ଭିସୁଟ୍ ସ୍ବତନ୍ତ୍ର ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସିଟିଜେନ୍ ଫୋରମର କୃତଜ୍ଞତା | News Room Odisha

ଭିସୁଟ୍ ସ୍ବତନ୍ତ୍ର ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସିଟିଜେନ୍ ଫୋରମର କୃତଜ୍ଞତା

ସମ୍ବଲପୁର : ରାଜ୍ୟର ଅନ୍ୟତମ ପୁରୁଣା ବୈଷୟିକ ପ୍ରତିଷ୍ଠାନ ବୁର୍ଲାର ଭିସୁଟକୁ ଜାତୀୟସ୍ତରୀୟ ପ୍ରତିଷ୍ଠାନ ଭାବେ ପରିଣତ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ଅନୁଷ୍ଠାନ ପାଇଁ ୨ ହଜାର କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ସମଗ୍ର ପଶ୍ଚିମାଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏନେଇ ସମ୍ବଲପୁରରେ ସିଟିଜେନ ଫୋରମ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଫୋରମ ପକ୍ଷରୁ ହୋଟେଲ ହରଜିତ ରେସିଡେନ୍ସିରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଭିସୁଟ ପାଇଁ ରାଜ୍ୟ ସରକାର କରିଥିବା ଘୋଷଣାକୁ ସ୍ବାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦିଆଯାଇଥିଲା। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ କହିଲେ ଯେ, ଏହାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ତଥା ଆଇଆଇଟି ମାନ୍ୟତା ଦେବାକୁ ହୋଇଥିବା ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଫଳରେ ନବୀନ ସରକାର ଏହି ଅନୁଷ୍ଠାନକୁ ଗତ ୨୦୦୯ ମସିହାରୁ ବିଶ୍ବବିଦ୍ୟାଳୟରେ ପରିଣତ କରିଥିଲେ। ଆଉ ଗତ ୨୦୧୬ ମସିହାରେ ଇ-ଲର୍ଣିଂ ସେଣ୍ଟର ଉଦଘାଟନ କରିବା ଅବସରରେ ଏହାକୁ ଜାତୀୟସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଘୋଷଣା କରିଥିଲେ। ବର୍ତ୍ତମାନ ଏହି ଘୋଷଣାକୁ କାର୍ଯ୍ୟକାରୀ କରିଥିବାରୁ ସମ୍ବଲପୁରର ସିଟିଜେନ ଫୋରମ ତଥା ସମଗ୍ର ପଶ୍ଚିମ ଓଡିଶାବାସୀଙ୍କ ପକ୍ଷରୁ ତାଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଉଛି ବୋଲି ଡାକ୍ତର ପାଣିଗ୍ରାହୀ ପ୍ରକାଶ କରିଥିଲେ। ସେହିପରି ଫୋରମ ପକ୍ଷରୁ ପ୍ରଫେସର ଶଙ୍କର ପ୍ରସାଦ ପତି, ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ଜଷ୍ଟିସ ଗୋପରଞ୍ଜନ ଦୁବେ, ରଘୁନାଥ ମିଶ୍ର, ଅରବିନ୍ଦ ମହାପାତ୍ର, କାମଦେବ ସାହୁ, ଡ. ରମାବଲ୍ଲଭ ମିଶ୍ର, ପ୍ରଫେସର ମୀନକେତନ ପାଠୀ, ଡ. ଶ୍ୟାମସୁନ୍ଦର ଧର ପ୍ରମୁଖ ମଧ୍ୟ ଭିସୁଟ ଅନୁଦାନ ପାଇଁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇବା ସହ ଭିମସାରର ଉନ୍ନତି କଥା ଉଠାଇଥିଲେ। ଡାକ୍ତର ରମାବଲ୍ଲଭ ମିଶ୍ର ଭିମସାର ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ବିଲକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ।