ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଉପରେ ତାଲିମ କାର୍ଯ୍ୟକ୍ରମ | News Room Odisha

ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଉପରେ ତାଲିମ କାର୍ଯ୍ୟକ୍ରମ

ସମ୍ବଲପୁର: “ଗ୍ରାମ ପଞ୍ଚାୟତ ବିକାଶ ଯୋଜନା”(ଜିପିଡ଼ିପି) ଉପରେ ତିନି ଦିବସୀୟ ତାଲିମ କାର୍ଯ୍ୟକ୍ରମ ସମ୍ବଲପୁର ପାନ୍ଥନିବାସରେ ଅନୁଷ୍ଠିତ ହୋଇଯାଇଛି । ପତଙ୍ଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ତାଲିମରେ ୧୫ ଜଣ କର୍ମୀ ସହିତ ୧୦ ଜଣ ଗ୍ରାମାଞ୍ଚଳର ଯୁବାସାଥି ଯୋଗ ଦେଇଥିଲେ । ଜିପିଡ଼ିପି ସରକାରଙ୍କ ଏକ ଅଭିନବ ପ୍ରକ୍ରିୟା ଯେଉଁଥିରେ 29 ଟି ବିଷୟ ପ୍ରତି ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନା ଉପରେ ବିଭିନ୍ନ ପ୍ରକଳ୍ପ ଉପରେ କାମ କରୁଥିବା କର୍ମୀ ତଥା ଯୁବାସାଥୀଙ୍କ ଦକ୍ଷତା ବୃଦ୍ଧି କରିବା ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଜିପିଡ଼ିପିର ଗୁରୁତ୍ୱପୂର୍ଣ୍ଣ ଦିଗ ଯଥା: ଯୋଜନା ପ୍ରସ୍ତୁତିର ଉପାଦାନ, ପର୍ଯ୍ୟାୟ, ଯୋଜନାର କାର୍ଯ୍ୟକାରିତା ଓ ମୂଲ୍ୟାୟନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଯୋଜନା ଚକ୍ରର ପ୍ରତ୍ୟେକ ସୋପାନକୁ କିପରି ବୁଝିପାରିବା ସେନେଇ ବିଭିନ୍ନ ପ୍ରକାର ସହଭାଗିତାମୂଳକ କାର୍ଯ୍ୟ ମାଧ୍ୟମରେ ଆଲୋଚନା କରାଯାଇଥିଲା । 73 ତମ ସମ୍ବିଧାନ ସଂଶୋଧନ ଦ୍ୱାରା କ୍ଷମତାର ବିକେନ୍ଦ୍ରିକରଣ ମାଧ୍ୟମରେ ଗ୍ରାମ ପଞ୍ଚାୟତକୁ କେଉଁଭଳି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି ତାହା କିପରି ଯୁବାପିଢ଼ି ବୁଝିପାରିବେ ଓ ଲୋକ ଯୋଜନା ପ୍ରସ୍ତୁତିରେ ଶତ ପ୍ରତିଶତ ଭାଗିଦାରୀ ରହିବ ସେନେଇ ତାଲିମରେ ଆଲୋଚନା ହୋଇଥିଲା ।

ଯୋଜନା କାର୍ଯ୍ୟକାରୀ କରିବାରେ କେନ୍ଦ୍ର ଓ ରାଜ୍ୟ ଅନୁଦାନ ସହିତ ଗୋଷ୍ଠୀର କିପରି ସହଯୋଗ ରହିବ ଓ ବିଭିନ୍ନ ଯୋଜନା ହାତକୁ ନେଇପାରିବେ ସେ ଉପରେ ଯୁବାସାଥୀଙ୍କୁ ବୁଝାଇଥିଲେ । ଏକ ଆବଶ୍ୟକତାଭିତ୍ତିକ Need-based ଜିପିଡ଼ିପି ତିଆରି କରି ଆଦର୍ଶ ପଂଚାୟତ ଗଢିତୋଳିବାରେ ସ୍ବେଛାସେବୀ ମାନେ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ଲୋକ ସହଭାଗୀତା ଆଣିବାରେ ସହାୟକ ହେବେ ବୋଲି ମତ ଦେଇଥିଲେ । ସାମାଜିକ କର୍ମୀ ଭାରତୀ ମହାପାତ୍ର ଓ ରମାକାନ୍ତ ବେହେରା ତାଲିମଦାତା ଭାବରେ ପରିଚାଳନା କରିଥିଲେ । ଅନୁଷ୍ଠାନର ସୂର୍ଯ୍ୟନାରାୟଣ ଦାଶ, ଦିବ୍ୟଦର୍ଶିନୀ ଦାସ, ଦେବରାଜ ଭୋଇ ଓ ରତନ ମାଛ ସହଯୋଗ କରିଥିଲେ ।