ହବିଷ୍ୟ ପାଳନ ପାଇଁ ବ୍ରହ୍ମପୁରରୁ ପୁରୀ ଗଲେ ଦେଢ଼ଶହରୁ ଅଧିକ ଭକ୍ତ | News Room Odisha

ହବିଷ୍ୟ ପାଳନ ପାଇଁ ବ୍ରହ୍ମପୁରରୁ ପୁରୀ ଗଲେ ଦେଢ଼ଶହରୁ ଅଧିକ ଭକ୍ତ

ବ୍ରହ୍ମପୁର: ରବିବାର କୁମାର ପୂର୍ଣ୍ଣିମା, ସୋମବାରରୁ ଆରମ୍ଭ ପବିତ୍ର ମାସ କାର୍ତ୍ତିକ। ପୁଣ୍ୟ ଅର୍ଜନର ମାସ। ଶ୍ରୀକ୍ଷେତ୍ରରେ ମାସତମାମ କାଳିଆ ଠାକୁରଙ୍କ ଦର୍ଶନ ସହ ଶୁଦ୍ଧପୁତ ଭାବେ ହବିଷ୍ୟାଳୀ ପାଳନ ପାଇଁ ବ୍ରହ୍ମପୁରରୁ ପୁରୀକୁ ଶନିବାର ପୂର୍ବାହ୍ନରେ ପ୍ରାୟ ଦେଢ଼ ଶହ ବୃଦ୍ଧା, ବିଧବା ମହିଳା ଭକ୍ତ ଯାତ୍ରାରମ୍ଭ କରିଛନ୍ତି। ଗୁଣପୁର- ପୁରୀ ପାସେଞ୍ଜର ଟ୍ରେନ୍‌ରେ ଏମାନେ ପୁରୀକୁ ଯାତ୍ରା କରିଛନ୍ତି। ତେବେ ତା ପୂର୍ବରୁ ଷ୍ଟେସନ୍‌ ପରିସର ଓ ବାହାରେ ଦେଖିବାକୁ ମିଳିଥିଲା ଭକ୍ତିମୟ ପରିବେଶ। ସମସ୍ତଙ୍କ ମୁହଁରେ ଥିଲା ହରେ ରାମ ହରେ କୃଷ୍ଣ ଜପ। କିଏ ତାଳି ମାରି ଠାକୁରଙ୍କ ନାଁ ଗାଉଥିଲା ତ କିଏ ହାତ ଟେକି ଜପୁଥିଲା। ସମସ୍ତଙ୍କ ମୁହଁରେ ଥିଲା ପ୍ରସନ୍ନତା। ମନରେ ଥିଲା ପୁରୀ ଯିବାର ଉତ୍ସାହ।

ହବିଷ୍ୟାଳୀ ଯୋଜନାରେ ସାରା ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଗମନାଗମନ, ରହଣୀ, ଖାଦ୍ୟପେୟ, ସ୍ୱାସ୍ଥ୍ୟବସ୍ଥା ଆଦି ଦାୟିତ୍ଵ ରାଜ୍ୟ ସରକାର ବହନ କରିବେ। ଗତ ୭ ବର୍ଷ ହେଲା ଏହି ଯୋଜନାରେ ଲକ୍ଷ ଲକ୍ଷ ଭକ୍ତ ଉପକୃତ ହୋଇଥିବା ବେଳେ କରୋନା କଟକଣା ହେତୁ ଦୁଇ ବର୍ଷ ହେଲା ତାହା ବନ୍ଦ ରହିଥିଲା। ବ୍ରହ୍ମପୁରରୁ ମଧ୍ୟ ଶତାଧିକ ମହିଳା ୨ ବର୍ଷ ହେଲା ପୁରୀକୁ ହବିଷ୍ୟ ପାଳନ ପାଇଁ ଯାଇପାରୁ ନଥିଲେ। ମାତ୍ର ଏଥର ପୁଣି ଆରମ୍ଭ ହୋଇଛି ଏହି ଆଧ୍ୟାତ୍ମିକ ଯାତ୍ରା। କିଛି ଜଣ ପ୍ରଥମ ଥର ହବିଷ୍ୟାଳୀ ଯୋଜନାରେ ପୁରୀକୁ ଯାତ୍ରା କରିଥିବା ବେଳେ ଆଉ କିଛି ଜଣ ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ସହାୟତାରେ ହବିଷ୍ୟାଳୀ ଯୋଜନାର ଲାଭ ଉଠାଇ ପାରିଥିଲେ। ଦୁଇ ବର୍ଷ ପରେ ପୁଣି ଥରେ ହବିଷ୍ୟ ପାଳନ ପାଇଁ ଶ୍ରୀକ୍ଷେତ୍ର ଯାତ୍ରା କରୁଥିବାରୁ ଶ୍ରଦ୍ଧାଳୁମାନେ ଖୁସି ମନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି। ନବୀନ ବାବୁଙ୍କ ଲାଗି ମାସକ ଯାକ ସୁରୁଖୁରୁରେ ପୁରୀରେ ରହି ବଡ଼ ଦେଉଳରେ ହବିଷ୍ୟ ବ୍ରତ ପାଳିବୁ ବୋଲି କହିଥିଲେ କିଛି ମହିଳା। ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସହାୟତା ଯୋଗାଇ ଦେଉଛନ୍ତି, ସେଥିପାଇଁ ଆମେ ସୁରୁଖୁରୁରେ ଜଗାକୁ ଦର୍ଶନ କରିବା ସହ ବ୍ରତ ପାଳିବୁ ବୋଲି କହିଥିଲେ ଆଉ କିଛି ବୃଦ୍ଧା। ୨ ବର୍ଷ ହେଲା ପୁରୀ ଯାଇ ନପାରି ଦୁଃଖରେ ଥିଲୁ, ଏବର୍ଷ ଠାକୁରଙ୍କ କରୁଣା ଆଉ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଯୋଗୁଁ ମାସ ସାରା କାଳିଆ ଦର୍ଶନ କରିପାରିବୁ ବୋଲି ସମସ୍ତେ ଏକସ୍ବରରେ ମତବ୍ୟକ୍ତ କରିଥିଲେ। ଏହି ଭକ୍ତମାନଙ୍କୁ ଉତ୍ସାହିତ କରିବା ସହ ମଙ୍ଗଳମୟ ଯାତ୍ରା ପାଇଁ ବିଦାୟ ଜଣାଇବାକୁ ସହରର କିଛି ଯୁବ ନେତା, କର୍ପୋରେଟର୍, ସ୍ଵେଚ୍ଛାସେବୀ ଉପସ୍ଥିତ ଥିଲେ।