ବ୍ରହ୍ମପୁର: ପାର୍ବଣ ଋତୁରେ ରେଶମ ସହରରେ ରହୁଥିବା ତେଲୁଗୁ ଭାଷାଭାଷୀ କିଛି ବୁଦ୍ଧିଜୀବୀ ତଥା ଶ୍ରୀବୈଷ୍ଣବ ଏବଂ ବ୍ରାହ୍ମଣ ପରିବାର ନିଜ ଘରେ ଏକ ଭିନ୍ନ ଧରଣର ଉତ୍ସବ ପାଳି ଆନନ୍ଦ ଉଲ୍ଲାସରେ ମଜି ଯାଇଥାନ୍ତି। ଏହି ଉତ୍ସବ କାଳକ୍ରମେ ପରମ୍ପରାରେ ପରିଣତ ହୋଇଯାଇଛି। ତାହା ହେଉଛି କଣ୍ଢେଇମାନଙ୍କୁ ନେଇ ଆୟୋଜିତ ବୋମାଲା କୋଲୁବୁ ପର୍ବ। ଶତାଧିକ ବର୍ଷ ପ୍ରାଚୀନ ଏହି ପର୍ବର ବିଶେଷତ୍ତ୍ୱ ହେଉଛି ଯେ ଭଳିକି ଭଳି ରଙ୍ଗବେରଙ୍ଗ, ଆକାରପ୍ରକାର ଓ ଭିନ୍ନ ଭିନ୍ନ ଜିନିଷରେ ପ୍ରସ୍ତୁତ ବହୁ ସଂଖ୍ୟକ ମୂର୍ତ୍ତି- କଣ୍ଢେଇ- ଖେଳନା- ପ୍ରତିକୃତି ଆଦି ସ୍ଥାନୀତ ହୋଇଥାଏ। ଠାକୁର ପୂଜା ସହ କଣ୍ଢେଇମାନଙ୍କୁ ଆକର୍ଷଣୀୟ ଢଙ୍ଗରେ ସଜାଇ ରଖାଯାଇ ଦଶହରା ସମୟରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ଏହି ତିନିଦିନିଆ ପର୍ବ। କେହି କେହି ଏହାକୁ ୯ ଦିନ କିମ୍ବା ୫ ଦିନ ମଧ୍ୟ ପାଳନ କରିଥାନ୍ତି। ଆନ୍ଧ୍ରପ୍ରଦେଶରେ ଏହି ପର୍ବ ବେଶ୍ ସାଧାରଣ ଥିବା ବେଳେ ବ୍ରହ୍ମପୁରରେ ହାତଗଣତି କିଛି ପରିବାର ବ୍ୟକ୍ତିଗତସ୍ତରରେ ଆୟୋଜନ କରିଥାନ୍ତି। ମୂଳତଃ ତେଲୁଗୁ ଭାଷାଭାଷୀଙ୍କ ପରମ୍ପରା ହେଲେ ବି ରେଶମ ସହରବାସୀ ଏଭଳି କିଛି ପରିବାର ସେମାନଙ୍କ ପରମ୍ପରାରେ ସ୍ଥାନୀୟ ସଂସ୍କୃତିକୁ ବି ସାମିଲ କରିଛନ୍ତି। ଗୋଟିଏ ପଟେ ଦେବୀ ପୂଜା, ଆରପଟେ ନିଜ ଘରେ ଯାବତୀୟ କିସମର କଣ୍ଢେଇଙ୍କ ପ୍ରଦର୍ଶନୀ କରିଥାନ୍ତି।
ବ୍ରହ୍ମପୁରର ତେଲୁଗୁ ଭାଷାଭାଷୀ ବିଶିଷ୍ଟ ନାଗରିକଙ୍କ ମଧ୍ୟରେ ଅନ୍ୟତମ ସ୍ଵର୍ଗତ ଲକ୍ଷ୍ମୀ ନରସିଂହ ଓ ତାଙ୍କ ପୁଅ ସ୍ବର୍ଗତ ଏନ୍.ବାଲକ୍ରିଷ୍ଣାଙ୍କ ପରିବାରରେ ଏବେ ରହିଛନ୍ତି ତାଙ୍କ ପୁଅ ଝିଅ ଏନ୍.ସାଗର ଏବଂ ଏନ୍. ଶିରିଷା। ସେମାନେ ପିଢ଼ି ପରେ ପିଢ଼ି ଆୟୋଜନ କରୁଛନ୍ତି ବୋମାଲା କୋଲୁବୁ ପର୍ବ। ସେମାନେ ଏହି ପର୍ବରେ ସୁସଜ୍ଜିତ ଢଙ୍ଗରେ ରଖିଥାନ୍ତି ଏକାଧିକ ପୁରାତନ କଣ୍ଢେଇ ଯେଉଁଥିରୁ କେତୋଟି ତ ପ୍ରାୟ ଶହେ ବର୍ଷ ପୁରୁଣା। ସାଗର ଓ ଶିରିଷାଙ୍କ କହିବା ମୁତାବକ ସେମାନଙ୍କ ଜେଜେମା’ ୧୯୦୫ ମସିହାରେ ନିଜ ବିବାହ ବେଳେ ଯୌତୁକ ଭାବେ ଆଣିଥିବା ରାମ- ସୀତା- ଲକ୍ଷ୍ମଣ- ହନୁମାନଙ୍କ କଣ୍ଢେଇ ମୂର୍ତ୍ତି ଏବେ ବି ଏହି ପର୍ବରେ ସେମାନେ ସ୍ଥାନ ଦେଇଥାନ୍ତି। ସେମାନଙ୍କ ଜେଜେମା ଆରମ୍ଭ କରିଥିବା କଣ୍ଢେଇ ସଂଗ୍ରହ ବା ପ୍ରଦର୍ଶନୀ ଶତାଧିକ ବର୍ଷ ପରେ ବି ଜାରି ରହିଛି। ସାଗର ଏବଂ ଶିରିଷାଙ୍କ ଗାନ୍ଧୀନଗରସ୍ଥିତ ଘରେ ଆୟୋଜିତ ହୋଇଥାଏ ତିନି ଦିନିଆ ବୋମାଲା କୋଲୁବୁ। ପ୍ରଥମ ଦିନ ମହାସରସ୍ୱତୀ, ଦ୍ଵିତୀୟ ଦିନ ମହାଲକ୍ଷ୍ମୀ ଏବଂ ଅନ୍ତିମ ଦିନ ତଥା ଦଶମୀ ତିଥିରେ ମହାଦୁର୍ଗାଙ୍କ ମୂର୍ତ୍ତି ରଖି ପୂଜା କରିଥାନ୍ତି ସାଗର, ଶିରିଷା।
ଏଥିସହ ରାମ, ଲକ୍ଷ୍ମଣ, ସୀତା, ହନୁମାନଙ୍କ ଲଙ୍କାରୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମୟକୁ କଣ୍ଢେଇ ପ୍ରଦର୍ଶନୀରେ ଚିତ୍ରଣ କରାଯାଇଥାଏ। ବର୍ଷ ପରେ ବର୍ଷ ବିଭିନ୍ନ ସ୍ଥାନରୁ ଏମାନଙ୍କ ପରିବାର ଭିନ୍ନ ଭିନ୍ନ କଣ୍ଢେଇ କିଣି ଦଶହରାରେ ହେଉଥିବା କଣ୍ଢେଇ ପ୍ରଦର୍ଶନୀରେ ସାମିଲ କରିଥାନ୍ତି। ଶତାଧିକ ମାଟି, ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ଓ ଟେରାକୋଟରେ ନିର୍ମିତ ମୂର୍ତ୍ତି ସାଙ୍ଗକୁ ଦଶ ଅବତାର, ତ୍ରିଶକ୍ତି ମୂର୍ତ୍ତି ପ୍ରଦର୍ଶନୀର ଅଂଶ ପାଲଟି ଯାଇଥାଏ। ତାହାକୁ ଦେଖିବାକୁ ଏହି ତିନି ଦିନ ବହୁ ପରିବାର ସାଗର ଓ ଶିରିଷାଙ୍କ ଘରକୁ ହର୍ଷୋଲ୍ଲାସର ସହ ଆସିଥାନ୍ତି। ଅତିଥିମାନଙ୍କୁ ଆୟୋଜକମାନେ ନିଆରା ଢଙ୍ଗରେ ସ୍ବାଗତ କରିଥାନ୍ତି ଯଥା ପାନପତ୍ର, ଗୁଆ, ହଳଦୀ, କୁଙ୍କୁମ, ମିଠା, ଫଳ ସହ ପଣା ପ୍ରଦାନ କରିଥାନ୍ତି।
ପୁରୁଣା ବ୍ରହ୍ମପୁର କରଣ ସାହିରେ ଭି.ଭି.ଶର୍ମାଙ୍କ ଘରେ ଆୟୋଜିତ ହୋଇଥାଏ ନଅଦିନିଆ ବୋମାଲା କୋଲୁବୁ ମେଳା। ଶୈଳ ପୁତ୍ରୀ- ବ୍ରହ୍ମଚାରିଣୀ- ଚେନ୍ନାଘଣ୍ଟା ଦେବୀ କୁଷ୍ମାଣ୍ଡ- ସ୍କନ୍ଧ ମାତା- କାତ୍ୟାୟିନୀ- କାଳରାତ୍ରୀ- ନବଦୁର୍ଗା ଆଦି ୯ଟି ମୂର୍ତ୍ତି ଏବଂ ୯ଟି କଳସ ସ୍ଥାପନ କରାଯାଇ ଥାଏ। ପ୍ରତ୍ୟହ ସନ୍ଧ୍ୟାରେ ୧୧ ଜଣ ମହିଳା ଘରକୁ ଆସି ଦେବୀ ଲଳିତାଙ୍କ ପାରାୟାଣ ପାଠ କରନ୍ତି। ଘର ପରିବାରର ମଙ୍ଗଳ ସହ ଯେଉଁ ପରିବାରରେ ଯୁବତୀଙ୍କ ବିବାହଜନିତ କିଛି ସମସ୍ୟା ଥାଏ ତେବେ ଏହି ପୂଜା ଦ୍ଵାରା ତାହା ସମାଧାନ ହେଉଥିବା ବିଶ୍ବାସ ରହିଛି। ସେମାନଙ୍କ ଘରେ ରଖିଥିବା ନର ନାରାୟଣ, ଶ୍ରୀକୃଷ୍ଣ ରାଧା ଆଦି ମୂର୍ତ୍ତିକୁ ସଜାଇ ରଖିଥାନ୍ତି। ସାତ୍ତ୍ଵିକ ପ୍ରେମ ତତ୍ତ୍ବ, ନର ଓ ନାରାୟଣ ଏକା ଏହି ବାର୍ତ୍ତା ଦେଇଥାଏ ଏହି ପର୍ବ।
ସେହିପରି ସାନବଜାରରେ ରହୁଥିବା ଡା. ଜାମୁଲା ନାରାୟଣ ରାଓଙ୍କ ଘରେ ମଧ୍ୟ ହେଉଥିବା ବୋମାଲା କୋଲୁବୁ ପର୍ବରେ ସ୍ଥାନ ପାଇଥାଏ ବିଭିନ୍ନ ସାମଗ୍ରୀ ତଥା ଧାତୁରେ ନିର୍ମିତ ପ୍ରାୟ ୫ ଶହ କଣ୍ଢେଇ। ଏଥିରେ ଉଲ୍ଲେଖନୀୟ ରହିଛି ବିଭିନ୍ନ ରାଜ୍ୟର ବିବାହ ପରମ୍ପରା ଓ ସାମଗ୍ରୀ, ସୁସଜ୍ଜିତ ବର କନ୍ୟା ମୂର୍ତ୍ତି, କନ୍ୟାଙ୍କୁ ଦିଆଯାଉଥିବା ଉପହାର ସାମଗ୍ରୀ, ଦେବାଦେବୀ ମୂର୍ତ୍ତି, ଚରଖା ଓ ଲଣ୍ଠନ ଭଳି ସାମଗ୍ରୀର ପ୍ରତିକୃତି, ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ କୋଣ୍ଡାପଲ୍ଲୀର କାଠ ମୂର୍ତ୍ତି ଆଦି କେତେ କଣ। ଏଥିସହ ଗଞ୍ଜାମ ମାନଚିତ୍ର ମଧ୍ୟ ଉଲ୍ଲେଖନୀୟ ଅଟେ ଯେଉଁଥିରେ ଜିଲ୍ଲାର କେଉଁ ଅଞ୍ଚଳର କଣ ପ୍ରସିଦ୍ଧ ତାହା ଦର୍ଶାଯାଇଛି। ଏଥିସହ ଦେବୀ ମୂର୍ତ୍ତି ରଖି ପୂଜା ପାଠ କରିଥାନ୍ତି ସାରା ପରିବାର। ଉଲ୍ଲେଖଯୋଗ୍ୟ ଯେ ଏହି ସମୟରେ ଆନ୍ଧ୍ରରୁ କିଛି କୃଷକ ଶ୍ରେଣୀର ଲୋକ ନିଜ ବଳଦକୁ ସୁସଜ୍ଜିତ କରି ଆଣି ବ୍ରହ୍ମପୁରରେ ସାହି ସାହି ବୁଲାଇଥାନ୍ତି। ଯଦିଓ ଆଧୁନିକ ସମୟ ପ୍ରଭାବରେ ଧିରେଧିରେ ଏସବୁ ହ୍ରାସ ପାଇବାରେ ଲାଗିଛି। ତଥାପି ଅନେକ ତେଲୁଗୁ ପରିବାର ବୋମାଲା କୋଲୁବୁ ଭଳି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।