ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ମୃତ, ୯ ଅଭିଯୁକ୍ତ ଗିରଫ | News Room Odisha

ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ମୃତ, ୯ ଅଭିଯୁକ୍ତ ଗିରଫ

ନୂଆପଡ଼ା : ସଂଘବଦ୍ଧ ଆକ୍ରମଣ କରିବାରୁ ଜଣେ ଯୁବକଙ୍କ ମୃତ୍ୟ ଘଟିଛି । ଏହି ଘଟଣାଟି ଘଟିଛି ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବୋଇରଗାଁରେ । ଘଟଣାରେ ବୋଡେ଼ନ ପୁଲିସ ୯ ଜଣଙ୍କୁ ଗିରଫ କରିଛି ।

ସୂଚନା ମତେ ଗତ ୯ ତାରିଖ ରାତିରେ କେରାପଦର ଗାଁର ଗଦାଧର ରାଉତ(୪୨) କୌଣସି କାମରେ ବୋଇର ଗାଁକୁ ଯାଇଥିଲେ । ଗାଁର ଗଣେଶ ପୂଜା ମଣ୍ଡପ ନିକଟରେ ନିସାଶକ୍ତ ଅବସ୍ଥାରେ ଗାଁର ଯୁବକମାନଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଯାହା ଝଗଡା ଓ ପରେ ମାଡପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ଏଥିରେ ଗାଁର ଯୁବକ ମାନେ ଉତ୍ତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରି ନିର୍ଧୁମ ଛେଚି ଥିଲେ । ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଗଦାଧର ଗାଁରେ ପହଞ୍ଚିଥିଲେ । ତା’ ପରଦିନ ସକାଳେ ଗଦାଧରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ଗଦାଧରଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ଗତ ୧୩ ତାରିଖରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଗଦାଧରଙ୍କ ମୃତ୍ୟୁ ହୋଇଥିଲା ।ଏନେଇ ଗଦାଧରଙ୍କ ଭାଇବୋହୂ ରଶ୍ମିତା ରାଉତ ବୋଡେ଼ନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫଳରେ ଏହି ଅଭିଯୋଗକୁ ଭିତ୍ତି କରି ସମ୍ପୃକ୍ତ ଘଟଣାରେ ପୁଲିସ ବୋଇରଗାଁର ୯ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟଦେବ ପାଣ୍ଡେ(୧୯), ତାପସ ରଞ୍ଜନ ମାଝି(୨୧), ରୁଦ୍ରଦେଵ ପାଣ୍ଡେ(୨୧), ଭୈରବସିଂ ପାଣ୍ଡେ(୨୧), ରୋହିତ ପାଣ୍ଡେ(୧୮), ପବିତ୍ର ମାଝି(୨୧), ଟିକେରାମ ମାଝି(୧୯), ରୂପସିଂ ପାଣ୍ଡେ(୨୩), ପୁରୁଷୋତ୍ତମ ପାଣ୍ଡେ(୩୪) । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ଏସଡିପିଓ ସନ୍ତକ ଜେନା ସୂଚନା ଦେଇଛନ୍ତି ।