ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହି ସମୟରେ ହେମନ୍ତ ଋତୁ ଧରାପୃଷ୍ଟରେ ପ୍ରବେଶ କରେ ଓ ‘ଭଗ ନାମକ ହିରଣ୍ୟ ରେତସ ସୂର୍ଯ୍ୟ’ କନ୍ୟା ରାଶିକୁ ସ୍ପର୍ଶ କରନ୍ତି ଅର୍ଥାତ୍ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦ ତିଥି ଆରମ୍ଭ ହୁଏ । କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ୱରୁ ମୁକ୍ତି ପାଇଥାନ୍ତି । କନ୍ୟାରାଶିକୁ ଭଗ ନାମକ ସୂର୍ଯ୍ୟ ଗମନ କଲେ ପିତୃରାଜ୍ୟରେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଅବିମୁକ୍ତ ଥିବା ପ୍ରେତମାନେ ଏହି ସୂର୍ଯ୍ୟଙ୍କର କିରଣକୁ ସହ୍ୟ କରିପାରନ୍ତି ନାହିଁ। ତେଣୁ ପିତୃ- ଲୋକମାନେ କନ୍ୟା ସଂଯୁକ୍ତ ହୋଇ ତିଳୋଦଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଯଦି ପୁତ୍ର ବା ବଂଶଜମାନେ ତିଳ ତର୍ପଣ ନ କରନ୍ତି ତେବେ ପିତୃପୁରୁଷମାନେ ଉତକ୍ଷିପ୍ତ ହୋଇ ଅଭିଶାପ ପ୍ରଦାନ କରନ୍ତି ।
ଆଶ୍ୱିନ ମାସର ଚାନ୍ଦ୍ରମାସ ପକ୍ଷ ବା କୃଷ୍ଣପକ୍ଷ ପୃଥିବୀପୃଷ୍ଠଟି ମହାଆଳୟରେ ପରିଣତ ହୋଇ ଥାଏ।ପିତୃ ଓ ଅବିମୁକ୍ତ ପିତୃ ଉଭୟ ଶ୍ରଦ୍ଧା କାମନା ରେ ନିଜ ଗୃହରେ ଉପଗତ ହୋଇଥାଆନ୍ତି ।ଜଣେ ଗୃହସ୍ଥ ପକ୍ଷରେ ଜିବଦ୍ଦଶା ମଧ୍ୟରେ ପାଞ୍ଚଗୋଟି ଋଣ ସୁଝିବାର ବ୍ୟବସ୍ଥା ଅଛି, ଯଥା: ପିତୃଋଣ, ଦେବଋଣ, ଋଷିଋଣ, ମନୁଷ୍ୟଋଣ ଓ ଭୂତଋଣ । ସେଥିମଧ୍ୟରୁ ପ୍ରଥମେ ପିତୃଋଣରୁ ମୁକ୍ତି ପାଇବା ଉଚିତ। କାରଣ ପିତାମାତାଙ୍କ ଯୋଗୁଁ ଏ ଶରୀର ମିଳିଛି। ମାତୃ ସ୍ତନ୍ୟପାନ ଓ ପିତାଙ୍କ ଅର୍ଜିତ ଧନରୁ ଶିକ୍ଷା ଓ ଯୋଗ୍ୟତା ମିଳିଛି ଓ ଗୃହସ୍ଥା ଜୀବନର ଆରମ୍ଭ ହୋଇଛି ।
ପୌରାଣିକ ବିଶ୍ୱାସ ଅନୁଯାୟୀ, ମହାଦାନୀ କର୍ଣ୍ଣଙ୍କ ର ମୃତ୍ୟୁପରେ ତାଙ୍କ ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଲା, କିନ୍ତୁ ଅଭୁକ୍ତ ରଖାଗଲା, କିଛି ଖାଦ୍ୟ ଦିଆଗଲା ନାହିଁ, କାରଣ ଜୀବିତାବସ୍ଥାରେ ସେ କେବେ କୌଣସି ବ୍ୟକ୍ତିକୁ ଅନ୍ନଦାନ ଦେଇନଥିଲେ । ସେ ଚିନ୍ତିତହୋଇ ଯମରାଜଙ୍କୁ ପ୍ରାର୍ଥନା କରିବାରୁ,ତାଙ୍କୁ ମାତ୍ର ଚଉଦଦିନ ପାଇଁ ମର୍ତ୍ତ୍ୟମଣ୍ଡଳକୁ ପଠାଯାଇ ଥିଲା ।ସେହି ଚଉଦଦିନ ମଧ୍ୟରେ ସେ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। ଫଳ ସ୍ୱରୂପ ତାଙ୍କୁ ଆଉ ଯମପୁରରେ ଅନ୍ନରୁ ବଞ୍ଚିତ ହେବାକୁ ପଡ଼ି ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦଦିନ ଥିଲା ପିତୃପକ୍ଷ ।
ତେଣୁ ଏହି ପିତୃପକ୍ଷ ଚଉଦଦିନ ସମସ୍ତ ଗୃହସ୍ଥି ମାନେ ପିତୃ ଲୋକଙ୍କୁ ଶ୍ରାଦ୍ଧ ଆଦି ପ୍ରଦାନ କରିବାର ବିଧାନ ରହିଛି। ଏହାଦ୍ୱାରା ନିଜର ମଙ୍ଗଳ ବିଧାନ ହେବା ସହ ପିତୃଲୋକ ପରିବାରକୁ ଅମୃତ ଦୃଷ୍ଟି ରେ ଚାହିଁଥାନ୍ତି।