ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ୫ଟି ସଚିବ | News Room Odisha

ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ୫ଟି ସଚିବ

ଭୁବନେଶ୍ବର: ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ କହିଛନ୍ତି ।

ସୋମବାର  ପାଣ୍ଡିଆନ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନରେ ଆସି ଏହାର ପରିଚାଳନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବିଶ୍ୱସ୍ତରୀୟ ନିଯୁକ୍ତି ନିମନ୍ତେ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଏକ ବର୍ଷିଆ ଅତ୍ୟାଧୁନିକ କୌଶଳ ତାଲିମ ଦିଆଯାଉଛି । ଆଗାମୀ ଦିନରେ ଏହା ଏକ ବିଶ୍ଵସ୍ତରୀୟ ବ୍ରାଣ୍ଡ ଭାବେ ଉଭା ହେବ ବୋଲି ସେ କହିଛନ୍ତି । ଏଠାରୁ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀମାନେ ବିଶ୍ୱସ୍ତରର ପ୍ରମୁଖ ସଂସ୍ଥାମାନଙ୍କରେ ନିଯୁକ୍ତି ପାଇବେ । ଆଗାମୀ ଦିନରେ ରାଜ୍ୟର ସରକାରୀ ଆଇଟିଆଇମାନଙ୍କରେ ମଧ୍ୟ ଏହିଭଳି ଉନ୍ନତ ମାନର ଭିତ୍ତିଭୂମି ତିଆରି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପ୍ରଶିକ୍ଷାର୍ଥୀଙ୍କ ଆତ୍ମବିଶ୍ଵାସ ଦେଖି ସେ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କର ଆକାଂକ୍ଷା ସ୍ତର ଅଧିକ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି ।

ୱର୍ଲ୍ଡ ସ୍କିଲ ସେଣ୍ଟରର ପାଠ୍ୟକ୍ରମ ଆଇଟିଇଇଏସ୍ , ସିଙ୍ଗାପୁର ଶୈଳୀରେ ପରିଚାଳିତ ହେଉଛି । ତେଣୁ ଶ୍ରୀ ପାଣ୍ଡିଆନ ଏଠାରେ ମୁତୟନ ହୋଇଥିବା ଆଇଟିଇଇଏସ୍ , ସିଙ୍ଗାପୁରର ଅଧିକାରୀମାନଙ୍କ ସହ ସେମାନଙ୍କର ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ୱର୍ଲ୍ଡ ସ୍କିଲ ସେଣ୍ଟରରୁ ଉତ୍ତୀର୍ଣ୍ଣ ହେଉଥିବା ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତି ନିମନ୍ତେ ବିଭିନ୍ନ ଏଜେନ୍ସି ଓ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ସହଭାଗିତା ଉପରେ ଗୁରୁତ୍ଵ ଦିଆଯାଉଛି ।

୫ଟି ସଚିବ ଶ୍ରୀ ପାଣ୍ଡିଆନ ବିୟୁଟି ୱେଲ୍‌ନେସ୍ ସ୍ପା , ଫେସିଆଲ ଓ ବଡି ଥେରାପି ଷ୍ଟୁଡିଓ , ହେୟାର ଫେସନ ଡିଜାଇନ , କଟିଙ୍ଗ ଓ ଷ୍ଟାଇଲିଙ୍ଗ ଷ୍ଟୁଡିଓ , ମେକାଟ୍ରନିକ୍ସ , ନିଉମାଟିକ , ଅଟୋମେସନ ଓ ବେସିକ ରୋବୋଟିକ୍ସ , ମେକାନିକାଲ ଓ ଇଲେକ୍‌ଟ୍ରିକାଲ ସର୍ଭିସେସ , ଫାୟାର ଡିଟେକ୍ସନ ଓ ପ୍ରୋଟେକ୍ସନ , ପାଇପିଂ ଓ ପ୍ଲରିଂ , ଏୟାରକଣ୍ଡିସନିଙ୍ଗ ଓ ରେଫ୍ରିଜେରେସନ ଲ୍ୟାବ ପରିଦର୍ଶନ କରି ପ୍ରଶିକ୍ଷକ ଏବଂ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ । ୨୦୨୩ ସୁଦ୍ଧା ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଏବଂ ୨୦୨୪ ମସିହା ଭିତରେ ପ୍ରେସିସନ ଇଞ୍ଜିନିୟରିଂ ବ୍ୟବସ୍ଥା କରାଯିବ । ଏତଦ୍‌ବ୍ୟତୀତ ଏଠାରେ ଡିଜିଟାଲ ସ୍କିଲିଂ ହବ୍ ପ୍ରତିଷ୍ଠା ହେବ ଏବଂ ଏହା ସ୍କିଲ ପ୍ରତିଯୋଗିତାର ହବ୍ ରୂପେ କାର୍ଯ୍ୟ କରିବ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଲ୍ଡ ସ୍କିଲ ସେଣ୍ଟରର ସିଇଓ ରେଘୁ ଜି ଓ ୱାର୍ଲ୍ଡ ସ୍କିଲ ସେଣ୍ଟରର ଅଧିକାରୀମାନେ ଉପସ୍ଥିତ ଥିଲେ ।