ଜିଲ୍ଲାପାଳ, ଏସପିଙ୍କ ଅଚାନକ ଡିଏଚଏଚ୍ ପରିଦର୍ଶନ, ଲାଞ୍ଚ କାରବାର ନେଇ ପଚରାଉଚୁରା | News Room Odisha

ଜିଲ୍ଲାପାଳ, ଏସପିଙ୍କ ଅଚାନକ ଡିଏଚଏଚ୍ ପରିଦର୍ଶନ, ଲାଞ୍ଚ କାରବାର ନେଇ ପଚରାଉଚୁରା

ସମ୍ବଲପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ଏସପି ବି. ଗଙ୍ଗାଧର ଅଚାନକ ଜିଲ୍ଲା ସଦର ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ତାଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ଏହି ପରିଦର୍ଶନ ବେଳେ ଜିଲ୍ଲାପାଳ ନିରାମୟ କେନ୍ଦ୍ରରୁ ଆରମ୍ଭ କରି ରକ୍ତଭଣ୍ଡାର, ସହାୟତା କେନ୍ଦ୍ର ସମେତ ବିଭିନ୍ନ ୱାର୍ଡ ଆଦି ପରିଦର୍ଶନ କରିଥିଲେ। ଆଉ ରୋଗୀମାନଙ୍କ ସହ ସିଧାସଳଖ କଥା ହୋଇ କୌଣସି ସ୍ଥାନରେ କେହି ଲାଞ୍ଚ ମାଗୁଛନ୍ତି କି, ରକ୍ତଭଣ୍ଡାରରେ ଦଲାଲ କାରବାର ହେଉଛି କି ତଥା ରୋଗୀ ସେବାରେ କଣ ଅସୁବିଧା ରହୁଛି ଆଦି ପଚାରି ବୁଝିଥିଲେ। ଏହାଛଡା ମେଡିକାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମେତ ବିଭିନ୍ନ ଅନ୍ୟ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେନେଇ ପଚାରି ବୁଝିଥିଲେ। ସେପଟେ, ମେଡିକାଲରେ ଚାଲି ପାରୁନଥିବା ରୋଗୀଙ୍କ ପାଇଁ ହ୍ବିଲ ଚେୟାରର ଅଭାବ ନେଇ ଦୃଷ୍ଟି ଆକର୍ଷଣ କରାଯିବାରୁ ରୋଗୀ କଲ୍ୟାଣ ସମିତି ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଛି। ଆଉ ବିଭିନ୍ନ କଂପାନିର ସିଏସଆର ପାଣ୍ଠିରୁ ବି ତୁରନ୍ତ ହ୍ବିଲ ଚେୟାର ସମେତ ଅନ୍ୟ ଭିତ୍ତିଭୂମି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।