ଟ୍ରକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ନାବାଳିକା ମୃତ, ଘଟଣା ସ୍ଥଳରେ ଲୋକଙ୍କ ଚାପା ଉତ୍ତେଜନା | News Room Odisha

ଟ୍ରକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ନାବାଳିକା ମୃତ, ଘଟଣା ସ୍ଥଳରେ ଲୋକଙ୍କ ଚାପା ଉତ୍ତେଜନା

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁରର ପ୍ରସିଦ୍ଧ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସିଥିବା ବେଳେ ଦୁର୍ଘଟଣାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ପଦ୍ମପୁର ପଟରୁ ( ଓଡ଼ି-୧୭-ଏନ-୫୦୫୧) ନମ୍ୱର ବିଶିିଷ୍ଟ ଏକ ଟ୍ରକ ଆସୁଥିବାବେଳେ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ବିଜେପୁର ଗଞ୍ଜେଇଭାଟି ଛକ ଠାରେ ସ୍କୁଟି ସହ ଏହି ଟ୍ରକ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା ।

ସୂଚନା ଅନୁସାରେ ନିକଟସ୍ଥ ପହଣ୍ଡି ଗ୍ରାମର ସୁନିତା ମେହେର ମାମୁଁ ଘରକୁ ମହୋତ୍ସବ ଦେଖିବାକୁ ଆସିଥିଲା । ସୁନିତା ସ୍କୁଟି ଧରି ଆସୁଥିବା ସମୟରେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ତାଙ୍କର ପ୍ରବଳ ରକ୍ତ ବୋହିବା ସହ ସେ ଗୁରୁତର ହୋବାରୁ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ହେଲେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ କାରଣରୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରକୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହାକୁ ନେଇ ପୋଲିସ ଓ ଜନ ସାଧାରଣ ମୁହାଁ ମୁହିଁ ସହ ଧସ୍ତାଧସ୍ତି ହୋଇଥିଲେ । ପରେ ପୋଲିସ ଲାଠି ଚାର୍ଜ କରିଛି । ଅନ୍ୟପଟେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି ।