ଦୌତବସ୍ତ୍ର ପରିଧାନାନ୍ତେ ଗୋଟିଏ ପଦ୍ମ ମଣ୍ଡଳ ବା ଭଦ୍ର ମଣ୍ଡଳରେ ଶାଳଗ୍ରାମ ବା ଧାତୁ ପ୍ରତିମାଙ୍କୁ ରଖି ବିବିଧ ଉପଚାରରେ ପୂଜା କରାଯାଏ । ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରାଯାଇଥାଏ । ପୁରୁଣାବ୍ରତକୁ ଫିଟାଇ କଞ୍ଚା କ୍ଷୀରରେ ପକାଇ ବିସର୍ଜନ କରିବା ପରେ ନୂଆ ବ୍ରତକୁ ଧାରଣ କରାଯାଏ । ପୁରୁଷମାନେ ଦକ୍ଷିଣ ହସ୍ତ ବାହୁମୂଳ ଓ ସ୍ତ୍ରୀ ଲୋକମାନେ ବାମହସ୍ତ ବାହୁମୂଳରେ ଏହି ବ୍ରତକୁ ଧାରଣ କରି ବ୍ରତଧାରୀ ମାନେ କୁଶାଗ୍ରରେ ଚନ୍ଦନଦ୍ୱାରା ସର୍ପାକୃତି ଅନନ୍ତଙ୍କ ପ୍ରତିମା ନିର୍ମାଣ କରି ଏହା ଧୋଇ ସେହି ଉଦକ ପାନ କରନ୍ତି । ଏହି ବ୍ରତ ଅତୀବ ପୁଣ୍ୟପ୍ରଦ ଅଟେ । ପାପାଚରଣ ନକରି ଧାର୍ମିକ ଜୀବନ ଚର୍ଯ୍ୟା ପାଇଁ ମଧ୍ୟ ଏହି ଅନନ୍ତବ୍ରତରୁ ଉପଦେଶ ମିଳେ ।
ଭବିଷ୍ୟ ପୁରାଣରେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ସମ୍ବାଦ ରେ ଏହି ବ୍ରତର ମାହାତ୍ମ୍ୟ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି ।ଚତୁବର୍ଗ ଫଳଲାଭ ପାଇଁ କିକି ବ୍ରତ ପାଳନୀୟ ବୋଲି ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ଏହି ଅନନ୍ତବ୍ରତ ପାଳିବାକୁ ତାଙ୍କୁଉପଦେଶ ଦେଇ ଥିଲେ ।
ବ୍ରତ ଅନୁଯାୟୀ ସତ୍ୟଯୁଗରେ ବିଶିଷ୍ଟ ଗୋତ୍ରରେ ସିମନ୍ତ ନାମରେ ଜଣେ ବ୍ରାହ୍ମଣ ଥିଲେ । ତାଙ୍କର ପତ୍ନୀ ଥିଲେ ଭୃଗୁ କନ୍ୟା ଦୀକ୍ଷା। ଉଭୟଙ୍କ ମିଳନ ରୁ ସୁଶୀଳା ନାମରେ ଏକ କନ୍ୟା ଜନ୍ମିଥିଲା । ଦିନାନ୍ତରେ ଜ୍ଜର ରୋଗରେ ପଡ଼ି ଦୀକ୍ଷାଦେହତ୍ୟାଗ କରିବାରୁ ସୁମନ୍ତ ବ୍ରାହ୍ମଣ ଧର୍ମପୁତ୍ରଙ୍କ କନ୍ୟାକର୍କଶା ଙ୍କୁ ଦ୍ୱିତୀୟ ବିବାହ କଲେ । ସ୍ୱଭାବରେ ମୁଖରା ଓ କଳିହୁଡି କର୍କଶା ସୁଶିଳା କନ୍ୟାକୁ ମୋଟେ ସହ୍ୟ କରିପାରୁନଥିଲେ।ବୟଃପ୍ରାପ୍ତ ହେବାରୁ ସୁଶୀଳାର ବିବାହ କୌଣ୍ଡିନ୍ୟ ନାମକ ଜଣେ ବ୍ରାହ୍ମଣ ଯୁବକ ସହିତ ସମ୍ପନ୍ନ ହେଲା । କିନ୍ତୁ ଜ୍ୱାଇଁଙ୍କୁ ଯୌତୁକ ନଦେବାକୁ ସ୍ଥିର କରି କର୍କଶା ଘରେ ଥିବା ସବୁ ସାମଗ୍ରୀ ନେଇ ପିତ୍ରାଳୟକୁ ପଳାଇଲେ । ମାତ୍ର ଚାଉଳଗଣ୍ଡେ ଯୌତୁକ ଦେଇ ସୁମନ୍ତ ଝିଅ ଜ୍ୱାଇଁଙ୍କୁ ବିଦାୟ ଦେଲେ। ବାଟରେ ଯାଉଯାଉ ଏକ ନଦୀତ ଟରେ ମହିଳାମାନେ ନାଲି ଲୁଗା ପିନ୍ଧି ଏହି ବ୍ରତ ପାଳନ କରୁଥିବା ଦେଖିଲେ । ସୁଶୀଳା ସେମାନଙ୍କ ଠାରୁ ଶିଖି ନିଜେବ୍ରତ କଲେ। ଫଳରେ କୌଣ୍ଡିନ୍ୟ ଙ୍କ ଘର ଧନରତ୍ନ ଓ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇ ପଡ଼ିଲା।ଦିନେ କୌଣ୍ଡିନ୍ୟ କର୍କଶାଙ୍କ ହାତରେ ଥିବା ସମ୍ପତ୍ତି ନଷ୍ଟ ଭ୍ରଷ୍ଟ ହୋଇଗଲା । କୌଣ୍ଡିନ୍ୟ ପୁଣି ଅନନ୍ତ ବ୍ରତ ପାଳନ କରି ନିଜର ହୃତ ବିଭବ ଫେରି ପାଇଥିଲେ।ଏପରିକି ବିଦ୍ୟା ଦାନ କରିନଥିବା ବିଦ୍ୟାପତି , ଧେନୁ, କର୍ମଚୋର ବୃଷଭ, ହସ୍ତୀ, ଗଦର୍ଭ ଓ ପୁଷ୍କରିଣୀମାନେ ମଧ୍ୟ ଅନନ୍ତ ବ୍ରତ ପାଳନ କରି ଅଭିଶାପରୁ ମୁକ୍ତ ହୋଇ ଥିବା ଏହି ଆଖ୍ୟାୟିକାରେ ବର୍ଣ୍ଣନା କରାଯାଇଛି । ତେଣୁ ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି ।
ଭାରତରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଅନନ୍ତଙ୍କ ପୂଜା କରାଯାଉଥିବା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ଜଣାପଡେ । ଭୁବନେଶ୍ୱରର ବିନ୍ଦୁସାଗର କୂଳରେ ଅନନ୍ତ ବାସୁଦେବଙ୍କ ମନ୍ଦିର ଥିବାବେଳେ ଶ୍ରୀମନ୍ଦିର ରେ ମଧ୍ୟ ଅନନ୍ତ ପୂଜା ପାଆନ୍ତି । ଅନନ୍ତ ଚତୁର୍ଦ୍ଦଶୀରେ ଏଠାରେ ସ୍ୱତନ୍ତ୍ର ନୀତି ଭୋଗ ବନ୍ଦାପନାଦି କରାଯାଇଥାଏ ।