ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ | News Room Odisha

ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ

ଭୁବନେଶ୍ବର – ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ। ଏଣିକି ରାଜ୍ୟରେ ପାଳନ କରାଯିବ ମାଣ୍ଡିଆ ଦିବସ । ମାର୍ଗଶିର ମାସ ପ୍ରଥମ ଗୁରବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ପାଳନ ହେବ ଏହି ଦିବସ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ । ପରିବେଶ ଓ ସ୍ବାସ୍ଥ୍ୟପାଇଁ ହିତକର ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଓ ବ୍ଯବହାର ଏହାର ମୂଳ ଲକ୍ଷ୍ୟ ରଖାଯାଇଛି।

ପୁଷ୍ଟିରେ ଭରପୁର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ନିମିକି, ସେଓ, ପିଠା, ଛତୁଆ ସ୍ବାଦିଷ୍ଟ ହେବା ସହ ଶରୀର ପାଇଁ ହିତକର ହୋଇଥାଏ। ମାଣ୍ଡିଆ ଉତ୍ପାଦନ ଓ ଏହାର ପ୍ରଚାର ପ୍ରସାରକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ମିଲେଟ ମିଶନ । ଓଡ଼ିଶା ମିଲେଟ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି ।କେନ୍ଦ୍ର ସରକାର ମଧ୍ୟ ଓଡ଼ିଶା ମଡେଲ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରି, ଇଡିଲି, ଦୋଷା ଓ ବିସ୍କୁଟ୍ ଦେବାକୁ କୁହାଯାଇଛି।