ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷାର ପ୍ରକୋପ... ଡ୍ୟାମ୍ ଗେଟ୍ ଖୋଲିଲା, ଫୁଲୁଛି ନଦୀ | News Room Odisha

ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷାର ପ୍ରକୋପ… ଡ୍ୟାମ୍ ଗେଟ୍ ଖୋଲିଲା, ଫୁଲୁଛି ନଦୀ

ଛତ୍ରପୁର: ଲଘୁଚାପଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଉଛି। ଜଳଭଣ୍ଡାରର ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ଏକାଧିକ ଗେଟ୍ ଆଂଶିକ ବା ପୁରା ଖୋଲି ଉଦ୍‌ବୃତ୍ତ ଜଳ ନିଷ୍କାସନ କରିଛନ୍ତି। ଫଳରେ ବିଭିନ୍ନ ନଦୀ ନାଳରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଉଛି। ଡ୍ୟାମରୁ ଜଳ ନିଷ୍କାସନ ପରେ ନଦୀମାନଙ୍କରେ ବନ୍ୟା ପାଣି ପ୍ରବେଶ କରିଛି ଓ ନଦୀ ଫୁଲିବାରେ ଲାଗିଛି। ବାହୁଦା ଓ ଋଷିକୁଲ୍ୟା ସମେତ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। ତେଣେ ବାହୁଦା ନଦୀ ବନ୍ୟା ପାଣିରେ ଭାସିଯାଇ ଜଣେ ବୃଦ୍ଧା ନିଖୋଜ ହୋଇ ଯାଇଛନ୍ତି। ବିଭିନ୍ନ ସ୍ଥାନରେ ଚାଷ ଜମି ଓ ଖାଲୁଆ ଅଞ୍ଚଳରେ ପାଣି ଜମି ରହିଥିବା ରିପୋର୍ଟ ଆସୁଛି। ଲଗାତାର ବର୍ଷା କାରଣରୁ ସାଧାରଣ ଜୀବନଯାତ୍ରା ମଧ୍ୟ ବେଶ୍ ପ୍ରଭାବିତ ହୋଇଛି।

ଭଞ୍ଜନଗର ସହରର ବାଗ୍‌ଦେବୀ ରୋଡ୍ ଅଞ୍ଚଳରେ ରାସ୍ତାଘାଟରେ ପାଣି ପ୍ରବାହିତ ହେଉଛି। ଭଞ୍ଜନଗର ଡ୍ୟାମର ୨ଟି, ସୋରଡ଼ା ଡ୍ୟାମର ୩ଟି, ଡହ ମଧ୍ୟମ ଜଳଭଣ୍ଡାରର ୩ଟି, ବାଘୁଆ ଜଳଭଣ୍ଡାରର ୨ଟି, ଘୋଡ଼ାହାଡ଼ ନଦୀବନ୍ଧର ଗୋଟିଏ ଓ ବାଘଲଟି ନଦୀବନ୍ଧର ୩ଟି ଗେଟ୍ ସମେତ ସ୍ପିଲ୍‌ଓ୍ବେ ଦେଇ ଜଳ ନିଷ୍କାସନ କରାଯାଉଛି। ଭଞ୍ଜନଗର ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୯୬ ମିଟର ଥିବା ବେଳେ ରିପୋର୍ଟ ଲେଖାଯିବା ସୁଦ୍ଧା ୯୫.୨୮ ମିଟର ଜଳ ଗଚ୍ଛିତ ରହିଛି। ସୋରଡ଼ା ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ୯୨.୩୦ ମିଟର ଥିବା ବେଳେ ୯୨.୨୦ ମିଟର ଜଳ ଗଚ୍ଛିତ ଅଛି। ଡହ ଜଳଭଣ୍ଡାରରେ ମୋଟ ୧୧୮.୨୦ ମିଟର ଜଳ ଗଚ୍ଛିତ ରହିପାରିବ। ଡ୍ୟାମରୁ ୧୦.୩୮ କ୍ୟୁମେକ୍ସ ପାଣି ପଶୁଥିବା ବେଳେ ୩ଟି ଗେଟ୍ ଓ ସ୍ପିଲ୍‌ଓ୍ବେ ଦେଇ ୫.୮୧ କ୍ୟୁମେକ୍ସ ପାଣି ଛଡ଼ାଯାଉଛି। ବାଘୁଆ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୧୧୩.୮୫ ମିଟର ଥିବା ବେଳେ ଏବେ ୧୧୩.୦୨ ମିଟର ଜଳ ରହିଛି। ଦିଗପହଣ୍ଡି ଘୋଡ଼ାହାଡ଼ ଡ୍ୟାମ୍ ଜଳସ୍ତରର ବିପଦ ସଙ୍କେତ ୧୧୭.୮୦ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୧୭.୨୦ ମିଟର ରହିଛି। ଏଣୁ ୬ଟିରୁ ୨ଟି ଗେଟ୍ ଖୋଲାଯାଇଛି। ଡ୍ୟାମ୍‌ର ମୋଟ କ୍ଷମତାର ୭୬ ପ୍ରତିଶତ ଜଳ ଗଚ୍ଛିତ ରହିଥିବା ଜଣାଯାଇଛି। ସେହିପରି ପାତ୍ରପୁର ତହସିଲ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପରୁ ମୋଟ ୪ରୁ ୩ଟି ଫାଟକ ଆଂଶିକ ଭାବେ ଖୋଲାଯାଇ ବାହୁଦା ନଦୀକୁ ପାଣି ଛଡ଼ାଯାଉଛି। ଫଳରେ ବାହୁଦା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଠି ସର୍ବାଧିକ ୧୦୬ ମିଟର ଜଳ ଗଚ୍ଛିତ ରହିବା ବ୍ୟବସ୍ଥା ଥିବା ବେଳେ ଜଳସ୍ତର ୧୦୪.୧୦ ମିଟର ପର୍ଯ୍ୟନ୍ତ ଅର୍ଥାତ୍ ୮୮ ପ୍ରତିଶତ ପାଣି ଗଚ୍ଛିତ ରହିଥିବା କହିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ।

ଜଳଭଣ୍ଡାରରୁ ଉଦ୍‌ବୃତ୍ତ ପାଣି ନିଷ୍କାସନ କାରଣରୁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏଥିସହ ଜଳଭଣ୍ଡାରରୁ ପାଣି ଛଡ଼ାଯାଉଥିବାରୁ ଆଖପାଖ ତଥା ନଦୀକୂଳିଆ ଗାଁ ଲୋକଙ୍କୁ ସତର୍କ କରାଯାଇଛି। ନଦୀ ପାଣିକୁ ନଯିବା, ଗୃହପାଳିତ ପଶୁଙ୍କୁ ନଛାଡ଼ିବା ତଥା ନଦୀଗର୍ଭକୁ କୌଣସି ପ୍ରକାରେ ବ୍ୟବହାର କରିବା ସମୟରେ ସାବଧାନତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛନ୍ତି ଜଳଭଣ୍ଡାର କର୍ତ୍ତୃପକ୍ଷ। ତେବେ ଚିକିଟି ବ୍ଲକ୍ ଚାନ୍ଦପୁର ଗ୍ରାମର ଜଣେ ବୃଦ୍ଧା ରେଖା ସାହୁ (୭୫) ବାହୁଦା ନଦୀ ପାଣିରେ ଭାସି ଯାଇଛନ୍ତି। ନଦୀରେ ପ୍ରବଳ ପାଣି ସୁଅ ଥିବା ବେଳେ ଅସାବଧାନତାରୁ ସେ ଖସି ଯାଇଥିଲେ। ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍ ନଦୀ ପାଣିରେ ବ୍ୟାପକ ଖୋଜାଖୋଜି କରିଛନ୍ତି। ପାତ୍ରପୁର ବ୍ଲକ୍ ଖରଣୀପଡ଼ା ପଞ୍ଚାୟତ କୋଳିହଳା ଗ୍ରାମର ୩ଟି ଘର କାନ୍ଥ ଭାଙ୍ଗି ଦବିଯାଇଛି। ଉକ୍ତ ତିନି ପରିବାର ଗାଁର ଅନ୍ୟତ୍ର ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। ପାତ୍ରପୁର- ଦିଗପହଣ୍ଡି ବ୍ଲକ୍‌ର ବାତରଡ଼ା ନାଳରେ ବନ୍ୟା ଜଳ ସୁଅ କାରଣରୁ ରାସ୍ତା କ୍ଷତିଗ୍ରସ୍ତ ହୋଇ ଯାତାୟାତ ପ୍ରଭାବିତ ହୋଇଥିବା କହିଛନ୍ତି ଗ୍ରାମବାସୀ। ସେପଟେ କବିସୂର୍ଯ୍ୟନଗର ବ୍ଲକ୍‌ରେ ବ୍ୟାପକ ଚାଷ ଜମିରେ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ବାଇଗଣ, କଟିକିପୋଟଳ ଓ ଟମାଟୋ ଫସଲ ଜମିରେ ହିଁ ପଚି ସଢି ଯିବାକୁ ବସିଛି। ଅସମୟରେ ପରିବା ଗଛରୁ ଝଡ଼ି ପଡୁଛି କିମ୍ବା ଗଛରେ କଳା ପଡ଼ି ପଚିଯାଉଥିବା କହିଛନ୍ତି ଚାଷୀ। ଧାର କରଜ ଆଣି ଚାଷ କରିଥିବା କୃଷକ ଅର୍ଥ କିଭଳି ସୁଝିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଅନ୍ୟାନ୍ୟ କିଛି ବ୍ଲକ୍‌ରେ ଧାନ ଫସଲ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି।