କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ: ପୁରୁଣା ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ | News Room Odisha

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ: ପୁରୁଣା ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ

ଭୁବନେଶ୍ବର: ରାଜ୍ୟ ଜଳସମ୍ପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଭୁବନେଶ୍ବର ସ୍ଥିତ କ୍ଷୁଦ୍ର ଜଳସେଚନ ଡିଭିଜନ ମୁଖ୍ୟ ଯନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ବିଭାଗୀୟ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହିତ ରାଜ୍ୟରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଓ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ ରାଜ୍ୟରେ ଥିବା ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବାରୋପ କରିଥିଲେ । ଅଧିକାରୀମାନେ ଅଧିକରୁ ଅଧିକ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପଗୁଡିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ସେସବୁର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ଅଂଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଜିଲ୍ଲାସ୍ତରୀୟ ଅଧିକାରୀ , ଜନପ୍ରତିନିଧି ଓ ପାଣିପଂଚାୟତ ସହିତ ଆଲୋଚନା କରି ଏ ଦିଗରେ ଉଚିତ୍‌ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ।
ବୈଠକରେ ୨୦୨୧ – ୨୨ ବର୍ଷରେ ରବି କାର୍ଯ୍ୟକ୍ରମ ପାଇଁ ଜଳସେଚନ , କେତେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଛି ତାହାର ସମୀକ୍ଷା କରିବା ସହ ୨୦୨୨ – ୨୩ ଖରିଫ କାର୍ଯ୍ୟକ୍ରମ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ୧୩୫ ଟି ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ପ୍ରାଶାସନିକ ଅନୁମୋଦନ ସରିଛି ଓ ଅନ୍ୟ ପ୍ରସ୍ତାବିତ ପ୍ରକଳ୍ପଗୁଡିକ ବିଚାରାଧୀନ ଅଛି । ରାଜ୍ୟରେ ୨୭୪୧ ଟି କ୍ଷୁଦ୍ର ଜଳସେଚନର ପ୍ରକଳ୍ପର ଜିଓ – ଟ୍ୟାଗିଂ କରାଯାଇ ଏହାର ପ୍ରମୁଖ ଆବଶ୍ୟକତା ସଂପର୍କରେ ‘ ଆମ ଜଳାଶୟ ପୋର୍ଟାଲ’ରେ ସୂଚନା ଅଧୁନାତନ କରିବାକୁ ଓଡିଶା ସ୍ପେସ୍ ଆପ୍ଲିକେସନ ସେଣ୍ଟର ( ଓରସାକ୍ ) କୁ ତଥ୍ୟ ଦିଆଯାଇଛି । ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ଯୋଜନା , ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା , କେନାଲ ଲାଇନିଂ ଓ ସିଷ୍ଟମ ରିହାବିଲିଟେସନ ପ୍ରୋଗ୍ରାମ , ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ , ବନ୍ଧ ସୁରକ୍ଷା ଓ ଉନ୍ନତିକରଣ ଆଦି ପାଇଁ ବ୍ୟୟ ବରାଦ ଓ ଧାର୍ଯ୍ୟଲକ୍ଷ୍ୟକୁ ତ୍ବରିତ ପଦକ୍ଷେପ ନିଆଯାଇ ଶେଷ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ।

ସେହିପରି ବୈଠକରେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା , ଡ୍ୟାମ୍ ଉନ୍ନତିକରଣ ଯୋଜନା , ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କୃଷି ଉପଯୋଗୀ ସହନଶୀଳ ଓଡିଶା ସମନ୍ବିତ ଜଳସେଚନ ପ୍ରକଳ୍ପ ଆଦିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ , ଚାଷ ପାଇଁ ଜଳର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ସବୁବେଳେ କୃଷିର ଉନ୍ନତି ଓ କୃଷକଙ୍କ କଲ୍ୟାଣ ପାଇଁ ଜଳସେଚନ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଦଳଗତ ପ୍ରଚେଷ୍ଟାରେ ସ୍ବଚ୍ଛତା ବଜାୟ ରଖି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନୂତନ ଭାବେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକୁ ଶେଷ କରିବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ । ପ୍ରସ୍ତାବ ଦିଆଯାଉଥିବା ନୂଆ ପ୍ରକଳ୍ପଗୁଡିକୁ ଅନୁମୋଦନ ପାଇଁ ପଠାଇବା ପୂର୍ବରୁ ସ୍ଥାନୀୟ ବିଧାୟକ ତଥା ସ୍ଥାନୀୟ ଜନପ୍ରତିନିଧିଙ୍କ ଜ୍ଞାତସାରକୁ ଅଣାଗଲେ , ପ୍ରକଳ୍ପର ବାସ୍ତବ ସ୍ଥିତି ଜଣାଯିବା ସହ କାର୍ଯ୍ୟକାରିତା ବେଳେ ଅସୁବିଧା ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ । ଡିଭିଜନର ମୁଖ୍ୟାଳୟରେ କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତଙ୍କ ସମେତ ଡିଭିଜନର ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ଥିବା ବେଳେ କ୍ଷେତ୍ରସ୍ତରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କ୍ଷୁଦ୍ର ଜଳସେଚନ ଡିଭିଜନର ଯନ୍ତ୍ରୀମାନେ ଏହି ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।