ଗାନ୍ଧି ଜୟନ୍ତୀରେ ରାଜ୍ୟବ୍ୟାପୀ ଜନସଂପର୍କ ପଦଯାତ୍ରା ଆରମ୍ଭ, ଶୁଭାରମ୍ଭ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ | News Room Odisha

ଗାନ୍ଧି ଜୟନ୍ତୀରେ ରାଜ୍ୟବ୍ୟାପୀ ଜନସଂପର୍କ ପଦଯାତ୍ରା ଆରମ୍ଭ, ଶୁଭାରମ୍ଭ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର – ଆଜି ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି ରାଜ୍ୟବ୍ୟାପୀ ଜନସଂପର୍କ ପଦଯାତ୍ରା । ଆଜି ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏହାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ। ପଦଯାତ୍ରା ନଭେମ୍ବର ୨ ତାରିଖ ଯାଏଁ ଚାଲିବ।

ପଦଯାତ୍ରା ସମୟରେ ରାଜ୍ୟ ସରକାରଙ୍କ କାମକୁ ଲୋକଙ୍କ ନିକଟରେ ପହଞ୍ଚାଯିବ। ପ୍ରତି ୱାର୍ଡରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ମ୍ୟୁନିସିପାଲଟି ସ୍ତରରେ ଏହି କାର୍ଯ୍ୟକ୍ରମ କରାଯାଉଛି।କୋଭିଡ ମହାମାରୀ ଯୋଗୁଁ ୨ ବର୍ଷ ପରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଛି । ରାଜ୍ୟ ସରକାରଙ୍କ ସରକାରଙ୍କ ସଫଳତା, କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ।।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖାଯାଇ ପଦଯାତ୍ରା କରାଯିବ । ଯେଉଁ ଅଞ୍ଚଳ ଦେଇ ପଦଯାତ୍ରା ଯିବ, ସେହି ସ୍ଥାନର ବରପୁତ୍ର, ସହିଦ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ଦଳ ।

ଏହାଛଡା ଦେଶର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦଯାତ୍ରା ସମୟରେ ବ୍ୟାପକ ଭାବେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବ । ଶେଷ ଦିନରେ ରାଜ୍ୟବାସୀଙ୍କ ସେବା ପାଇଁ ସମୁହ ଶପଥପାଠ କରିବେ ଦଳୀୟ କର୍ମୀ ।

ଏହା ସହ ପ୍ରତ୍ୟେକ ଅଞ୍ଚଳରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ମଧ୍ୟ ମନେ ପକାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଦଯାତ୍ରାର ଶେଷ ଦିନରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଦଳର ପ୍ରତ୍ୟେକ ସଦସ୍ୟ ଜନସେବା ପାଇଁ ସାମୂହିକ ସଂକଳ୍ପ ନେବେ।