୧୭ ବର୍ଷରୁ କମ୍ ମହିଳା ବିଶ୍ଵକପ ଫୁଟବଲର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ: ଭାରତୀୟ ଦଳକୁ ଜୋରଦାର ସମର୍ଥନ ପାଇଁ ଆହ୍ୱାନ | News Room Odisha

୧୭ ବର୍ଷରୁ କମ୍ ମହିଳା ବିଶ୍ଵକପ ଫୁଟବଲର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ: ଭାରତୀୟ ଦଳକୁ ଜୋରଦାର ସମର୍ଥନ ପାଇଁ ଆହ୍ୱାନ

ଭୁବନେଶ୍ୱର – ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିଅମରେ ଏକ ସ୍ଵତନ୍ତ୍ର ଉତ୍ସବରେ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଇଣ୍ଡିଆ -୨୦୨୨ର ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି। ଲୋଗୋ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଫିଫା ପକ୍ଷରୁ ଜର୍ସି ଗ୍ରହଣ କରିଛନ୍ତି। ଭାରତୀୟ ଟିମ୍ ସହ ଫଟୋ ଉଠାଇ କରମର୍ଦ୍ଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ଏକ ଅଗ୍ରଣୀ କ୍ରୀଡା ସ୍ଥଳ ଭାବେ ମୁଣ୍ଡ ଟେକୁଛି । ଫିଫା ୧୭ ବର୍ଷରୁ କମ ଫୁଟବଲ ବିଶ୍ୱକପ ଆୟୋଜନ ଆମ ରାଜ୍ୟ ପାଇଁ ସ୍ମରଣୀୟ ସୁଯୋଗ ବୋଲି ମୁଖ୍ୟମନ୍ତ୍ରୀ ଲୋଗୋ ଉନ୍ମୋଚନ କରି କହିଥିଲେ। ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଫିଫା ପ୍ରତିଯୋଗିତାରେ ଖେଳୁଥିବାରୁ ଓଡ଼ିଶାର ଲୋକେ ବହୁସଂଖ୍ୟାରେ ଷ୍ଟାଡିୟମକୁ ଆସି ଦଳ ପ୍ରତି ସମର୍ଥନ ପ୍ରଦର୍ଶନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଯୋଗ ଦେଇଛନ୍ତି । ଭାରତ ୧୭ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସପ୍ତମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି। ଭୁବନେଶ୍ୱର, ମୁମ୍ବାଇ ଓ ଗୋଆରେ ଖେଳାଯିବ ବିଶ୍ୱକପର ମ୍ୟାଚ । ଭାରତୀୟ ଦଳ ନିଜର ସମସ୍ତ ଗ୍ରୁପ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳିବ । ଆସନ୍ତା ମାସ ଅକ୍ଟୋବର ୧୧ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେଉଛି । ଅକ୍ଟୋବର ୧୧ ତାରିଖରେ ଏହି ବିଶ୍ୱକପର ପ୍ରଥମ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ। ୧୧ ତାରିଖରେ ଭାରତ ବନାମ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।୧୪ ତାରିଖରେ ଭାରତ ବନାମ ମୋରୋକ୍କୋ ମଧ୍ୟରେ ମ୍ୟାଚ ଖେଳାଯିବ। ୧୭ ତାରିଖରେ ଭାରତ, ବ୍ରାଜିଲ ସହ ମ୍ୟାଚ ଖେଳିବ ।