ଆଶ୍ୱିନ ମାସ କୃଷ୍ଣପକ୍ଷର ଏକାଦଶୀ କୁ ‘ଇନ୍ଦିରା’ ଏକାଦଶୀ କୁହାଯାଏ । ଏହି ବ୍ରତର ପ୍ରଭାବରେ ବଡ଼ ବଡ଼ ପାପସବୁ ନଷ୍ଟ ହୋଇଥାଏ ।
ଏକାଦଶୀ ମହାତ୍ମ ଅନୁସାରେ ସତ୍ୟଯୁଗରେ ଇନ୍ଦ୍ରସେନ ନାମକ ଜଣେ ରାଜା ମାହିଷ୍ମତିପୁରୀକୁ ଶାସନ କରୁଥିଲେ । ସେ ଅତ୍ୟନ୍ତ ଧର୍ମପରାୟଣ ହୋଇଥିବାରୁ ତାଙ୍କର ଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପିଥିଲା । ରାଜା ଇନ୍ଦ୍ରସେନ ଭଗବାନ ବିଷ୍ଣୁଙ୍କ ଭକ୍ତିରେ ତଲ୍ଲୀନ ରହି ଗୋବିନ୍ଦଙ୍କର ମୋକ୍ଷଦାୟକ ନାମ ଜପ କରି ସମୟ ଅତିବାହିତ କରୁଥିଲେ । ଦିନେ ରାଜା ରାଜ ଦରବାରରେ ବସିଥିବା ସମୟ ରେ ଦେବର୍ଷି ନାରଦ ସେଠାରେ ପହଞ୍ଚିଲେ । ତାଙ୍କୁ ଆସିବାର ଦେଖି କରଯୋଡ଼ି ଠିଆହେଲେ ଓ ବିଧି -ପୂର୍ବକ ପୂଜାକରି ଆସନରେ ବସାଇଲେ । ଆସିବାର କାରଣ ଜିଜ୍ଞାସା କଲେ ।
ନାରଦ କହିଲେ – ଶୁଣ ରାଜନ୍ । ମୁଁ ଯମଲୋକକୁ ଯାଇଥିଲି ଓ ସେଠାରେ ତୁମ ପିତାଙ୍କୁ ଦେଖିଲି । ସେ ବ୍ରତଭଙ୍ଗ ଦୋଷରୁ ନର୍କ ଯନ୍ତ୍ରଣା ଭୋଗକରୁଛନ୍ତି ।ସେ ମୋ ହାତରେ ସନ୍ଦେଶ ପଠାଇ କହିଛନ୍ତି, ମୋତେ ଇନ୍ଦିରା ଏକାଦଶୀ ବ୍ରତ ପୁଣ୍ୟ ଦେଇ ସ୍ୱର୍ଗକୁ ପଠାଅ । ରାଜା ଏହି ବ୍ରତର ବିଧି ଜିଜ୍ଞାସା କରିବାରେ ନାରଦ ପ୍ରାଞ୍ଜଳ ଭାବରେ ଏହାର ବିଧି ବର୍ଣ୍ଣନା କଲେ। ବିଧି ଅନୁସାରେ ଆଶ୍ୱିନ ମାସ କୃଷ୍ଣପକ୍ଷର ଦଶମୀ ଦିନ ପ୍ରାତଃକାଳରେ ସ୍ନାନ କରିବା ସହିତ ମଧ୍ୟାହ୍ନ ରେ ପୁଣି ଅବଗାହନ କରି ଭୋଜନକରିବା ଉଚିତ୍ । ରାତିରେ ଭୂମିରେ ଶୟନ କରିବା ନିୟମ ରହିଛି ।
ଏକାଦଶୀ ଦିନ ସ୍ନାନ ଶୌଚ ହୋଇ “ଅଦ୍ୟ ସ୍ଥିତ୍ୱା ନିରାହାରାଃ ସର୍ବଭୋଗ ବିବର୍ଜିତଃ । ଶ୍ୱୋ ଭୋକ୍ଷେ ପୁଣ୍ଡରୀକାକ୍ଷ ଶରଣଂ ମେ ଭବାଚ୍ୟୁତ ।।” ମନ୍ତ୍ର ପାଠ କରି ଉପବାସର ନିୟମ ପାଳନ କରିବା ଜରୁରୀ । ଏହିପରି ନିୟମ ଅନୁସରଣ କରି ମଧ୍ୟାହ୍ନ କାଳରେ ପିତରଙ୍କ ପ୍ରସନ୍ନତା ନିମନ୍ତେ ଶାଳଗ୍ରାମ-ଶିଳା ସମ୍ମୁଖରେ ବିଧିପୂର୍ବକ ଶ୍ରାଦ୍ଧ ଦେବା ସହିତ ଦକ୍ଷିଣାଦ୍ୱାରା ବ୍ରାହ୍ମଣଙ୍କୁ ସତ୍କାର କରି ତାଙ୍କୁ ଭୋଜନ ଦେବା ଉଚିତ୍ । ପିତୃପୁରୁଷଙ୍କୁ ଦିଆଯାଇଥିବା ଅନ୍ନପିଣ୍ଡକୁ ଶୁଙ୍ଘି ଗାଈକୁ ଖୁଆଇ ଦିଆଯାଏ । ପୁଣି ଧୂପ ଓ ଗନ୍ଧଦ୍ୱାରା ଭଗବାନ୍ ହୃଷିକେଶଙ୍କ ପୂଜା କରି ରାତିରେ ତାଙ୍କ ପାଖରେ ଉଜାଗର ରହିବ । ସକାଳ ହେଲେ ଦ୍ୱାଦଶୀ ଦିନ ପୁଣି ଭକ୍ତିପୂର୍ବକ ଶ୍ରୀହରିଙ୍କର ପୂଜା କରିବ । ଏହା ପରେ ବ୍ରାହ୍ମଣଙ୍କୁ ଭୋଜନ କରାଇ ଭାଇ-ବନ୍ଧୁ ନାତି ଓ ପୁତ୍ରମାନଙ୍କ ସହିତ ସ୍ୱୟଂ ମୌନପୂର୍ବକ ଭୋଜନ କର ।
ରାଜା ଇନ୍ଦ୍ରସେନ ନାରଦଙ୍କ କହିବା ଅନୁସାରେ ବ୍ରତ ପାଳନ କଲେ । ବ୍ରତ ପୂର୍ଣ୍ଣ ହେବା ପରେ ଆକାଶରୁ ପୁଷ୍ପ ବୃଷ୍ଟି ହେଲା।ଇନ୍ଦ୍ରସେନଙ୍କ ପିତା ଗରୁଡ଼ରେ ବସି ବିଷ୍ଣୁଧାମକୁ ଚାଲିଗଲେ ଓ ଇନ୍ଦ୍ରସେନ ମଧ୍ୟ ନିଷ୍କଣ୍ଟକ ରାଜ୍ୟ ଭୋଗ କରି ନିଜର ପୁତ୍ରକୁ ରାଜସିଂହାସନରେ ବସାଇ ସ୍ୱର୍ଗକୁ ଚାଲିଗଲେ ।
ତେଣୁ ଏହାକୁ ପଠନ ଓ ଶ୍ରବଣ କରି ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ ବୋଲି ଶାସ୍ତ୍ରୀୟ ବିଚାର ରହିଛି।