ଆଜି ମହାଳୟା, ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ ।
ଆଶ୍ବିନ ମାସର ପ୍ରଥମ ପକ୍ଷ ପିତୃପକ୍ଷ ନାମରେ ବିଦିତ। ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ନାମିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଆଶ୍ବିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ ।
ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ । ଏହି ଅମାବାସ୍ୟାର ନାମ କାହିଁକି ‘ମହାଳୟା’, ତାହାର ଅନେକ ତାତ୍ପର୍ଯ୍ୟ ରହିଛି । ‘ମହତାଂ ଆଳୟଃ ମହାଳୟଃ’। ଅର୍ଥାତ୍ ମହାନ ପୁରୁଷମାନଙ୍କର ଆଳୟ ହେଉଛି ମହାଳୟା
ଆର୍ଯ୍ୟାବର୍ତ୍ତ ସଂସ୍କୃତିରେ ପୂଜ୍ୟପୂଜାର ପରମ୍ପରା ଆବହମାନ କାଳରୁ ଏଯାବତ ଅକ୍ଷୁର୍ଣ୍ଣ ରହିଛି। ଭାରତୀୟ ଅଧ୍ୟାତ୍ମ ଦର୍ଶନ ତଥା ତାର ସଂସ୍କୃତି ଓ ପରମ୍ପରା ବିଶ୍ୱଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ଯାହାର ଆଧାରରେ ଭରାତୀୟ ସାମାଜିକ ଜୀବନ ଶୈଳୀ ମଧ୍ୟ ପରିପୁଷ୍ଟ II “ମାତା ଦେବୋ ଭଵଃ, ପିତା ଦେବୋ ଭଵଃ” ମନ୍ତ୍ରରେ ଭାରତର ପ୍ରତିଟି ଜୀବନ ଅଭିମନ୍ତ୍ରିତ। ଭାରତୀୟ ପରମ୍ପରାରେ ସମ୍ପୂର୍ଣ ଆଶ୍ୱିନ ମାସ ଟି ଏହି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଆଶ୍ୱିନ କୃଷ୍ଣପକ୍ଷ ବା ପିତୃପକ୍ଷରେ ଆମେ ପିତୃପୁରୁଷଙ୍କ ଅର୍ଚ୍ଚନା କରିବା ସହିତ ପିଣ୍ଡ ମଧ୍ୟ ପ୍ରଦାନ କରିଥାଉ। କୁହାଯାଏ “ଆୟୁ ପୁତ୍ରାନ୍ ଯଶଃ କିର୍ତ୍ତୀ ପୁଷ୍ଟି ବଳଂ ଶ୍ରୀୟମ, ପଶୂନ୍ ସୌଖ୍ୟଂ ଧନଂ ଧାନ୍ୟଂ ପ୍ରାପ୍ନୁୟାତ ପିତୃପୂଜନାତ୍” II ପିତୃପୁରୁଷଙ୍କୁ ପିଣ୍ଡ ଦାନ କଲେ ସନ୍ତାନର ଆୟୁ, ପୁତ୍ର, ଯଶ, କିର୍ତ୍ତୀ, ଧନ ଧାନ୍ୟ ସବୁଥିରେ ଅବିବୃଦ୍ଧି ଘଟେ ବୋଲି ବିଶ୍ୱାସ ରହିଛି। ଅପର ପକ୍ଷ ଅର୍ଥାତ୍ ଆଶ୍ବିନ ଶୁକ୍ଳପକ୍ଷ କୁ ମାତୃ ଅର୍ଚ୍ଚନା ପାଇଁ ଆମେ ସମର୍ପିତ କରିଥାଉ ଏବଂ ଏହି ଦୁଇପର୍ବ ର ସନ୍ଧିକ୍ଷଣ ହେଉଛି “ମହାଳୟା ଅମାବାସ୍ୟା “।
ଏହି ପୁରୁଷମାନେ ହେଉଛନ୍ତି ଆମ କୁଳର ମହାନ ପୂର୍ବଜମାନେ । ସ୍ୱର୍ଗରେ ସେମାନେ ଯେଉଁ ପିତୃଲୋକରେ ଅବସ୍ଥାନ କରନ୍ତି ତାହା ‘ମହାଳୟା’ । ଆଶ୍ୱିନ ମାସର କୃଷ୍ଣପକ୍ଷ ଏହି ପିତୃପୁରୁଷମାନଙ୍କର ଶ୍ରାଦ୍ଧ ଓ ତର୍ପଣ ପାଇଁ ପ୍ରଶସ୍ତ। ବିଶେଷ କରି ଅମାବାସ୍ୟା ଦିନ ‘ମହାଳୟ’ ନିବାସୀ ସେହି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ତର୍ପଣ କରାଯାଉଥିବାରୁ, ଏହାର ନାମ ମହାଳୟା। ପାରମ୍ପରିକ ବିଧି ଅନୁସାରେ, ପିତୃକୁଳର ତିନିପୁରୁଷ ଓ ମାତୃକୁଳର ତିନିପୁରୁଷ- ଏହିପରି ଷଡ଼୍ପୁରୁଷଙ୍କୁ ଏହି ଶ୍ରାଦ୍ଧ ଓ ତର୍ପଣ କରାଯାଇଥାଏ । ବିଶେଷ କରି ମାତୃକୁଳର ତିନି ପୁରୁଷଙ୍କୁ ଏହିଦିନ ଶ୍ରାଦ୍ଧ ଓ ତର୍ପଣ କରାଯାଉଥିବାରୁ, ଲୋକମୁଖରେ ଏହିଦିନର ଶ୍ରାଦ୍ଧ ‘ମଉଳା ଶ୍ରାଦ୍ଧ’ ଭାବରେ ମଧ୍ୟ ପରିଚିତ ହୋଇଛି ।
ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଯଥାକାଳରେ ଯେଉଁ ଦ୍ରବ୍ୟ ତ୍ୟାଗ କରାଯାଏ, ତାହାକୁ ଶ୍ରାଦ୍ଧ କୁହାଯାଏ। ‘ଶ୍ରଦ୍ଧା’ରେ ତାହା ପ୍ରଦତ୍ତ ହୁଏ ବୋଲି ତାହା ‘ଶ୍ରାଦ୍ଧ’। ପିତୃଗଣ ଶ୍ରଦ୍ଧାରେ ପ୍ରଦତ୍ତ ସେହିସବୁ ଦ୍ରବ୍ୟଦ୍ୱାରା ତୃପ୍ତ ହୁଅନ୍ତି। ସେହିପରି ଶାସ୍ତ୍ରବାକ୍ୟ ଅଛି, “ତୃପ୍ୟନ୍ତେ ଅନେନ ଜଳେନ ଇତି ତର୍ପଣମ୍।” ଅର୍ଥାତ୍, ବିନା କୌଣସି ଦ୍ରବ୍ୟରେ, କେବଳ ଜଳ ଅର୍ପଣ ଦ୍ୱାରା ମଧ୍ୟ ପିତୃଗଣ ତୃପ୍ତ ହୁଅନ୍ତି। ଶ୍ରଦ୍ଧାର ସହିତ ଅର୍ପଣ କରାଯାଉଥିବାରୁ ତାହା ‘ତର୍ପଣ’। ଏଣୁ ଆଶ୍ୱିନ କୃଷ୍ଣପକ୍ଷରେ, ବିଶେଷ କରି ଅମାବାସ୍ୟା ତିଥିରେ ପିତୃଗଣଙ୍କୁ ଶ୍ରାଦ୍ଧ ଓ ତର୍ପଣ କରିବା ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ‘ମହାଳୟ’ବାସୀ ପିତୃଗଣଙ୍କର ଶ୍ରାଦ୍ଧତର୍ପଣର ବିଶେଷ ତିଥି ହେତୁ ଦିନଟି ‘ମହାଳୟା’।
(ସଂଗୃହିତ)