୧୬ ଦିନ ଗଣତି ହୋଇ ଆଶ୍ୱିନ କୃଷ୍ଣ ସପ୍ତମୀ କିମ୍ବା ଅଷ୍ଟମୀ ଦିନଠାରୁ ବିମଳା ଠାକୁରାଣୀଙ୍କ ପୂଜା ଆରମ୍ଭ ହୁଏ । ତିଥି ବୃଦ୍ଧି ନଥିଲେ ଅଷ୍ଟମୀ ଦିନ କିମ୍ବା ତିଥି ବୃଦ୍ଧିରେ ସପ୍ତମୀ ଦିନ ଦୁର୍ଗା ଭଣ୍ଡାର ଘରୁ ସକାଳ ଧୂପ ପରେ ଆଜ୍ଞାମାଳ ପାଇ ପତି ମହାପାତ୍ରଙ୍କ ହାତରେ ସୋମନାଥ ମଣ୍ଡପ (ମାଜଣା ମଣ୍ଡପ ରେ ଖଟରେ ବିଜେ ହୁଅନ୍ତି । ପଣ୍ଡା, ପତି ଓ ମୁଦିରସ୍ତ ଆଚାର୍ଯ୍ୟ ବ୍ରହ୍ମାବରଣ ହୋଇ ଦୁର୍ଗାଙ୍କୁ ୧୦୦୦ ଗରା ଜଳରେ ଅଭିଷେକ କରାନ୍ତି । ଏହା ପରେ ଶ୍ରୀଅଙ୍ଗ ପୋଛା, ନବବସ୍ତ୍ର ଲାଗି, ବେଶ, ପ୍ରସାଦ ଲାଗି, ଶୀତଳ ଭୋଗ, ବନ୍ଦାପନାଦି ନୀତି ଶେଷ ପରେ ଦେବୀଙ୍କୁ ଭଣ୍ଡାର ଘର ଦ୍ବାର ଦେଶରେ ବିଜେ କଲା ପରେ ସହସ୍ର କୁମ୍ଭାଭିଷେକ ବିଧି ଶେଷ ହୁଏ ।
ଦୁର୍ଗା ବିଗ୍ରହ ଭଣ୍ଡାର ଦ୍ୱାରଠାରେ ବିଜେ ହେବା ପରେ ଶ୍ରୀବାଳ ପୁରୁଷୋତ୍ତମ (ନୀଳମାଧବ ମାଧବ) ସିଂହାସନରୁ ଆଜ୍ଞାମାଳ ପାଇ ଆସି ଦୁର୍ଗାଙ୍କ ସହିତ ଏକତ୍ର ଭଦ୍ରାସନରେ ବସିଲେ ରୁନ୍ଧା କାର୍ଯ୍ୟ ହୁଏ । ଏକତ୍ର ରୁନ୍ଧା ଅବସ୍ଥାରେ ଦୁର୍ଗାମାଧବ ରତ୍ନ ସିଂହାସନକୁ ଯାଇ ଆଜ୍ଞାମାଳ ପାଇଲା ପରେ ଜୟ ବିଜୟ ଦ୍ୱାର ବାଟ ଦେଇ ଝୁଲଣ ମଣ୍ଡପ ଠାରେ ପାଲିଙ୍କିରେ ବସି କର୍ପୂର ଜଳ ଲାଗି ହେବା ପରେ ବିମଳା ମନ୍ଦିରକୁ ବିଜେ କରନ୍ତି । ସେଠାର ଖଟ ଉପରେ ଦୁର୍ଗାମାଧବ ବିଜେ ହେଲେ ଶୀତଳ ଭୋଗ ମଣୋହି ଓ ବନ୍ଦାପନା ହୁଏ । ତତ୍ପୂର୍ବରୁ ବିମଳାଙ୍କ ସକାଳ ଧୂପ ଶେଷ ହୋଇଥାଏ । ତିନି ଧୂପ ସରି ଭିତରେ ଚନ୍ଦନ ଲାଗି ନୀତି ପରେ ଦୁର୍ଗାମାଧବ ପାଲିଙ୍କିରେ ଯାଇ ଭଣ୍ଡାରରେ ବିଜେ କରନ୍ତି । ଷୋହଳ ଦିନ ଏହିପରି ରୁନ୍ଧା ଅବସ୍ଥାରେ ରହନ୍ତି । ଦଶହରା ଦିନ ରୁନ୍ଧା ଖୋଲାଯାଏ।
ଷୋହଳ ପୂଜାର ପ୍ରଥମ ଆଠ ଦିନ ଦୁର୍ଗାମାଧବ ରୁନ୍ଧା ଅବସ୍ଥାରେ ବିମଳାଙ୍କ ମନ୍ଦିରକୁ ଓ ପରବର୍ତ୍ତୀ ଆଠଦିନ ଦୋଳ ମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରନ୍ତି । ଉଭୟ ସ୍ଥାନରେ ଏକା ପରି ନୀତି ହୁଏ।
ଦୁର୍ଗାମାଧବ ପ୍ରଥମ ଦିନ ବିମଳା ମନ୍ଦିରକୁ ବିଜେ ହେବା ପୂର୍ବରୁ ବିମଳାଙ୍କ ପାଖରେ ସହସ୍ର କୁମ୍ଭାଭିଷେକ ପୂଜା ସରିଥାଏ । ପ୍ରଥମ ପୂଜାପାଇଁ ସକାଳ ଧୂପ ଶେଷ ପରେ ବିମଳାଙ୍କ ଦେଉଳରେ ପରିଚ୍ଛା ଓ ପରିକରଣମାନେ ହୁକୁମମାନ ପାଠ କରନ୍ତି । ବ୍ରହ୍ମାବରଣ ନିମନ୍ତେ ବରୁଣ ପୂଜା ହୁଏ । ଆଚାର୍ଯ୍ୟ ବରଣ, ବ୍ରହ୍ମାବରଣ, ସ୍ୱସ୍ତିବାଚନ ଓ ଚଣ୍ଡୀବରଣ ହୁଏ । ସଂକଳ୍ପ ହୁଏ । ଠାକୁରାଣୀଙ୍କ ଛାମୁରେ ପାଣି ପଡ଼ି, ପାହାଡ଼ ପଡ଼ି ଭୋଗ ବଢ଼ାହୁଏ । ପାଳିଆ ସେବକ ପୂଜା ଠା’ କରେ । ପ୍ରଧାନୀ ପୂଜକଙ୍କୁ ଡକାଇ ପୂଜାରେ ବସାନ୍ତି । ପୂଜା ଷୋଡ଼ଶ ଉପଚାରରେ ହୁଏ । କୋଠଭୋଗର ମହାପ୍ରସାଦ ପିଠା, ଥ।ଳି ଖେଚୁଡ଼ି ବିମଳାଙ୍କ ମଣୋହିରେ ବଢ଼ାଯାଏ । ଭୋଗ ପୂଜା ବେଳେ ଘଣ୍ଟ, କାହାଳୀ ବାଜେ, ଛତ୍ର ଧରାଯାଏ । ଆଗ କାଳରେ ଏହି ସମୟରେ ପରିଚ୍ଛା ପଟୁଆର କରୁିଥିଲେ ଓ ଦେବଦାସୀ ନୃତ୍ୟ କରୁିଲେ । ତାହା ଏବେ ହେଉନାହିଁ ।