ବ୍ରହ୍ମପୁର, ଚିକିଟି ଓ ବେଲଗୁଣ୍ଠାକୁ ଜାତୀୟ ପୈାରାଞ୍ଚଳ ପୁରସ୍କାର | News Room Odisha

ବ୍ରହ୍ମପୁର, ଚିକିଟି ଓ ବେଲଗୁଣ୍ଠାକୁ ଜାତୀୟ ପୈାରାଞ୍ଚଳ ପୁରସ୍କାର

ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ପରିମଳ କ୍ଷେତ୍ରରେ ଚାମ୍ପିଅନ୍ ହୋଇଛି। ଆଉ ସେହି ପଦାଙ୍କ ଅନୁସରଣ କରି ଗଞ୍ଜାମ ଜିଲ୍ଲାର ୩ଟି ପୈାରାଞ୍ଚଳ ଯଥା ବ୍ରହ୍ମପୁର ମହାନଗର ନିଗମ, ବେଲଗୁଣ୍ଠା ଓ ଚିକିଟି ଏନ୍ଏସି ମଧ୍ୟ ଏଦିଗରେ ହାସଲ କରିଛନ୍ତି ଜାତୀୟସ୍ତରର ପୁରସ୍କାର। ଶନିବାର ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ।‌ ସେଥିରେ ରାଷ୍ଟ୍ରପତିଙ୍କ ତରଫରୁ କେନ୍ଦ୍ର ସହରାଞ୍ଚଳ ଉନ୍ନୟନ ମନ୍ତ୍ରଣାଳୟ ଦ୍ବାରା ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ବାହୀ ଅଧିକାରୀ ଭି.କିର୍ତ୍ତୀ ଭାସନ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲ୍ ତିନି ପୈାରାଞ୍ଚଳର ନିର୍ବାଚିତ ପୈାର ପ୍ରତିନିଧିଙ୍କ ସହ ପୁରସ୍କାର ଗ୍ରହଣ କରିଛନ୍ତି।

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହୋଇଥିଲା ସ୍ବଚ୍ଛ ସର୍ବେକ୍ଷଣ ୨୦୨୨। ସେଥିରେ ବ୍ରହ୍ମପୁର ମହାନଗର ପାଇଛି ଇନୋଭେସନ୍ ଆଣ୍ଡ୍ ବେଷ୍ଟ ପ୍ରାକ୍ଟିସେସ୍ ଆଓ୍ବାର୍ଡ। ତୃତୀୟ ଥର ପାଇଁ ବ୍ରହ୍ମପୁରକୁ‌ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମେୟର ସଂଘମିତ୍ରା ଦଳେଇ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପୁରସ୍କାର ଗ୍ରହଣ କରିଥିଲେ। ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ସୂଚୀରେ ସାମିଲ ବ୍ରହ୍ମପୁର ମହାନଗର ପରିମଳ ପରିଚାଳନା ଦୃଷ୍ଟିରୁ ନିକଟ ଅତୀତରେ ଅନେକ ନିଆରା ପଦକ୍ଷେପ ଗ୍ରହଣ କରିଥିଲା।

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବେଷ୍ଟ ସିଟି ଇନ୍ ସିଟିଜେନସ ଫିଡବ୍ୟାକ୍ ଏବଂ ଚିକିଟି ଏନ୍ଏସି ଫାଷ୍ଟେଷ୍ଟ ମୁଭର୍ସ ସିଟି ବର୍ଗରେ ହାସଲ କରିଛି ଏହି ଜାତୀୟ ପୁରସ୍କାର। ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ ଓ ଚିକିଟି ଏନ୍ଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପୁରସ୍କାର ଗ୍ରହଣ କରିଥିଲେ। ସହରବାସୀଙ୍କ ସହଯୋଗ, ପରିମଳ ଓ ସ୍ବଚ୍ଛତା ପ୍ରତି ଆଗ୍ରହ ହେତୁ ଉଭୟ ଏନ୍ଏସି ଚଳିତ ବର୍ଷ ଏହି ଆଓ୍ବାର୍ଡ ହାସଲ କରିବାକୁ ସମର୍ଥ ହୋଇପାରିଥିବା ତଥା ଆଗକୁ ଏହିପରି ଅନେକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉଭୟ ଏନ୍ଏସି ଅଧ୍ୟକ୍ଷ ଓ ଅଧ୍ୟକ୍ଷା।