୧୩୦ ଜୁଆଡ଼ି ଗିରଫ, ୧୨.୫୧ ଲକ୍ଷ ଜବତ: କଠୋର କାର୍ଯ୍ୟାନୁଷ୍ଠାନ ହେବ- ବ୍ରହ୍ମପୁର ଏସ୍‌ପି | News Room Odisha

୧୩୦ ଜୁଆଡ଼ି ଗିରଫ, ୧୨.୫୧ ଲକ୍ଷ ଜବତ: କଠୋର କାର୍ଯ୍ୟାନୁଷ୍ଠାନ ହେବ- ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର: ରବିବାର ହେଉଛି କୁମାରପୂର୍ଣ୍ଣିମା। ଆଉ ସେହି ପ୍ରକାରେ ଗଞ୍ଜାମ ଜିଲ୍ଲାରେ ଗାଁ ସହର, ସାହି ଗଳିରେ ପରମ୍ପରା ଆଳରେ ଜୁଆ ଖେଳ ବଢ଼ିଚାଲିଛି। ତେବେ ଏଥିରେ ଟଙ୍କା କାରବାର ଭଳି କୁପ୍ରଥା ମଧ୍ୟ ଜାରି ରହିଛି ଯାହା ଅନେକ ଅଂଶଗ୍ରହଣକାରୀଙ୍କୁ ସର୍ବସ୍ବାନ୍ତ କରି ଅନେକ ପରିବାରକୁ ତଳିତଳାନ୍ତ କରିଥାଏ। ତେବେ ବ୍ରହ୍ମପୁର ପୋଲିସ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଶକ୍ତ ଆଭିମୁଖ୍ୟ ଆପଣାଇଛି। ଜୁଆ ଖେଳ, ଜୁଆଡ଼ିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଥାନାଧିକାରୀଙ୍କୁ କଡ଼ା ନିର୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍। ସେହି ଅନୁସାରେ ପ୍ରତିଟି ଥାନା ଇଲାକାରେ ପୋଲିସ ବାହିନୀ ଜୁଆ ଆଡ୍ଡା ଉପରେ ଲଗାତାର ଚଢ଼ଉ ଜାରି ରଖିଛି, ଜୁଆ ଖେଳରେ ବ୍ୟବହୃତ ହେଉଥିବା ବିପୁଳ ଟଙ୍କା ଜବତ କରୁଛି, ଜୁଆଡ଼ିଙ୍କୁ ଗିରଫ କରିବାରେ ଲାଗିଛି। ଏହାର ପ୍ରମାଣ ମିଳିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ପୋଲିସ ବାହିନୀ ୬ଟି ଜୁଆ ଆଡ୍ଡାରେ ଚଢ଼ଉ କରି ୫୯ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଜବତ କରିଛି ୧ ଲକ୍ଷ ୯୧ ହଜାର ଟଙ୍କା। ଏଥିସହ ଗତ କିଛି ଦିନ ମଧ୍ୟରେ ବ୍ରହ୍ମପୁର ପୋଲିସ ବିଭିନ୍ନ ଥାନା ଇଲାକାରେ ବହୁସଂଖ୍ୟକ ଜୁଆ ଆଡ୍ଡାରେ ଚଢ଼ଉ କରି ଶତାଧିକ ଜୁଆଡ଼ିଙ୍କୁ ଗିରଫ କରିବା ସାଙ୍ଗକୁ ପ୍ରାୟ ସାଢେ ୧୨ ଲକ୍ଷ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି। ଏପରିକି ଅନେକ ମହିଳା ଜୁଆଡ଼ି ମଧ୍ୟ ପୋଲିସ ଜାଲରେ ଧରା ପଡ଼ିଛନ୍ତି।

ବ୍ରହ୍ମପୁର ଏସ୍‌ପି ଡା. ବିବେକଙ୍କ ସୂଚନା ମୁତାବକ ଗୁରୁବାରରୁ ଶୁକ୍ରବାର ୨୪ ଘଣ୍ଟା ମଧ୍ୟରେ ବ୍ରହ୍ମପୁର ପୋଲିସ୍ ୬ଟି ଜୁଆ ଆଡ୍ଡାରୁ ୫୯ ଜଣଙ୍କୁ କାବୁ କରିଛି। ଗୋପାଳପୁର ଥାନା ପୋଲିସ କରାପଲ୍ଲୀ ଠାରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ଉ କରି ୬୨ ହଜାର ୨୭୦ ଟଙ୍କା ଜବତ କରିଥିବା ବେଳେ ୮ ଜଣଙ୍କୁ ଗିରଫ କରିଥିଲା। ଟାଉନ୍‌ ଥାନା ପୋଲିସ ପାର୍କ ସାହିରେ ଚଢ଼ଉ କରି ୪୮ ହଜାର ୮୫୦ ଟଙ୍କା ଜବତ କରିଥିବା ବେଳେ ୮ ଜଣଙ୍କୁ ଗିରଫ କରିଥିଲା। ବଡ଼ବଜାର ଥାନା ପୋଲିସ ଫୁଲସୁନ୍ଦରୀ ସାହିରେ ତନାଘନା କରି ୧୦ ପୁରୁଷ ଓ ୪ ମହିଳାଙ୍କୁ ଗିରଫ କରିବା ସହ ଜବତ କରିଛି ୨୭ ହଜାର ଶହେ ଟଙ୍କା। ହରିଡ଼ାଖଣ୍ଡି କେନାଲ ସାହିରେ ଚାଲିଥିଲା ଏକ ଜୁଆ ଆଡ୍ଡା ଯେଉଁଠୁ ବଡ଼ବଜାର ଥାନା ପୋଲିସ ୧୭ ହଜାର ୨ ଶହ ଟଙ୍କା ଜବତ କରିବା ସହ ୯ ଜଣଙ୍କୁ ଗିରଫ କରିଥିଲା। ସେପଟେ ସଦର ଥାନା ପୋଲିସ ଆଙ୍କୁଶପୁର ମାଝୀ ସାହିରେ ଚଢ଼ଉ କରି ୯ ଜୁଆ ଖେଳାଳିଙ୍କୁ ଗିରଫ କରିବା ସହ ୧୯ ହଜାର ୨ ଶହ ଟଙ୍କା ଧରପଗଡ଼ କରିଥିଲା। ଗୋସାଣୀନୂଆଗାଁ ଥାନା ପୋଲିସ ଚାଞ୍ଚଡ଼ାପଡ଼ିଆ ସାହିର ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧୭ ହଜାର ୧୯୦ ଟଙ୍କା ଜବତ କରିଛି।

ବ୍ରହ୍ମପୁର ପୋଲିସ ଜିଲ୍ଲାରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୬ ତାରିଖ ମଧ୍ୟରେ ୭ଟି ଜୁଆ ଆଡ୍ଡାରେ ଚଢ଼ଉ କରାଯାଇ ୪ ମହିଳାଙ୍କ ସମେତ ମୋଟ ୭୧ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଛି ୧୦ ଲକ୍ଷ ୬୦ ହଜାର ଟଙ୍କା। ବିଭିନ୍ନ ସ୍ଥାନରୁ ଜୁଆଡ଼ି ଗୋଟିଏ ସ୍ଥାନରେ ଏକତ୍ର ହୋଇ ଲକ୍ଷ ଲକ୍ଷ ଟଙ୍କା ବାଜି ମାରି ଜୁଆ ଖେଳିଥାନ୍ତି ଯାହା ଏକ ଅପରାଧ ତଥା ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି କରିଥାଏ। ପରମ୍ପରା ଆଳରେ ଜୁଆ ଖେଳରେ ଟଙ୍କା ବାଜି ମାରିବା ନିଶ୍ଚିତ ଭାବେ ବେଆଇନ, ଆଦୌ ଗ୍ରହଣଯୋଗ୍ୟ ନୁହେଁ, ଏଭଳି ସାମାଜିକ ଅପରାଧ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି ସ୍ପଷ୍ଟ କରିଛନ୍ତି ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍। ଜୁଆ ଖେଳ ହେଲେ ପୋଲିସ ନିଶ୍ଚିତ ଭାବେ କଡ଼ା ପଦକ୍ଷେପ ନେବ ଓ ଜୁଆ ଆଡ୍ଡାର ସୂଚନା ପାଇବା ମାତ୍ରେ ଚଢ଼ଉ କରାଯିବ ବୋଲି ଏସ୍‌ପି କହିଛନ୍ତି।