ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ହେବ ଦୁର୍ବଳ | News Room Odisha

ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ହେବ ଦୁର୍ବଳ

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ଏବେ ଏହା ଗୋପାଳପୁରଠାରୁ ଉତ୍ତର ପଶ୍ଚିମ ଦିଗରେ ୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଧୀରେ ଧୀରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ଦେଇ ଗତି କରିବା ସହ ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅବପାତ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି। ସୋମବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୮ ଜିଲ୍ଲା- ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା,ବଲାଙ୍ଗିର, କନ୍ଧମାଳ,ବୌଦ୍ଧ, ସୋନପୁର ଓ ବରଗଡ଼ର ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଏହି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୬ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ।