ଓଆରଏଚଡିସି ଦୁର୍ନୀତି ମାମଲା : କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ | News Room Odisha

ଓଆରଏଚଡିସି ଦୁର୍ନୀତି ମାମଲା : କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ

ଭୁବନେଶ୍ୱର – କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍‌ଡର୍ସର ଏମ୍‌ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ -ଓଆରଏଚଡିସି ଦୁର୍ନୀତି ମାମଲାରେ ତାଙ୍କୁ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ।

ମୋକିମ୍‌ଙ୍କ ସହିତ ପୂର୍ବତନ ଆଇଏଏସ୍‌ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍‌ ଲେଖାଏଁ ଦଣ୍ଡାଦେଶ ହୋଇଛି । ସେମାନଙ୍କୁ ଜେଲ୍‌ ଦଣ୍ଡ ସହ ସମସ୍ତଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି କୋର୍ଟ। ଜରିମାନା ଅନାଦେୟ ସେମାନେ ଅଧିକ ୬ ମାସ ଜେଲ୍‌ରେ ରହିବେ ବୋଲି କୋର୍ଟ କହିଛନ୍ତି।

କୋର୍ଟଙ୍କ ରାୟ ପରେ ମହମ୍ମଦ ମୋକିମ କହିଛନ୍ତି, ବ୍ୟବସାୟ କରି ବିରୋଧୀ ଦଳରୁ ରାଜନୀତି କଲେ ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ। ଆଇଏଏସ୍‌ ବିନୋଦ କୁମାରଙ୍କୁ ସେତେବେଳେ ଟାର୍ଗେଟ କରି ଆମକୁ ଫସାଇଛନ୍ତି। ଯେଉଁ କୋର୍ଟ ଦଣ୍ଡାଦେଶ କରିଛନ୍ତି, ସେହି କୋର୍ଟ ଜାମିନ ବି ଦେଇଛନ୍ତି। ହାଇକୋର୍ଟରେ ସେ ଜେଲ ଦଣ୍ଡାଦେଶ ବିରୋଧରେ ଅପିଲ କରିବେ ବୋଲି କହିଛନ୍ତି ମୋକିମ ।