ଭାଦ୍ରପୂର୍ଣ୍ଣିମା ଆଜି ଶ୍ରୀମଦ୍ ଭାଗବତ ଜନ୍ମ, ସମଗ୍ର ସୃଷ୍ଟି ଓ ଜୀବନ ରହସ୍ୟର ରହସ୍ୟମୟ ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଶାସ୍ତ୍ର | News Room Odisha

ଭାଦ୍ରପୂର୍ଣ୍ଣିମା ଆଜି ଶ୍ରୀମଦ୍ ଭାଗବତ ଜନ୍ମ, ସମଗ୍ର ସୃଷ୍ଟି ଓ ଜୀବନ ରହସ୍ୟର ରହସ୍ୟମୟ ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଶାସ୍ତ୍ର

ଭାଦ୍ରପୂର୍ଣ୍ଣିମା ବା ଇନ୍ଦୁପୂର୍ଣ୍ଣିମା ତିଥିରେ ସଂସ୍କୃତ ଭାଗବତ ଆରମ୍ଭ ହୋଇଥିବାରୁ ଏହି ତିଥି ଟି ଭାଗବତ ଜନ୍ମ ରୂପେ ପାଳିତ ହୋଇଆସୁଛି ।ସଂସ୍କୃତ ଭାଗବତ ଜନ୍ମ ସମ୍ପର୍କରେ ଏକ ପ୍ରାଚୀନ କାହାଣୀ ରହିଛି । କାହାଣୀର ପୃଷ୍ଠଭୂମି ଶ୍ରୀମଦ୍ ଭାଗବତ ମହାପୁରାଣର ମାହାତ୍ମ୍ୟ ।

ପୃଥିବୀର ହାଲଚାଲ ବୁଝିବା ପାଇଁ ଦିନେ ଦେବର୍ଷି ନାରଦଙ୍କର ମନ ବଳିଲା।ତେଣୁ ସେ ବୀଣାବାଦନ ସହ ନାରାୟଣ ନାମ ଉଚ୍ଚାରଣ ପୂର୍ବକ ଧରା ବତରଣ କଲେ । ପୃଥିବୀ ପରିଭ୍ରମଣ କରୁଥିବା ବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଦୃଷ୍ଟି ପଥାରୂଢ଼ ହେଲା । ଜନୈକା ସୁନ୍ଦରୀ ତରୁଣୀର ଉଭୟ ପାର୍ଶ୍ୱରେ ଶାୟିତ ଦୁଇଜଣ ବୃଦ୍ଧ।ଅବସ୍ଥା ଜୀବନ୍ମତ । ତରୁଣୀ ଥିଲେ ରୋରୁଦ୍ୟମାନା । ଦେବର୍ଷି ଏହି ବିରଳ ଦୃଶ୍ୟର ଅର୍ଥ ହଠାତ୍ ବୁଝିପାରିଲେ ନାହିଁ । ତରୁଣୀର ନିକଟବର୍ତ୍ତୀ ହୋଇ ଜିଜ୍ଞାସା କଲେ- ‘କାହିଁକି କାନ୍ଦୁଛ ? ଏ ବୃଦ୍ଧଦ୍ୱୟ କିଏ ? ତରୁଣୀ କହିଲେ – ମୁଁ ହେଉଛି ‘ଭକ୍ତି’ ଓ ମୋର ଏହି ପୁତ୍ରଦ୍ୱୟ ହେଉଛନ୍ତି ‘ଜ୍ଞାନ ଓ ବୈରାଗ’। ମୁଁ ମାତା ହୋଇ ମଧ୍ୟ ତରୁଣୀ, ଅଥଚ ମୋର ପୁତ୍ରଦ୍ୱୟ ବାର୍ଦ୍ଧକ୍ୟ ରେ ପ୍ରପୀଡ଼ିତ । ଏହାର ରହସ୍ୟ ଓ ମୁକ୍ତ ହେବାର ଉପାୟ ବତାଇ ଦିଅନ୍ତୁ ମୁନିବର ।’ ନାରଦ ଦିବ୍ୟ ଦୃଷ୍ଟିରେ ଭକ୍ତି ଦେବୀଙ୍କ ଦୁଃଖର କାରଣ ବୁଝିଲେ । ତେବେ ସନକାଦି ଋଷିମାନଙ୍କ ର ପରାମର୍ଶ ଥିଲା ଯେ ଶ୍ରୀମଦ୍ ଭାଗବତ ମହାପୁରାଣ ଶ୍ରବଣ କଲେ ଭକ୍ତିଦେବୀଙ୍କ ପୁତ୍ରଦ୍ୱୟ ତାରୁଣ୍ୟ ଫେରିପାଇବେ । ସେମାନଙ୍କ ମୃତ ପ୍ରାୟ ଶରୀରରେ ସ୍ପନ୍ଦିତ ହେବ ନବଜୀବନ । ଭାଗବତ ଶ୍ରବଣମାତ୍ରକେ ତାହାହିଁ ଘଟିଲା ।

ଭାଗବତ ଶ୍ରବଣର ମହତ୍ତ୍ୱ ବିଷୟରେ ଏହିପରି ଅନେକ କାହାଣୀ ରହିଛି । ଭକ୍ତମାନଙ୍କ ପାଇଁ ଭଗବାନଙ୍କ କଣ୍ଠରୁ ଓମ୍ କାର ରୂପକ ତିନି ଅକ୍ଷର ସୃଷ୍ଟି ହେଲା ଓ ଏହା ଅନନ୍ତଙ୍କୁ ଅର୍ପିତ ହେଲା । ଅନନ୍ତ ଚବିଶ ଅକ୍ଷର ବିଶିଷ୍ଟ ଗାୟତ୍ରୀ ମନ୍ତ୍ର ସୃଷ୍ଟି କରି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ସମର୍ପଣ କଲେ । ବ୍ରହ୍ମା ଚାରିଗୋଟି ଶ୍ଳୋକରେ ନାରାୟଣ ଋଷିଙ୍କୁ ପ୍ରଦାନ କଲେ ।ଋଷି ଦଶଗୋଟି ଶ୍ଳୋକରେ ମହର୍ଷି ନାରଦ ଙ୍କୁ, ନାରଦ ଶହେ ଶ୍ଳୋକରେ ବ୍ୟାସଦେବଙ୍କୁ, ବ୍ୟାସ ଅଠର ହଜାର ଶ୍ଳୋକରେ ଶୁକମୁନିଙ୍କୁ ଅର୍ପଣ କରିଥିଲେପ। ଶୁକମୁନି ପରୀକ୍ଷିତ ମହାରାଜା ଙ୍କୁ ସପ୍ତାହବ୍ୟାପୀ ବୁଝାଇ ବ୍ରହ୍ମଲୀନ କରାଇଥିଲେ । ତା’ପରେ ଜନସାଧାରଣ ତାହାକୁ ଭାଗବତ ବୋଲି ଜାଣି ପୂଜାର୍ଚ୍ଚନା ଓ ଆଲୋଚନା କରିବାରେ ଲାଗିଲେ । ଷାଠିଏ ହଜାର ଋଷିଙ୍କ ପ୍ରତିନିଧି ସ୍ୱରୂପ ଶୌନକ ମୁନି ସୁତମୁନିଙ୍କୁ ଯେଉଁ ପ୍ରଶ୍ନମାନ ପଚାରିଥିଲେ ତାହାର ଉତ୍ତର ଭାଗବତର ପ୍ରଥମରୁ ଦ୍ୱାଦଶ ସ୍କନ୍ଧ ମଧ୍ୟରେ ବର୍ଣ୍ଣିତ ହୋଇଛି ।

କଥିତ ଅଛି ସଂସ୍କୃତ ଭାଗବତର ଏକାଦଶ ସ୍କନ୍ଧର ଏକ ଟୀକା ଭାବେ ସନ୍ଥ ଏକନାଥ ନାଥ ଭାଗବତ ରଚନା କରିଥିଲେ ଯାହାକି ମରାଠୀ ଭାଷାରେ ଅତ୍ୟନ୍ତ ଲୋକପ୍ରିୟ। ସେହିପରି ଓଡ଼ିଶାର ପଞ୍ଚଦଶ ଶତାବ୍ଦୀର ପଞ୍ଚସଖା ମଧ୍ୟରୁ ଅନ୍ୟତମ ଶ୍ରୀ ଜଗନ୍ନାଥ ଦାଶ ସଂସ୍କୃତ ଭାଗବତକୁ ଅତି ସୁନ୍ଦର ସାବଲୀଳ ନବାକ୍ଷରୀ ଛନ୍ଦରେ ରଚନା କରି ଓଡ଼ିଶାର ପ୍ରତୀଘରେ ଭାଗବତ ପ୍ରଚଲନ କରିବା ସହିତ ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା କରିଥିଲେ। ଏହି ଭାଗବତ ହିଁ ଥିଲା ଆମ ଐକ୍ୟ ଓ ଭାତୃତ୍ୱ ଭାବ ପ୍ରତିଷ୍ଠା କରିବାର ପ୍ରମୁଖ ମାଧ୍ୟମ।

ଶ୍ରୀମଦ୍ ଭାଗବତ ହେଉଛନ୍ତି ଏପରି ଗ୍ରନ୍ଥ,ଯେଉଁଥି ରେ ସମଗ୍ର ସୃଷ୍ଟି ଓ ଜୀବନର ରହସ୍ୟ ପୁଙ୍ଖାନୁପୁଙ୍ଖ ବର୍ଣ୍ଣିତ ହୋଇଛି। ଏହା ବାସ୍ତବରେ ମୋକ୍ଷଦାୟୀ ଗ୍ରନ୍ଥ। ଆଜିର ପବିତ୍ର ଲଗ୍ନରେ ଆସନ୍ତୁ ସେହି ଭାଗବତଙ୍କ ଶରଣାପନ୍ନ ହେବା।