ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ ତୃତୀୟ ଦିନରେ ଅହିଂସା ରଥ ବିଭିନ୍ନ ସ୍ଥାନ ବୁଲି ଗାନ୍ଧିଜୀ , ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ , ବୀର ସ୍ଵାଧୀନତା ସଂଗ୍ରାମୀମାନଙ୍କ ସଂପର୍କିତ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ କରୁଥିବାବେଳେ ଜଗତସିଂହପୁରରେ ଆଜି ଅହିଂସା ରଥ ପରିକ୍ରମା ଆରମ୍ଭ ହୋଇଛି । ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଲକ୍ଷ ଲକ୍ଷ ଲୋକ ସ୍ଵାଧୀନତାର ଉଲ୍ଲାସକୁ ଅନୁଭବ କରିଥିବାବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ଅହିଂସା ରଥର ଅଭିନବ କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଜାତୀୟତା ଭାବନାର ପୁନଃଜାଗରଣ ସୃଷ୍ଟି କରାଇପାରିଛି ।
ଆଜି ଦୁଇଟି ଅହିଂସା ରଥକୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁଜଙ୍ଗ ବ୍ଲକ୍ର ଭୂତମୁଣ୍ଡାଇଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜଗତସିଂହପୁର ସାଂସଦ ଡା . ରାଜଶ୍ରୀ ମଲ୍ଲିକ , ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ , ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ରୁଦ୍ରନାରାୟଣ ଦାଶ , ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ , କୁଜଙ୍ଗ ବ୍ଲକ୍ ଅଧ୍ୟକ୍ଷା ନୀନାରାଣୀ ସାହୁ , ଉପାଧ୍ୟକ୍ଷ ଜ୍ଞାନଜିତ୍ ସ୍ୱାଇଁ , ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ , ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ , ତହସିଲଦାର ପ୍ରୀତିପଣ୍ଡା ମିଶ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା , ଜନପ୍ରତିନିଧି , ମିଶନ ଶକ୍ତି ସଦସ୍ୟା , ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା , ଆଶା କର୍ମୀ , ଅଙ୍ଗନବାଡ଼ି କର୍ମୀ , ଛାତ୍ରଛାତ୍ରୀ ଓ ବହୁସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ଅହିଂସା ରଥକୁ ସ୍ଵାଗତ ଜଣାଇଥିଲେ ।
ଗୋଟିଏ ଅହିଂସା ରଥ ଜଗତି ହାଇସ୍କୁଲ , ଚଉମୁହାଣି , ପାରାଦ୍ଵୀପଗଡ଼ , ଉଦୟବଟ , ଦୋଛକି ଦେଇ ପାରାଦ୍ଵୀପ ପୌରପରିଷଦ ଅଞ୍ଚଳରେ ପରିକ୍ରମା କରିଥିଲା । ଏନ୍ଏସି ହାଇସ୍କୁଲ ପାରାଦ୍ଵୀପ , ବିଜୁ ମଇଦାନ ଦେଇ କୁଜଙ୍ଗ ବ୍ଲକ୍ର ଝିମାଣି , କାଳିଆପାଟ ଅଞ୍ଚଳ ପରିକ୍ରମା କରି ରଥ ବି.ବି. ହାଇସ୍କୁଲ , କୁଜଙ୍ଗଠାରେ ପହଞ୍ଚିଥିଲା । ଅନ୍ୟ ରଥଟି ରାହାମା ବଜାର , ନଭୋଦୟ ବିଦ୍ୟାଳୟ , ବଡ଼ବାଳିକଣି , ସରଳି , ପଣ୍ଡୁଆ , ସାଇଲୋ ବଣିତୋ , ପୋତାନଈ ଅତିକ୍ରମ କରି ଏରସମା ବ୍ଲକ୍ ଅଞ୍ଚଳରେ ପରିକ୍ରମା କରିଥିଲା । ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ , ନଭୋଦୟ ବିଦ୍ୟାଳୟଠାରେ ରଥକୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏରସମାଠାରେ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ , ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର , ବିଡ଼ିଓ କୈଳାସ ବେହେରା ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ରଥକୁ ସ୍ଵାଗତ ଜଣାଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ଚଟୁଆସ୍ଥିତ ଐତିହାସିକ ବେଡ଼ିମଠଠାରେ ଅହିଂସା ରଥକୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କୁଜଙ୍ଗର ପାଇକ ଆଖାଡ଼ା ଦଳ ଆକର୍ଷଣୀୟ ପାଇକ ଆଖାଡ଼ା ପ୍ରଦର୍ଶନ କରିଥିଲେ ।
ଅହିଂସାର ବାର୍ତ୍ତା ବହନ କରି ତୃତୀୟ ଦିବସରେ ଅହିଂସା ରଥ ମଧ୍ୟରୁ ଗୋଟିଏ ରଥ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ୍ ପରିକ୍ରମା କରିଛି । ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ , ବ୍ଲକ୍ ଅଧ୍ୟକ୍ଷା ସାଇବାଣୀ ମଲ୍ଲିକ , ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା , ବିଡ଼ିଓ ସୀମାଞ୍ଚଳ ମଣ୍ଡଳ , ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ଵିତୀକୃଷ୍ଟ ପାତ୍ର , ପଞ୍ଚାୟତିରାଜ ପ୍ରତିନିଧି ପ୍ରମୁଖ ରଥକୁ ସ୍ଵାଗତ କରିଥିଲେ । ମହାତ୍ମା ଗାନ୍ଧୀ ସ୍ମୃତି ଭବନଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ଥାନୀୟ କଳାକାର ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରେ ରଥକୁ ବେଲଗୁଣ୍ଠାଠାରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ , ତହସିଲଦାର ଧରଣୀଧର ବେହେରା , କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର , ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ , ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଫିରୋଜ ସେଠୀ , ପଞ୍ଚାୟତିରାଜ ପ୍ରତିନିଧି , ଛାତ୍ରଛାତ୍ରୀ ଓ ବହୁସଂଖ୍ୟକ ଜନସାଧାରଣ ସ୍ଵାଗତ କରିଥିଲେ । ବାଘନାଚ , ଷଣ୍ଢନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ଅନୁଷ୍ଠିତ ହୋଇଥିଲା ।
ସେହିପରି ଭଞ୍ଜନଗରଠାରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ , ବିଡ଼ିଓ ଶଶିଭୂଷଣ ମହାପାତ୍ର , ତହସିଲଦାର ନିହାର ରଞ୍ଜନ ବେହେରା , କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର , ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର , ସମାଜସେବୀ ଶୁଳପାଣି ଶତପଥୀ , ଜଗଦୀଶ ପାଣିଗ୍ରାହୀ , ସାଂସଦଙ୍କ ପ୍ରତିନିଧି ପଞ୍ଚାନନ ପାଳ , ଜନପ୍ରତିନିଧି, ଛାତ୍ରୀଛାତ୍ରୀ ଅହିଂସା ରଥକୁ ସ୍ଵାଗତ କରିଥିଲେ । ଭଞ୍ଜନଗର ବିପଦର ବନ୍ଧୁଙ୍କ ଦ୍ଵାରା ୭୫ ମିଟର ଦୈର୍ଘ୍ୟବିଶିଷ୍ଟ ଜାତୀୟ ପତାକା ରାଲି କରାଯାଇଥିଲା । ଯୋଡ଼ିଶଙ୍ଖ , ବାଘନାଚ , ପଶୁନୃତ୍ୟ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରବିନାରାୟଣ ବେହେରାଙ୍କ ରଚିତ ମୁକ୍ତିପଥ ଯାତ୍ରୀ- ଅହିଂସା ସାରଥୀ ନାଟକ ପରିବେଷଣ କରାଯାଇଥିଲା ।
ଅନ୍ୟ ରଥଟି କୁକୁଡ଼ାଖଣ୍ଡି ବ୍ଲକ୍ରେ ପହଞ୍ଚିବା ପରେ ବିଡ଼ିଓ ପଲ୍ଲବୀ ସ୍ୱାଇଁ , ତହସିଳଦାର କଲ୍ୟାଣୀ ସଂଘମିତ୍ରା ଦେବୀ , ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର , ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର , ସରପଞ୍ଚ କ୍ରାନ୍ତୀକୁମାରୀ ଦେବୀ , ଚିତ୍ତ ରଞ୍ଜନ ବିଷୋୟୀ , ଜନପ୍ରତିନିଧି, ଛାତ୍ରଛାତ୍ରୀ ସ୍ଵାଗତ କରିଥିଲେ । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରଙ୍ଗେଇଲୁଣ୍ଡା ବ୍ଲକ୍ରେ ବିଡ଼ିଓ ବିଶ୍ଵଜିତ ରାୟ , ତହସିଲଦାର ମନୋଜ କୁଜୁରୁ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍ . ରାଜେଶ୍ଵରୀ ଦୋରା , ଜନପ୍ରତିନିଧି , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ , ଛାତ୍ରଛାତ୍ରୀ ଓ ବହୁସଂଖ୍ୟକ ଜନସାଧାରଣ ଅହିଂସା ରଥକୁ ସ୍ଵାଗତ କରିଥିଲେ । ଗୋପାଳପୁରଠାରେ ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ , କାର୍ଯ୍ୟନିର୍ବାହୀ ଅଧ୍ୟାକାରୀ ତ୍ରିନାଥ ବେହେରା , ଜନପ୍ରତିନିଧି , ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା , ଛାତ୍ରଛାତ୍ରୀ ଓ ବହୁସଂଖ୍ୟକ ଜନସାଧାରଣ ଅହିଂସା ରଥକୁ ସ୍ଵାଗତ କରିଥିଲେ । ଉଭୟ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।