ଠିକ୍ ବର୍ଷକ ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ହୀରାକୁଦ ଜଳସ୍ତର | News Room Odisha

ଠିକ୍ ବର୍ଷକ ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ହୀରାକୁଦ ଜଳସ୍ତର

ସମ୍ବଲପୁର : ଠିକ ବର୍ଷକ ପରେ ଆଜି ଅପରାହ୍ନ 3ଟାରେ ହୀରାକୁଦ ଜଳସ୍ତର ମେଜିକ ନମ୍ବର ଛୁଇଁଛି। ଜଳସ୍ତର ୬୩୦.୦୦ ଫୁଟ୍ ରେ ପହଞ୍ଚିଛି। ଗତବର୍ଷ ମଧ୍ୟ ଠିକ୍ ଆଜିର ଦିନରେ ଜଳଭଣ୍ଡାର ପୂର୍ଣଗର୍ଭା ହୋଇଥିଲା। ସେପଟେ, ବିଦ୍ୟୁତ ଉତ୍ପାଦନ ପାଇଁ ଓଏଚପିସି କମ୍ ପାଣି ଟାଣୁଥିବାରୁ ଆଜି ରାତି ୮ଟାରେ କର୍ତ୍ତୃପକ୍ଷ ଗୋଟିଏ ଗେଟ୍ ଖୋଲିବାକୁ ବାଧ୍ୟ ହୋଇଛନ୍ତି।

ପ୍ରତିବର୍ଷ ସେପଟେମ୍ବର ୩୦ ତାରିଖ ସୁଦ୍ଧା ରୁଲ୍ କର୍ଭ ଅନୁଯାୟୀ, ଜଳସ୍ତର ସର୍ବୋଚ୍ଚ ସ୍ତର ୬୩୦ ଫୁଟ୍ ରେ ଆସିଥାଏ। ଏହି ପରିପ୍ରେକ୍ଷୀରେ ଗତ କିଛି ଦିନ ଧରି କର୍ତ୍ତୃପକ୍ଷ ଏହି ଟାର୍ଗେଟ ରଖି ଜଳ ପରିଚାଳନା କରି ଆସୁଥିଲେ। ଏଥିପାଇଁ ଉପରମୁଣ୍ଡର ଜଳପ୍ରବାହକୁ ଦୃଷ୍ଟିରେ ରଖି ବାରମ୍ବାର ଗେଟ୍ ଖୋଲିବା ଏବଂ ବନ୍ଦ କରିବା ପ୍ରକ୍ରିୟା ଜାରି ରହିଥିଲା। ଆଉ ଶେଷରେ ଆଜି ଅପରାହ୍ନରେ ଜଳସ୍ତର ଏହି ମେଜିକ୍ ନମ୍ବର ଛୁଇଁଛି। ତେବେ, ଆଜି ସନ୍ଧ୍ୟାରେ ବୁର୍ଲା ପାୱାର ହାଉସର ୨ଟି ୟୁନିଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଏଚପିସି କମ୍ ପାଣି ଟାଣୁଛି। ଫଳରେ ବଳକା ପାଣି ଛାଡିବାକୁ ରାତି ୮ଟା ପରେ କର୍ତ୍ତୃପକ୍ଷ ଗୋଟିଏ ଗେଟ୍ ଖୋଲିଥିବା ସୂଚନା ଦେଇଛନ୍ତି। ଆଉ ରାତି ୯ଟା ପରେ ଜଳଭଣ୍ଡାରକୁ ୪୬ ହଜାର ୪୭୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ସମ ପରିମାଣର ପାଣି ନିଷ୍କାସିତ ହେଉଛି। ବର୍ତ୍ତମାନ ଏହି ପାଣି ଆସନ୍ତାବର୍ଷ ମୌସୁମୀ ଅବଧି ପର୍ଯ୍ୟନ୍ତ ପିଇବା ପାଣିରୁ ଆରମ୍ଭ କରି ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ ସହିତ ଶିଳ୍ପାନୁଷ୍ଠାନକୁ ଜଳଯୋଗାଣ ଆଦିରେ ବ୍ୟବହୃତ ହେବ।