ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଯୋଜନା କାର୍ଯ୍ୟକାରୀ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମରୁ ଏଥର ସର୍ବାଧିକ ହବିଷ୍ୟାଳି | News Room Odisha

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଯୋଜନା କାର୍ଯ୍ୟକାରୀ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମରୁ ଏଥର ସର୍ବାଧିକ ହବିଷ୍ୟାଳି

ପୁରୀ – ଆସନ୍ତା ୧୦ ତାରିଖ ହେଉଛି ଧର୍ମ ମାସ କାର୍ତ୍ତିକର ପ୍ରଥମ ଦିନ। ଧର୍ମମାସରେ କାର୍ତ୍ତିକ ବ୍ରତ ଲାଗି ଶ୍ରୀକ୍ଷେତ୍ରକୁ ହବିଷିଆଳିଙ୍କ ସୁଅ ଛୁଟିବ। କୋଭିଡ଼ ପାଇଁ ଦୁଇବର୍ଷ ହେବ ରାଜ୍ୟ ସରକାରଙ୍କ ପକ୍ଷରୁ ମା’ମାନଙ୍କ ପାଇଁ ଯେଉଁ ହବିଷିଆଳି ଯୋଜନା କରାଯାଇଥିଲା ତାହା ବନ୍ଦ ରହିଥିଲା। ଏଥର ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ସରକାର ହବିଷିଆଳିମାନଙ୍କ ଲାଗି ମାଗଣାରେ ରହିବା, ମହାପ୍ରଭୁଙ୍କ ଦର୍ଶନ ସୁବିଧା, ମହାପ୍ରସାଦ ସେବନ ଆଦି ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି।

ଏ ବର୍ଷ ହବିଷିଆଳି ଯୋଜନାରେ ରାଜ୍ୟର ୨୯ଟି ଜିଲ୍ଲାରୁ ୨,୯୩୫ ଜଣ ନାମ ପଞ୍ଜୀକରଣ କରିଛନ୍ତି। କେବଳ ମାଲକାନଗିରି ଜିଲ୍ଲାରୁ କେହି ଆବେଦନ କରିନାହାନ୍ତି। ତେଣୁ ଏଥର ୩ ହଜାର ମା’ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି। ପୁରୀ ଜିଲ୍ଲାରୁ ସର୍ବାଧିକ ୯୬୪, ଖୋର୍ଦ୍ଧାରୁ ୭୩୦, ଗଞ୍ଜାମରୁ ୩୭୦ ଓ ନୟାଗଡ଼ ଜିଲ୍ଲାରୁ ୨୭୦ ଜଣ ହବିଷିଆଳି ଆସିବେ। ହବିଷିଆଳିଙ୍କ ପାଇଁ ୫ଟି ରହଣି କେନ୍ଦ୍ରର ବ୍ୟବସ୍ଥା ହୋଇଛି। ସ୍ଥାୟୀ ରହଣି କେନ୍ଦ୍ର ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ର ୧,୬୦୪ ଜଣ, ବଗଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା ଓ ଅକ୍ଷୟ ପାତ୍ରରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ ଏବଂ ବଳକା ୨୫ଟି ଜିଲ୍ଲାର ୬୦୧ ଜଣ ହବିଷିଆଳି ମୋଚିସାହି କଲ୍ୟାଣ ମଣ୍ଡପରେ ରହିବେ ବୋଲି ସ୍ଥିର କରାଯାଇଛି।

ରହଣି କେନ୍ଦ୍ରର ତଦାରଖ ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ସବୁ ରହଣି କେନ୍ଦ୍ର ବୁଲି ତଦାରଖ କରିବେ।