ନୂତନ ରାଜ୍ୟ ଜଳ ନୀତି ସଂପର୍କିତ ବୈଠକ | News Room Odisha

ନୂତନ ରାଜ୍ୟ ଜଳ ନୀତି ସଂପର୍କିତ ବୈଠକ

ଭୁବନେଶ୍ବର: ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସଂପର୍କିତ ଅନ୍ତଃ ବିଭାଗୀୟ ବୈଠକ ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟ ଜଳ ସଂପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଆଗାମୀ ଦିନରେ ପ୍ରଣୟନ ତଥା କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ନୂତନ ରାଜ୍ୟ ଜଳ ନୀତି ସଂପର୍କରେ ଅବଗତ ହୋଇଥିଲେ । କୃଷି , ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରରେ କୃଷକ ତଥା ଜନସାଧାରଣଙ୍କ ନିମନ୍ତେ ଜଳର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିକାର୍ଯ୍ୟ କରୁଛନ୍ତି , ପ୍ରସ୍ତାବିତ ନୂତନ ଜଳନୀତି ଏ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ ।

ବୈଠକରେ ନୂତନ ରାଜ୍ୟ ଜଳ ନୀତିରେ ଜଳ ସଂପଦ ବିଭାଗରେ ଥିବା ବିଭିନ୍ନ ଉପ ବିଭାଗର କାର୍ଯ୍ୟ ନୀତିରେ ହେବାକୁ ଥିବା ପରିବର୍ତ୍ତନ ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା । ଜଳସମ୍ପଦ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ମଧ୍ୟମ , ବୃହତ୍ ଓ କ୍ଷୁଦ୍ର ଜଳସେଚନ , ମେଗା ଲିଫ୍ , ଉଠା ଜଳସେଚନ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଜଳସେଚନ କରାଯାଉଥିବା ବେଳେ ରାଜ୍ୟ ଜଳନୀତିରେ ଆବଶ୍ୟକ ପରିବର୍ତ୍ତନ କରାଗଲେ ବ୍ୟବସ୍ଥାରେ ଅଧିକ ଉନ୍ନତିକରଣ ହେବ ବୋଲି ଏ ସଂପର୍କରେ ସଂପୃକ୍ତ ବିଭାଗୀୟ ମୁଖ୍ୟଯନ୍ତ୍ରୀମାନେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ । ନୂତନ ଜଳନୀତିରେ ଭୂତଳ ଜଳ ସଂରକ୍ଷଣ , ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଓ ୱାଲମୀ ଜରିଆରେ କାର୍ଯ୍ୟକ୍ରମ ସଂପର୍କିତ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ , ନୂତନ ଜଳନୀତିରେ ଆବଶ୍ୟକ କଣ କଣ ପରିବର୍ତ୍ତନ କରାଗଲେ ଜନସାଧାରଣ ଅଧିକରୁ ଅଧିକ ବ୍ୟବହାର ଉପଯୋଗୀ ଜଳ ପାଇପାରିବେ , ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ କେତେକ ସ୍ଥଳେ ବିଭାଗୀୟ ଅଧିକାରୀ ତଥା ମୁଖ୍ୟ ଯନ୍ତ୍ରୀମାନଙ୍କୁ ପ୍ରସ୍ତାବିତ ନୂତନ ଜଳନୀତିକୁ ପୁନଃ ଅବଲୋକନ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ । ସଂପ୍ରତି ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳ ପରିଚାଳନା , ଜଳର ଉପଯୁକ୍ତ ବ୍ୟବହାର , ଜଳ ଉପରେ ନିର୍ଭର କରୁଥିବା ସହଭାଗୀ ଅନୁଷ୍ଠାନଗୁଡିକର ଆବଶ୍ୟକତାକୁ ଦୃଷ୍ଟି ରାଜ୍ୟ ଜଳନୀତି – ୨୦୦୭ ରେ ଆବଶ୍ୟକ ପରିବର୍ତ୍ତନ ଅଣାଯାଇ ନୂତନ ଜଳନୀତି ପ୍ରଣୟନ ପାଇଁ ଜଳସଂପଦ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି । ଏ ସଂପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ , ମତ୍ସ୍ୟ ଓ ପଶୁସଂପଦ ବିଭାଗ , ପଂଚାୟତିରାଜ , ପାନୀୟ ଜଳ ଓ ଜଳବାୟୁ ପରିବର୍ତ୍ତନ , ଗୃହ ଓ ନଗର ଉନ୍ନୟନ , ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହ ଅନ୍ୟ ସହଯୋଗୀ ସରକାରୀ ବିଭାଗ ଓ ବେସରକାରୀ ଅନୁଷ୍ଠାନଗୁଡିକ ସହିତ ଆଲୋଚନା ଜାରି ରହିଛି ।
ବୈଠକରେ ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ , ସର୍ବୋଚ୍ଚ ଯନ୍ତ୍ରୀ ଇଂ.ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ମୁଖ୍ୟ ଯନ୍ତ୍ରୀ , ନିର୍ଦ୍ଦେଶକ ତଥା ଉଚ୍ଚ ପଦାଧୂମାନେ ଯୋଗଦେଇ ମତ ରଖିଥିଲେ ।