ନକଲି ମେଡିସିନ ବିକ୍ରି ମାମଲା : ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ ଟିମ | News Room Odisha

ନକଲି ମେଡିସିନ ବିକ୍ରି ମାମଲା : ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ ଟିମ

କଟକ – କଟକରେ ନକଲି ମେଡିସିନ ବିକ୍ରି ଘଟଣାରେ ଅଧିକ ତଦନ୍ତ ପାଇଁ କମିସନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ରାଜ୍ଯ ବାହାରକୁ ଯାଇଛି। ପୁରୀଘାଟ ଥାନା ଅଧିକାରୀଙ୍କ ନେତୃତ୍ବରେ ଚାରି ଜଣିଆ ଟିମ ତଦନ୍ତ ପାଇଁ ବିହାରର ଗୟା ଯାଇଛି। ଏହି ଟିମ୍‌ରେ ଦୁଇ ଜଣ ଏକ୍ସପର୍ଟ ମଧ୍ଯ ରହିଛନ୍ତି। କଟକର ଭିଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜର୍ସ ଏହି ନକଲି ମେଡିସିନ ଗୟା ଓ ବେଙ୍ଗାଲୁରୁ ଠାରୁ ଆଣୁଥିବା ପୋଲିସ ଜାଣିବାକୁ ପାଇଥିଲା। ସେଥିପାଇଁ ଅଧିକ ତଦନ୍ତ ପାଇଁ ଟିମ ବିହାର ଗସ୍ତ କରିଛି। ସେଠାରେ ତଦନ୍ତ ପରେ କିଏ ଏହି ନକଲି ମେଡିସିନ ପ୍ରସ୍ତୁତିର ମାଷ୍ଟରମାଇଣ୍ଡ, ତାହା ଜଣାପଡ଼ିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ, ନକଲି ମେଡିସିନ ବିକ୍ରି ମାମଲାରେ ୨ ଅଭିଯୁକ୍ତ ସଞ୍ଜୟ ଜଲାଲ ଓ ରାହୁଲ ଶ୍ୟାଲ ପୁରୀଘାଟ ଥାନାରେ ଆତ୍ମସମର୍ପଣ କରିଛନ୍ତି। ନକଲି ମେଡିସିନ କାରବାର ମାମଲାରେ ପୋଲିସ ସେମାନଙ୍କୁ ପଚରାଉଚରା ମଧ୍ୟ କରିଛି।